ଅସୁସ୍ଥ ସାମ୍ବାଦିକଙ୍କୁ ମିଳିଲା ସହାୟତା

ନିମାପଡ଼ା,୧୨/୦୮/୨୦୨୬ (ଓଡ଼ିଶା ସମାଚାର)- ଖବରକାଗଜରେ ଖବର ପ୍ରକାଶ ପରେ ଅସୁସ୍ଥ ବରିଷ୍ଠ ସାମ୍ବାଦିକଙ୍କ ଚିକିତ୍ସା ପାଇଁ ଆଗେଇ ଆସିଛି ବିଭିନ୍ନ ଅନୁଷ୍ଠାନ ଓ ସହୃଦୟ ବ୍ୟକ୍ତିବିଶେଷ। ଦୀର୍ଘଦିନ ଧରି କିଡିନୀ ରୋଗରେ ପୀଡ଼ିତ ନିମାପଡ଼ା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ରଞ୍ଜନ ପଟ୍ଟନାୟକଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ଖବର ପ୍ରକାଶ ପରେ ସହାୟତାର ହାତ ବଢ଼ିଛି। ଗତ ମଙ୍ଗଳବାର ଅପରାହ୍ନରେ ନିମାପଡ଼ା ପ୍ରେସ୍ କ୍ଲବ୍‌ର ଏକ ପ୍ରତିନିଧିଦଳ ଶ୍ରୀ ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚି ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ।

ଏହି ସମୟରେ କ୍ଲବ୍‌ର ସଭାପତି ଅକ୍ଷୟ ବେହେରା, ସମ୍ପାଦକ ରମାକାନ୍ତ ବେହେରା, ସହସମ୍ପାଦକ ବିଶ୍ୱଜିତ୍ ମିଶ୍ର, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା, ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ବିଚିତ୍ରାନନ୍ଦ ସାହୁ, କ୍ଷିତିଶ ମହାନ୍ତି, ସାଂଗଠନିକ ସମ୍ପାଦକ ସୁଦର୍ଶନ ବେହେରାଙ୍କ ସମେତ ସଭ୍ୟ ସନ୍ତୋଷ ବରାଳ, ନଳିନୀକାନ୍ତ ପରିଡ଼ା, ମୋହନ ପାତ୍ର ଓ ଉର୍ମି ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରେସ୍ କ୍ଲବ୍‌ର ସଦସ୍ୟମାନେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ସେହିପରି ହେଲ୍ପଲାଇନ୍ ନିମାପଡ଼ା ପକ୍ଷରୁ ୪୦ ହଜାର ଟଙ୍କା ଏବଂ କଣ୍ଟ୍ରାକ୍ଟର ସଂଘ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏଥିସହ ଅଞ୍ଚଳର ଅନ୍ୟାନ୍ୟ ଅନୁଷ୍ଠାନ ଓ ସହୃଦୟ ବ୍ୟକ୍ତିମାନେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସୁଥିବା ଜଣାପଡ଼ିଛି।

ଅସୁସ୍ଥତା ସତ୍ତ୍ୱେ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘଦିନର ସେବା ଓ ଅବଦାନ ପାଇଁ ପରିଚିତ ଶ୍ରୀ ପଟ୍ଟନାୟକଙ୍କ ଚିକିତ୍ସାରେ ସହାୟତାର ଏହି ପଦକ୍ଷେପ ସାମ୍ବାଦିକ ମହଲ ସହ ସାଧାରଣ ଲୋକଙ୍କ ମଧ୍ୟରେ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି। ଆଗାମୀ ଦିନରେ ଅଧିକରୁ ଅଧିକ ସଂଗଠନ ଓ ବ୍ୟକ୍ତିବିଶେଷ ସହଯୋଗର ହାତ ବଢ଼ାଇବେ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *