ଭୁବନେଶ୍ୱର,୧୩/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କୁ କାର୍ଡଧାରୀମାନଙ୍କ ସହାୟତା ନିମନ୍ତେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ସ୍ଥାପନ, ପି. ଏମ୍ – ରାହତ(PM-RAHAT) ରେ ମାଗଣା ଜରୁରୀକାଳୀନ ଚିକିତ୍ସା ଏବଂ ଆୟୁଷ୍ମାନ ଡିଜିଟାଲ ମିଶନ(ABDM) ଅନୁପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତି(SHAS) ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(CEO) ଡାକ୍ତର ବୃନ୍ଦା ଡି. ଘରୋଇ ହସ୍ପିଟାଲମାନଙ୍କରେ ଏସବୁ ଯୋଜନାର ଅନୁପାଳନ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଡାକ୍ତର ବୃନ୍ଦା ସ୍ପଷ୍ଟ କରିଦେଇଛନ୍ତି ଯେ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପଞ୍ଜୀକୃତ ହସ୍ପିଟାଲମାନେ ଆୟୁଷ୍ମାନ ଡିଜିଟାଲ ମିଶନ (ABDM) ଦ୍ୱାରା ନିର୍ଦ୍ଧାରିତ ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା (HMIS), ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ABHA) ଆଧାରିତ ରୋଗୀମାନଙ୍କର ମେଡିକାଲ ରେକର୍ଡ, ହସ୍ପିଟାଲରେ ସେବା ସୁବିଧା ରେଜିଷ୍ଟ୍ରି ଏବଂ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ଓ ନର୍ସମାନଙ୍କର ରେଜିଷ୍ଟ୍ରି ଆଦିକୁ ଏ. ବି. ଡି. ଏମ୍ ସଫ୍ଟଓୟାର ସହ ସଂଯୁକ୍ତ ନକଲେ ଆୟୁଷ୍ମାନ ଯୋଜନାରେ ସମ୍ପୃକ୍ତ ହସ୍ପିଟାଲ ପାଇଁ ମିଳୁଥିବା ପ୍ରୋତ୍ସାହନ ରାଶି ବନ୍ଦ ହୋଇଯିବ । ଏପରି ଅବସ୍ଥା ବଜାୟ ରଖିଲେ ପରବର୍ତ୍ତୀ ସମୟରେ ହସପିଟାଲକୁ ତାଲିକା ବହିର୍ଭୂତ କରାଯାଇପାରେ ।
ABPMJAY ନିୟାମକ(guideline) ଅନୁସାରେ ପ୍ରତି ପଞ୍ଜୀକୃତ ହସ୍ପିଟାଲରେ ନିଜନିଜ ହସ୍ପିଟାଲରେ ମୁଖ୍ୟ ପ୍ରବେଶ ନିକଟ ସଦୃଶ୍ୟ ସ୍ଥାନରେ ABPMJAY ସହାୟତା କେନ୍ଦ୍ର (Help desk) ସ୍ଥାପନ କରିବେ ଏବଂ ଏହି କେନ୍ଦ୍ର ଦାୟିତ୍ୱରେ ପ୍ରଧାନମନ୍ତ୍ରୀ ଆରୋଗ୍ୟ ମିତ୍ର (PMAM) ନିୟୋଜନ କରିବେ । କେନ୍ଦ୍ରକୁ ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଆବଶ୍ୟକୀୟ ସଂଖ୍ୟକ ଆରୋଗ୍ୟ ମିତ୍ର ନିୟୋଜିତ କରିବେ । ସେମାନେ ଆୟୁଷ୍ମାନ କାର୍ଡଧାରୀ ମାନଙ୍କର ଚିହ୍ନଟ, ରେଜିଷ୍ଟ୍ରେସନ୍ ସହ ସେମାନଙ୍କୁ ଚିକିତ୍ସା ସମ୍ବନ୍ଧୀୟ ସୂଚନା ଦେବେ ଏବଂ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇବେ । ହେଲ୍ପ ଡେସ୍କର କେତୋଟି ନମୁନା ଚିତ୍ର ମଧ୍ୟ ହସ୍ପିଟାଲମାନଙ୍କୁ ପ୍ରଦର୍ଶନ କରାଯାଇଥିଲା ।
ଏ. ବି. ଡି. ଏମ୍ କାର୍ଯ୍ୟକାରୀ ହେଲେ ରୋଗୀଙ୍କୁ ନିଜର ପୁରୁଣା ମେଡିକାଲ ଫାଇଲ କିମ୍ବା ରିପୋର୍ଟ ସାଙ୍ଗରେ ଧରି ବୁଲିବାକୁ ପଡିବ ନାହିଁ । ଗୋଟିଏ ହସପିଟାଲରୁ ଅନ୍ୟ ହସ୍ପିଟାଲକୁ ରୋଗୀ ରେଫର୍ ହେଲେ ରୋଗୀଙ୍କ ଚିକିତ୍ସା ବିବରଣୀ ଓ ପରୀକ୍ଷା ଆଦିର ତଥ୍ୟ ମଧ୍ୟ ସୁବିଧାରେ ଓ ଶୀଘ୍ର ସ୍ଥାନାନ୍ତର ହୋଇପାରିବ । ପରବର୍ତ୍ତୀ ଚିକିତ୍ସା ପାଇଁ ସି. ଟି(CT), ଏମ୍. ଆର୍. ଆଇ(MRI) ଆଦିର ଡିଜିଟାଲ ରେକର୍ଡ ମଧ୍ୟ ସହଜରେ ଉପଲବ୍ଧ କରାଯାଇପାରିବ ।
ପ୍ରଧାନମନ୍ତ୍ରୀ ରାହତ (P.M – RAHAT) ଯୋଜନାକୁ ସଠିକ୍ ଭାବେ ପ୍ରତି ହସ୍ପିଟାଲ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଡାକ୍ତର ବୃନ୍ଦା ନିର୍ଦ୍ଦେଶ ଦେଇଥିଲେ । ହସ୍ପିଟାଲ ସାମ୍ନାରେ ପି.ଏମ୍–ରାହତ ବାବଦ ବିଜ୍ଞାପନ ବୋର୍ଡ ପ୍ରଦର୍ଶନ କରିବା, ସହ ମଟର ଗାଡ଼ି ଦ୍ୱାରା ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ନିଶୁଳ୍କ ଜରୁରୀକାଳୀନ ଚିକିତ୍ସା ୭ ଦିନ ପର୍ଯ୍ୟନ୍ତ ଯୋଗାଇବା ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କର ମୁଣ୍ଡପିଛା ୧.୫ ଲକ୍ଷ ଟଙ୍କାର ନିଶୁଳ୍କ ଉଚ୍ଚମାନର ଚିକିତ୍ସା ପାଇଁ ସରକାର ଅର୍ଥ ବରାଦ କରିଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କାର୍ଡଧାରୀମାନଙ୍କୁ ନିୟମ ଅନୁଯାୟୀ ନିଶୁଳ୍କ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ଡାକ୍ତର ବୃନ୍ଦା ନିର୍ଦ୍ଦେଶ ଦେଇଥିଲେ । ଏମାନଙ୍କ ଚିକିତ୍ସା ବାବଦ ବିଲ ଦାଖଲ ଆୟୁଷ୍ମାନ ପୋର୍ଟାଲ ସହ ସଂଯୁକ୍ତ ବୋଲି ହସ୍ପିଟାଲମାନଙ୍କୁ ଜଣାଇ ଦିଆଯାଇଥିଲା ।
ସମୀକ୍ଷା ବୈଠକରେ ସାସ୍ ର ଅତିରିକ୍ତ ଶାସନ ସଚିବ-ତଥା-ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଏହି ସବୁ ଯୋଜନାର ବିଭିନ୍ନ ଦିଗ ବିଷୟରେ ସୂଚନା ଦେଇଥିଲେ ।
-0-
ଉମାକାନ୍ତ ମହାପାତ୍ର ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
