ସମ୍ବଲପୁର,୧୮/୦୮/୨୦୨୬ (ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ୧୫ ସ୍ଲୁଇସ୍ ଗେଟ୍ ଖୋଲା ରହିଛି । ମଙ୍ଗଳବାର ସକାଳ ୯ଟା ସୁଦ୍ଧା ୭ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁଁ ମଧ୍ୟାହ୍ନ ସୁଦ୍ଧା ହୀରାକୁଦର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ସନ୍ଧ୍ୟା ସୁଦ୍ଧା ପର୍ଯ୍ୟାୟ କ୍ରମେ ଆଉ ୫ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି ।
ବର୍ତମାନ ୧୫ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ଜଳଭଣ୍ଡାରରର ବାମପାର୍ଶ୍ୱ ଡାଇକ୍ର ୧୦ଟି ଓ ଡାହାଣପାର୍ଶ୍ୱର ୫ଟି ସ୍ଲୁଇସ୍ ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ଲକ୍ଷ ୨୮ ହଜାର ୪୫୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୬୯ ହଜାର ୭୪୯ କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୯୭ ଫୁଟ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି । ସେହିପରି ଗତ ୨୪ ଘଂଟା ମଧ୍ୟରେ ହୀରାକୁଦ ଜଳ ଭଣ୍ଡାରର ଉପର ମୁଣ୍ଡରେ ହାରାହାରି ୪୦.୧୭ ମି.ମି. ଏବଂ ତଳ ମୁଣ୍ଡରେ ହାରାହାରି ୧୯.୬୨ ମିମି ବର୍ଷା ରେକର୍ଡÿ ହୋଇଛି ।
