ଫ୍ରେଣ୍ଡସିପ କ୍ଲବର ଗଣେଶ ମହୋତ୍ସବ ଉଦଯାପିତ

ଗଣେଶ ପୂଜା ଭାଇଚାରା,ଏକତା ଓ ସମ୍ପର୍କକୁ ମଜବୁତ କରିବାର ମାଧ୍ୟମ : ନଗରପାଳ ଶୁଭେନ୍ଦୁ ସାହୁ

ଭୁବନ ୨୧/୦୯/୨୦୨୬ (ଓଡ଼ିଶା ସମାଚାର)-ଯେଉଁଠି ଭକ୍ତିରେ ମିଶିଛି ସୃଜନଶୀଳତା, ଯେଉଁଠି କଳ୍ପନା ନେଇଛି ଭବ୍ୟତାର ରୂପ… ସେଇଠି ଜନ୍ମ ନେଇଛି ଭୁବନର ଅପୂର୍ବ “ପ୍ରେମ ମନ୍ଦିର ” । ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଆଜି ଗୌରବମୟ ୧୨ ବର୍ଷରେ ପଦାର୍ପଣ କରିଛି। ଏହି ଦୀର୍ଘ ଯାତ୍ରା କେବଳ ଏକ ପୂଜାର ପରମ୍ପରା ନୁହେଁ; ଏହା ଭୁବନର ଯୁବଶକ୍ତିର ଏକତା, ଭକ୍ତି ଓ ସୃଜନଶୀଳତାର ଅନନ୍ୟ ପରିଚୟ। ଗଣେଶ ପୂଜା ଭାଇଚାରା,ଏକତା ଓ ସମ୍ପର୍କକୁ ମଜବୁତ କରିବାର ମାଧ୍ୟମ ବୋଲି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଫ୍ରେଣ୍ଡସିପ କ୍ଲବ୍ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ।

ଏଥର ରାଧାରାଣୀଙ୍କ ପ୍ରେମ ମନ୍ଦିରର ଭବ୍ୟ ଓ ଦିବ୍ୟ ରୂପ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ଦେଖିବା ପାଇଁ ବିପୁଳ ଜନସମାଗମ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଫ୍ରେଣ୍ଡସିପ କ୍ଲବର ସଭାପତି, କର୍ମକର୍ତ୍ତା ମାନଙ୍କୁ ନଗରପାଳ ଶ୍ରୀଯୁକ୍ତ ସାହୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ କ୍ଲବ୍ ସଦସ୍ୟ ମାନଙ୍କର ପରିଶ୍ରମ ଓ ସୃଜନଶୀଳତା ଭୁବନକୁ ଆଉ ଦୁଇ ପାଦ ଆଗକୁ ନେଇଛି ଓ ନୂଆ ପରିଚୟ ଦେଇଛି । ଏହି ଯୁବଶକ୍ତି ହିଁ ଆମ ଭୁବନର ଭବିଷ୍ୟତର ସବୁଠାରୁ ବଡ଼ ଶକ୍ତି । ଭୁବନର ସାଂସ୍କୃତିକ ପରମ୍ପରା, ସାମାଜିକ ଏକତା ଓ ଭାଇଚାରା ଆହୁରି ସୁଦୃଢ଼ ହେଉ ବୋଲି କହିଥିଲେ । ସଭାପତି ଜୀବନ ଜ୍ୟୋତି ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଚିନ୍ମୟ କୁମାର ପୃଷ୍ଟି ଯୋଗଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *