ବାଦ୍ ପଡ଼ିଲେ ସଂଖ୍ୟାଲଘୁ ବସ୍ତିର ପ୍ରକୃତ ଭୋଟର,
ସନ୍ଦେହ ଘେରରେ ବିଏଲ୍ଏଙ୍କ ଭୂମିକା
ମାହାଙ୍ଗା,୨୫/୦୮/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟରେ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ଏହି ତ୍ରୁଟି ପଛରେ ରାଜନେତାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଯାହାକୁ ନେଇ ସମ୍ଭାବ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।
ଏପରିକି ରାଜନେତାଙ୍କ ଏଜେଣ୍ଟ ସାଜିଥିବା (ବିଏଲ୍ଏ)ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଠାକୁର ଘରେ କିଏ ମୁଁ କଦଳୀ ଖାଇନି ନ୍ୟାୟରେ ନିଜ ଦସ୍ତଖତରେ ଭୁଲ୍ ହୋଇଥିବା ଏସ୍ଆଇଆର୍ ସଂଶୋଧନରେ ତ୍ରୁଟିକୁ ନେଇ ନିଜେ ବିଏଲ୍ଏ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଫଳରେ ଏସ୍ଆଇଆର୍ ସଂଶୋଧନ ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଛି ବିରାଟ ବଡ଼ ପ୍ରଶ୍ନବାଚୀ। ସୂଚନା ମୁତାବକ ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ଵର ପଂଚାୟତ ଝାଡେଶ୍ୱର ପୁର ସଂଖ୍ୟାଲଘୁ ବସ୍ତିରେ। ୧୭୯ ନମ୍ବର ବୁଥ୍ ଟି ଦୁଇ ଭାଗରେ ବିଭକ୍ତ ହୋଇଛି।
ଫଳରେ ଏହି ବୁଥ୍ ଟି ୨୨୧ ଓ ୨୨୨ ନାମରେ ଦୁଇଟି ବୁଥ୍ ହୋଇଛି। ଏହି ବୁଥ୍ ରେ ରାଜନେତାଙ୍କ ଏଜେଣ୍ଟ ବିଏଲ୍ଏ ୨ ଭାବେ କାର୍ଯ୍ୟ କରୁଛନ୍ତି ଫଗୁଚରଣ ବେହେରା। ଯାହାଙ୍କ ଦସ୍ତଖତରେ ଏହି ଦୁଇଟି ବୁଥ୍ ରେ ୧୨୧ ଜଣଙ୍କ ନାମ ସମ୍ଭାବ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ଯାହାକୁ ନେଇ ବିଏଲ୍ଏ ଙ୍କ ବିରୁଦ୍ଧରେ ଜନ ଆକ୍ରୋଶ ସୃଷ୍ଟି ହୋଇଛି। ଏସ୍ଆଇଆର୍ ସଂଶୋଧନକୁ ନେଇ ଅଡ଼ୁଆରେ ପଡ଼ିଥିବା ରାଜନେତାଙ୍କ ଏଜେଣ୍ଟ ବିଏଲ୍ଏ ନିଜ ଦୋଷ ଲୁଚାଇବାକୁ ଯାଇଁ ବ୍ଲକ୍ ବିଡ଼ିଓଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଇଛନ୍ତିଯେ, ଯେଉଁ ୧୨୧ ଜଣ ଭୋଟର ସଂଶୋଧନ ତାଲିକାରୁ ବାଦ୍ ପଡ଼ିବାକୁ ଯାଉଛନ୍ତି, ସେଥିରେ ମୋର ପରିଚୟପତ୍ର ଓ ଦସ୍ତଖତ ରହିଛି। କିନ୍ତୁ ସେହି ୧୨୧ ଜଣ ଭୋଟରଙ୍କ ସମ୍ପର୍କରେ ମୁଁ କୌଣସି ଆପତ୍ତି ଓ ଅଭିଯୋଗ କରିନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ବିଏଲ୍ଏ ୨ ଙ୍କ ଅଜାଣତରେ ଏସ୍ଆଇଆର୍ ସଂଶୋଧନରେ ଏପରି ତ୍ରୁଟି ଘଟିଛି ନାଁ ସଂଖ୍ୟା ଲଘୁ ବସ୍ତିର ଭୋଟରଙ୍କୁ କାଟିବା ପଛରେ ରହିଛି ଅନ୍ୟ କେଉଁ ରାଜନେତା ଏଜେଣ୍ଟଙ୍କ ହାତ ?
