ଭୁବନେଶ୍ୱର,୧୭/୦୮/୨୦୨୬ (ଓଡ଼ିଶା ସମାଚାର)-ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ତିରୋଧାନ ଦିବସରେ ହିନ୍ଦୁ ଏକତାମଂଚ ତରଫରୁ ଆଜି ଜୟଦେବ ଭବନଠାରେ ଅଷ୍ଟମ ଶ୍ରାଦ୍ଧବାର୍ଷିକୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ ଅନୁଷ୍ଠିତ ହୋଇଯାଇଅଛି ।
ହିନ୍ଦୁ ଏକତା ମଂଚର ରାଜ୍ୟ ସଭାପତି ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ପ୍ରଦୀପ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସମ୍ମାନିତ ଅତିଥି ଭାବେ ମାନ୍ୟବର ଯାଜପୁର ସାଂସଦ ଡ. ରବି ନାରାୟଣ ବେହେରା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ୍ କୁମାର ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରର ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଉପସ୍ଥିତ ରହି ଅଟଳଜୀଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଅଟଳଜୀଙ୍କ ତ୍ୟାଗ, ରାଷ୍ଟ୍ରପ୍ରେମ ଏବଂ ତାଙ୍କର ଶାସନକାଳରେ ଦେଶପାଇଁ କରିଯାଇଥିବା ବହୁ ବିକାଶମୂଳକ କାମ ଉପରେ ଆଲୋଚନା କରିଥିଲେ । 
ଏହି ଉତ୍ସବରେ ସମ୍ମାନୀୟ ଅତିଥିଭାବେ ବାବାଜୀ ବିଶ୍ୱନାଥ ଦାସ, ପର୍ଯ୍ୟବେକ୍ଷକ ଏବଂ କଳିଙ୍ଗ କ୍ରୋନିକିଲ୍ର ଚିଫ୍ ଏଡିଟର ଡ. ପବିତ୍ର ମୋହନ ସାମନ୍ତରାୟ, ସମୟର ମୁଖ୍ୟ ସମ୍ପାଦକ ଗୁରୁ କଲ୍ୟାଣ ମହାପାତ୍ର, ସନ୍ନ୍ୟାସିନୀ ଅରୁନ୍ଧତୀ ଦେବୀ, ଉକ୍ରଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁପ୍ରିୟା ଓତା, ଡ. ସୁରେନ୍ଦ୍ର ମୋହନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ‘ଅଟଳ ଦର୍ଶନ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଭୁବନେଶ୍ୱର ସହରର ପ୍ରାୟ ୨୧ଟି ବିଦ୍ୟାଳୟରୁ ୪୨ଜଣ ଛାତ୍ରଛାତ୍ରୀ ଯେଉଁମାନେ କି ଦଶମ ପରୀକ୍ଷାରେ ଏ୧ରେ ଉତୀର୍ଣ୍ଣ ହୋଇଥିଲେ, ସେମାନଙ୍କୁ ଅତିଥିମାନେ ସାର୍ଟିଫିକେଟ୍ ଓ ଗୀତା ବହି ପ୍ରଦାନ କରିଥିଲେ । ସୁଶ୍ରୀ ଚନ୍ଦ୍ରକାନ୍ତି ମହାନ୍ତିଙ୍କୁ ସଂଗୀତ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମର୍ପିତ କରାଯାଇଥିଲା ।
ପ୍ରାରମ୍ଭରେ ଡ. ପ୍ରଭାତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିଭିନ୍ନ ଜିଲାର ସଭାପତି, ମଂଚର ବିଭିନ୍ନ କାର୍ଯ୍ୟକର୍ତା ଏବଂ ହିନ୍ଦୁ ଏକତାମଂଚର ବହୁ ଅଧ୍ୟାପକ/ଅଧ୍ୟାପିକା, ସନ୍ନ୍ୟାସୀ, ଜ୍ଞାନୀ, ଗୁଣୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅକ୍ଷୟ ସ୍ୱାଇଁ ମଂଚ ପରିଚାଳନା କରିଥିଲେ ଓ ଖୋର୍ଦ୍ଧା ଜିଲା ସଂଯୋଜକିକା ସସ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
