ରାଜପଥ ଆଂଚଳିକ ଅଧିକାରୀଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, ୧୭/୦୮/୨୦୨୬ (ଓଡ଼ିଶା ସମାଚାର)- ଏନଏଚ-୫୩ ଜାତୀୟ ରାଜପଥ ରାସ୍ତା ଭୁଷୁଡିବା ଘଟଣା ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଆଂଚଳିକ ରାଜପଥ କର୍ତୃପକ୍ଷଙ୍କୁ ଯୁବ ସ୍ୱାଭିମାନ ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି । କେନ୍ଦ୍ରାପଡ଼ା ଜିଲାର ଏନଏଚ-୫୩ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ନିମ୍ନମାନର ଓ ତ୍ରୁଟିପୂର୍ଣ୍ଣ ରାସ୍ତା କାର୍ଯ୍ୟ ନେଇ ଯୁବ ସ୍ୱାଭିମାନ ମଂଚ ପକ୍ଷରୁ ଏନଏଚଏଆଇ ଆଂଚଳିକ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗରେ ଏନଏଚ-୫୩ ର ତତ୍କାଳ ବୈଷୟିକ ଯାଂଚ, ସ୍ୱାଧୀନ ଗୁଣବତାର ଯାଂଚ କରାଯିବା ସହିତ ସମଗ୍ର ଘଟଣାର ତଦନ୍ତ କରାଯାଇ ଏଥିନିମନ୍ତେ ଦାୟୀ ଠିକାଦାର, ଯନ୍ତ୍ରୀ, ପରାମର୍ଶଦାତା ଓ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ ପୂର୍ବକ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି ।
ବିଶେଷକରି ୧୬ ଅଗଷ୍ଟ ୨୦୨୬ରେ ମହାକାଳପଡ଼ା ନୀଳାଚଳ ବଜାର ଛକ ନିକଟରେ ବର୍ଷା ପରେ ଏନଏଚ-୫୩ ର କେତେକ ଅଂଶ ଧସିଯାଇ ତିନୋଟି ଟ୍ରକ୍ ରାସ୍ତା ତଳକୁ ଖସିପଡ଼ିବା ଘଟଣାର ତତ୍କାଳ ବୈଷୟିକ ତଦନ୍ତ ପାଇଁ ଦାବି କରାଯାଇଛି । ରାସ୍ତାର ଗୁା, ଏମ୍ବାକମେ, ଡ୍ରେନେଜ୍, ପେଭମେଂଟର ମୋଟେଇ, ନିର୍ମାଣ ସାମଗ୍ରୀ, ସଂକୋଚନ, କ୍ୱାଲିଟି କଂଟୋଲ ପରୀକ୍ଷା ରିପୋର୍ଟ, ମାପବହି ଓ ଦେୟ ସମ୍ପର୍କିତ ରେକର୍ଡ ଯାଂଚ କରିବା ସହିତ ତ୍ରୁଟିପୂର୍ଣ୍ଣ ଅଂଶକୁ ତତ୍କାଳ ମରାମତି/ପୁନଃନିର୍ମାଣ କରିବା ସହ ତଦନ୍ତର ଆକ୍ସନ ଟେକନ ରିପୋର୍ଟ (ଏଟିଆର) ପ୍ରଦାନ କରିବାକୁ ଦାବି କରାଯାଇଛି ।
ଏହି ଅଭିଯୋଗ ପ୍ରଦାନ ସମୟରେ ଯୁବ ସ୍ୱାଭିମାନ ମଂଚର ସଭାପତି ଇଂ ସ୍ମୃତି ରଞ୍ଜନ ଜେନାଙ୍କ ନେତୃତ୍ୱରେ ଧରିତ୍ରୀ ଜେନା, ଦେବଦ ରାଉତ, ଦୀପ୍ତି ରଞ୍ଜନ ଦାସ, ଅବିନାଶ ସ୍ୱାଇଁ, ବିଶ୍ୱ ରଞ୍ଜନ ପଣ୍ଡା, ଜାଲେନ୍ଦ୍ର ପାତ୍ର, ମିଟୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜନସୁରକ୍ଷା ଓ ସରକାରୀ ଅର୍ଥର ସୁରକ୍ଷାକୁ ଦୃଷ୍ଟିରେ ରଖି ଏନଏଚ-୫୩ ସମ୍ପର୍କରେ ତତ୍କାଳ, ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଯୁବ ସ୍ୱାଭିମାନ ମଂଚ ଦାବିକରିଛି ।
