ଘଟଗାଁ,୧୮/୧୧/୨୦୨୬ (ଓଡିଶା ସମାଚାର )-ଜାତୀୟ ପ୍ରେସ ଦିବସ ଅବସରରେ ଘଟଗାଁ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପାଲା ମଣ୍ଡପ ଠାରେ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ସମୀର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଟ ସାମ୍ବାଦିକ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ସାମ୍ବାଦିକତା ସମାଜକୁ ସଚେତନ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ । ଦେଶ ଓ ବିଶ୍ୱରେ ଘଟୁଥିବା ଘଟଣା,ସରକାରୀ ନୀତି,ଯୋଜନା ଆଇନ ଓ ଅଧିକାର ବିଷୟରେ ସାଧାରଣ ଲୋକଙ୍କୁ ଜଣାଇବା ଏହାର ମୁଖ୍ୟ କାମ କହିବା ସହ ସାମ୍ବାଦିକତା ବିନା ସୁସ୍ଥ ଲୋକତନ୍ତ୍ର କଳ୍ପନା କରାଯାଇ ପାରେନା ବୋଲି କହିଥିଲେ । ଏଥି ସହ ସାମ୍ବାଦିକତା ଯଦି ସତ୍ୟ,ନୀତି,ଜନହିତକୁ ଆଧାର କରି କାମ କରେ ତାହାହେଲେ ସମାଜ ନିଶ୍ଚିତ ଭାବେ ସୁସ୍ଥ ସଚେତନ ଓ ପ୍ରଗତିଶୀଳ ହୋଇ ପାରିବ ବୋଲି କହିଥିଲେ ।
ସଂଘର ଉପଦେଷ୍ଟା ନାରାୟଣ ପଲେଇ କହିଥିଲେ , ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆରେ ଅସତ୍ୟ ଖବର ଦ୍ରୁତ ଗତିରେ ପ୍ରସାରିତ ହେଉଛି । ଯାହା ଫଳରେ ସମାଜରେ ଭ୍ରାନ୍ତି ଓ ଅଶାନ୍ତି ସ୍ତୁଷ୍ଟି କରୁଛି । ଏଭଳି ପରିସ୍ଥିତିରେ ସାମ୍ବାଦିକତା ପାଇଁ ନୀତି, ସତ୍ୟନିଷ୍ଟ ଓ ଦାୟିତ୍ୱବୋଧର ଆବଶ୍ୟକତା ରହିଛି। ତେଣୁ ଖବର ପ୍ରସାରଣ ପୂର୍ବରୁ ସଠିକ ତଥ୍ୟ ଯାଞ୍ଚ କରିବା ଏବଂ ନିରପେକ୍ଷତା ରଖିବା ହିଁ ସୁସ୍ଥ ସାମ୍ବାଦିକତାର ପରିଚୟ ବୋଲି କହିଥିଲେ ।
ଅନ୍ୟତମ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସାହୁ ଗ୍ରାମାଞ୍ଚଳରେ ସାମ୍ବାଦିକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ରାସ୍ତାଘାଟର ସମସ୍ୟା , ପାନୀୟ ଜଳ , ସ୍ୱାସ୍ଥସେବା , ଶିକ୍ଷା ଚାଷୀଙ୍କ ଦୁଃଖ , ଗରିବଙ୍କ ଅଧିକାର ଓ ସାଧାରଣ ଲୋକଙ୍କ ନ୍ୟାୟ ପାଇଁ ଖବର ପ୍ରକାଶ କରିଥାନ୍ତି । ସେଇ ଖବର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନର ରାସ୍ତା ଖୋଲି ଦେଇଥାଏ ବୋଲି କହିଥିଲେ। ଆଗାମୀ ଦିନରେ ସଂଘ ପକ୍ଷରୁ ଜନହିତକର କାର୍ଯ୍ୟ କରାଯିବା ନେଇ ମତ ପ୍ରକାଶ କରିଥିଲେ। ମନୋରଞ୍ଜନ ସାହୁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ବାପୁନ ବେହରା,ଅଭିଷେକ ପଣ୍ଡା, ସମ୍ବିତ କୁମାର ସାହୁ,ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
