ଜିଲ୍ଲା ସ୍ତରୀୟ ଡେଙ୍ଗୁ ନିରାକରଣ ମାସ ପାଳନ ।

ଯାଜପୁର,୧୨/୦୮/୨୦୨୬ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ସ୍ତରୀୟ ଡେଙ୍ଗୁ ନିରାକରଣ ପାଇଁ ଏକ ବୈଷୟିକ କମିଟି ସଭା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ନଗେନ୍ଦ୍ରନାଥ ମହାପାତ୍ର ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହିତ ଏହି ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ ଡେଙ୍ଗୁ ନିରାକରଣ ପାଇଁ ଜିଲ୍ଲାରେ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରାମର୍ଶ ଦାତା ଶ୍ରୀ ବଳଦେବ ନନ୍ଦ ପାୱାର ପଏଣ୍ଟ ମାଧ୍ୟମରେ ଡେଙ୍ଗୁ ରୋଗର କାରଣ, ନିରାକରଣ ଜିଲ୍ଲାର ପ୍ରସ୍ତୁତି ବୈଠକ ଏବଂ ଭେକ୍ଟର ବାହିତ ରୋଗ ଯଥା ମ୍ୟାଲେରିଆ ଏବଂ ଫାଇଲେରିଆ ରୋଗ ସମ୍ବନ୍ଧୀୟ ଜିଲ୍ଲାର ଅଗ୍ରଗତି ସମ୍ବନ୍ଧରେ ଗୃହକୁ ଅବଗତ କରାଇଥିଲେ ।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଅତିରିକ୍ତ ନିର୍ଦ୍ଦେଶକ (ସ୍ୱାସ୍ଥ୍ୟ ସେବା) ଡ଼ା. ସୁଭାଶିଷ ମହାନ୍ତି ଫାଇଲେରିଆ ନିରାକରଣ ପାଇଁ ଜିଲ୍ଲାରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ମ୍ୟାଲେରିଆ ସଂକ୍ରମଣ ଥିବା ୧୯ ଗୋଟି ଗ୍ରାମରେ କିପରି  ମ୍ୟାଲେରିଆ ନିରାକରଣ କରାଯାଇପାରିବ, ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ କର ବିଭିନ୍ନ ଶିଳ୍ପ ସଂସ୍ଥାରୁ ଯୋଗ ଦେଇଥିବା ଅଧିକାରୀଙ୍କୁ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପାଇଁ ମଶାରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହିତ ଆଗାମୀ ୩ ମାସର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ କହିଥିଲେ। ପରେ ଜିଲ୍ଲାର ୬ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବାକୁ ଥିବା ଏଲ.ସି.ଡି.ସି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଗାମୀ ଅଗଷ୍ଟ ୧୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆଶାମାନଙ୍କ ଦ୍ୱାରା ଘରକୁ ଘର ବୁଲି କୁଷ୍ଠ ରୋଗ ଚିହ୍ନଟ ସମ୍ବନ୍ଧୀୟ ସୂଚନା ଦିଆଯାଇଥିଲା।

ଏହି ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଅଧୀକ୍ଷକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା କାର୍ଯ୍ୟକ୍ରମର ପରିଚାଳକ, ଶିଳ୍ପ ସଂସ୍ଥାର ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଏବଂ ପରିଚାଳକମାନେ ଯୋଗ ଦେଇଥିଲେ। ପରିଶେଷରେ ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ ଏହି ସଭାର ପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ହୋଇଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *