ସ୍ୱାୟତ୍ତ ଶାସନ ଦିବସରେ ୱାର୍ଡବାସୀଙ୍କୁ ଭେଟି

                    (୪୭ ନଂ ୱାର୍ଡରେ ୧ କୋଟି ୧୭ ଲକ୍ଷ ଟଙ୍କାର ୩ ପ୍ରକଳ୍ପ ଉଦ୍‌ଘାଟିତ)

କଟକ, ୩୦/୦୮/୨୦୨୬ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ନିଗମର ୪୭ ନଂ ୱାର୍ଡ ଅନ୍ତର୍ଗତ ମହାନଦୀ ବିହାର ଅଞ୍ଚଳରେ ୧ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୩ଟି ନୂତନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି।

ଓଏମ୍‌ପି ବାଟାଲିୟନ ଠାରେ ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକକାଳୀନ ୧୦ ଜଣ ବ୍ୟବହାର କରିପାରିବା ଭଳି ନୂତନ ଶୌଚାଳୟ, ଆରଡବ୍ଲ୍ୟୁଏସ୍‌ଏସ୍‌ ସମ୍ମୁଖ ରାସ୍ତା ପାର୍ଶ୍ୱରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନ୍‌ ଏବଂ ସ୍ଥାନୀୟ ଭିଜିଲାନ୍ସ କଲୋନୀ ପାର୍ଶ୍ୱରେ ୪୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୱାର୍ଡ ଅଫିସ୍‌ ଉଦ୍‌ଘାଟିତ ହୋଇଥିଲା। ମୋଟ ୧ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ଏହି ୩ଟି ପ୍ରକଳ୍ପ ନିର୍ମିତ ହୋଇଛି।

ଏହି ପ୍ରକଳ୍ପଗୁଡ଼ିକୁ ମୁଖ୍ୟ ଅତିଥି ଭାବେ ସାଂସଦ ଭର୍ତ୍ତୃହରି ମହତାବ ଏବଂ ସମ୍ମାନିତ ଅତିଥି ଭାବେ ମେୟର ସୁବାସ ସିଂହ, ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ, କେଏମ୍‌ସି କମିଶନର କିରନଦୀପ କୌର ସହୋତା ଓ ୱାର୍ଡ କର୍ପୋରେଟର ଇଂ. ସୁବ୍ରତ ଘଡ଼େଇ ପ୍ରମୁଖ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ।

ଏହାସହ ସୋମବାର ୨ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ମହାନଦୀ ଭବନର ଦ୍ୱିତୀୟ ମହଲା ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଶିଳାନ୍ୟାସ କରିବେ ବୋଲି କର୍ପୋରେଟର ଇଂ. ସୁବ୍ରତ ଘଡ଼େଇ ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମରେ ଏମ୍‌ଡିଏ ସଭାପତି ସଞ୍ଜୟ ଜେନା, ସିଟି ଇଞ୍ଜିନିୟର ଅତନୁ ସାମନ୍ତ, ଡେପୁଟି ମେୟର ଦମୟନ୍ତୀ ମାଝୀ, କର୍ପୋରେଟର ମୀନା ସାହୁ, ଦୀପ୍ତିମୟୀ ମୂଳିଆ, ଶ୍ରମିକ ନେତା ପ୍ରକାଶ ଦାସ, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ସରୋଜ ସ୍ୱାଇଁ, ପ୍ରାକ୍ତନ ଯନ୍ତ୍ରୀ ଗୋପାଳ ବେହେରା, ରବୀନ୍ଦ୍ରନାଥ ମହାନ୍ତି, ସାଇ ସୌରଭ ଜେନାଙ୍କ ସମେତ ଶତାଧିକ ମହିଳା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *