କେନ୍ଦ୍ରାପଡ଼ା, ୧୨/୦୨/୨୦୨୪ (ଓଡ଼ିଶା ସମାଚାର)- ସର୍କସ ଆଜି ଇତିହାସ ହୋଇଯାଇଥିବା ବେଳେ କେନ୍ଦ୍ରାପଡା ବାଲିଯାତ୍ରା କମିଟି ଆନୁକୂଲ୍ୟରେ ସହର ଉପକଣ୍ଠ ଗୁଲନଗର ପଂଚାୟତର ସୁଜାନଗର ଗ୍ରାମରେ ଥିବା ବାଲିଯାତ୍ରା ପଡିଆରେ ଚଳିତମାସ ୧୩ତାରିଖରୁ ଏନ୍.କେ. ରୋଲେକ୍କ ସର୍କସ ଉଦଘାଟନ ହୋଇ ଏକ ମାସ ଧରି ଚାଲିବ ବୋଲି ସର୍କସର ମ୍ୟାନେଜର ମୁଲ୍ଲା ସାଦିକ ରହେମନ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୧୩ତାରିଖ ସନ୍ଧ୍ୟା ୬ଟା ୪୫ମିନିଟରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ଜିଲାପାଳ ସୂର୍ଯ୍ୟବଂଶି ମୟୁର ବିକାଶ ଓ ଏସପି ବି. ଯୁଗଳ କିଶୋର ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ । ଏହି ସର୍କସରେ ମଣିପୁର, ପଶ୍ଚିମବଙ୍ଗ ଭଳି ରାଜ୍ୟର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ ବୋଲି ସାଦିକ୍ ରହେମାନ ସୂଚନା ଦେଇଛନ୍ତି । କଂଟା ଉପରେ ଶୋଇବା, ଛୁରୀ ଉପରେ ଶୋଇବା ଓ ଚାଲିବା, ଏକ ଚକ ବିଶିଷ୍ଟ ସାଇକେଲ ଚାଳନା, ପାଟି ଭିତରେ ୫ଟି ଜିଅନ୍ତା ସିଙ୍ଗି ମାଛ ପୁରାଇ ବାହାର କରିବା, ଶାଢୀଖେଳ, ଗ୍ଲୋବ ଭିତରେ ମଟର ସାଇକେଲ ରେସ, ମୁଣ୍ଡ ଓ ଜିଭରେ ନଟୁର ଖେଳ, ଜୋକର ଖେଳ, ଦୋଳି ଖେଳ, ପ୍ରଭୁତି ୨୬ଟି ଖେଳ ପଦର୍ଶିତ କରାଯିବ । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସହର ଓ ଆଖପାଖ ଅଂଚଳରେ ଦୀର୍ଘ ୧୨ବର୍ଷ ହେବ କୌଣସି ସର୍କସ ପଡି ନଥିଲା । ୨୦୧୧ମସିହା ଫେବୃୟାରୀ ମାସରେ କେନ୍ଦ୍ରାପଡା ସହରର ହାଇସ୍କୁଲ ପଡିଆରେ ଏକ ସର୍କସ ପଡିଥିଲା । ତା ପର ଠାରୁ ଆଉ ସର୍କସ କେନ୍ଦ୍ରାପଡାରେ ପଡିନଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ବାଲିଯାତ୍ରା କମିଟି ସଭାପତି ପ୍ରଦୀପ ଦାଶ, ସମ୍ପାଦକ ସଞ୍ଜୟ କୁମାର ଜେନା, କଲିମ ଖାନ୍ ଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ଏବଂ ସର୍କସର ମ୍ୟାନେଜର କର୍ଣ୍ଣ ଦେବରାୟ, ଓ ରୂପେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୧୪ତାରିଖରୁ ପ୍ରତ୍ୟେହ ଏହି ସର୍କସ ଅପରାହ୍ନ ଗୋଟାଏ, ୪ଟା ଓ ସନ୍ଧ୍ୟା ୭ଟାରେ ଏଭଳି ତିନୋଟି ଶୋ କରାଯିବ । ଟିକେଟ୍ ର ମୂଲ୍ୟ ଗ୍ୟାଲେରୀ ୧୦୦ଟଙ୍କା, ଡିସି ୨ଶହ ଟଙ୍କା ଓ ସ୍ପେଶାଲ ୩ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଦର୍ଶକ ମାନଙ୍କର ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ବୋଲି ବାଲିଯାତ୍ରା କମିଟିର ସଭାପତି ପ୍ରଦୀପ ଦାଶ ସୂଚନା ଦେଇଛନ୍ତି ।