ଓଇଆରସି ଓ ଶକ୍ତି ସଚିବଙ୍କୁ ମଧ୍ୟ ନୋଟିସ
କଟକ,୧୪/୦୧/୨୦୨୬(ଓଡ଼ିଶା ସମାଚାର)- ଅତିରିକ୍ତ ବିଦୁ୍ୟତ୍ ସିକ୍ୟୁରିଟିା ଜମା ଆଦାୟ ପ୍ରସଙ୍ଗରେ ଟାଟାପାୱାରଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଏଥି ସହିତ ଓଇଆରସି ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ମଙ୍ଗଳବାର ନୋଟିସ ଜାରି ହୋଇଛି । ୨ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସମସ୍ତ ପକ୍ଷଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ୩ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି । ସୂଚନା ମୁତାବକ, ‘ଭଏସ ଅଫ କଟକ’ ପକ୍ଷରୁ ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସିକ୍ୟୁରିଟି ଜମାକୁ ବିରୋଧ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ ଆଇନ ଓ ଓଡ଼ିଶା ବିଦୁ୍ୟତ ନିର୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗ ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଛି ।
ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ତୁରନ୍ତ ପ୍ରତ୍ୟାହାର କରିବା ନେଇ ଆବେଦନରେ ଦର୍ଶାଯାଇଛି । ସିକ୍ୟୁରିଟି ଜମା ଥାଇ ମଧ୍ୟ ପୁଣି ହଜାର ହଜାର ଟଙ୍କା ମାଗିବା ଓ ବିଦୁ୍ୟତ୍ କାଟିବାକୁ ଧମକ ଦେବା ବେଆଇନ ବୋଲି ଆବେଦନକାରୀ ମାମଲାରେ ଦର୍ଶାଇଛନ୍ତି । ପୂର୍ବରୁ ଟାଟା ପାୱାର ୭ହଜାର ୨୧୫କୋଟିର ଅତିରିକ୍ତ ଶୁକ୍ଳ ଆଦାୟ କରି ବ୍ୟାଙ୍କରେ ରଖିଥିବା ମଧ୍ୟ ମାମଲାରେ ଦର୍ଶାଯାଇଛି । ବିନା ଗ୍ରାହକ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ସ୍ଥାପନ କରିବା ବେଆଇନ ବୋଲି ପିଟିସନରେ ଆବେଦନକାରୀ ଉଲ୍ଲେଖ କରିଥିଲେ । ଏହି ପ୍ରକି୍ରୟା ବିଦୁ୍ୟତ୍ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ମାମଲାରେ ଦର୍ଶାଯାଇଛି ।
