ଭୁବନେଶ୍ୱର,୦୮/୦୮/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ ଆସୋସିଏସନ୍ (ଆପୋଷା) ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଶିକ୍ଷା ସମ୍ମାନ ସମାରୋହ, ସ୍ମାର୍ଟ ପ୍ୟାରେ ସଚେତନତା କାର୍ଯ୍ୟକ୍ରମ ଓ ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ଆପୋଷାର ରାଜ୍ୟ ସଭାପତି ଅଜିତ୍ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୨୬ର ଗୋଦାବରୀଶ ଶିକ୍ଷା ସମ୍ମାନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନ ଧରି ଉଲ୍ଲେଖନୀୟ ଅବଦାନ ଉତ୍କୃଷ୍ଟ ବିଦ୍ୟାଳୟ ପରିଚାଳନା ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶରେ ବିଶେଷ ଭୂମିକା ପାଇଁ ଚଳିତ ବର୍ଷ ଓଡ଼ିଶାରୁ ୫୦ଜଣ ବିଦ୍ୟାଳୟ ପ୍ରତିଷ୍ଠାତା, ୫୦ଜଣ ପ୍ରଧାନ ଆଚାର୍ଯ୍ୟ ଓ ୧୦୦ ଜଣ ଶିକ୍ଷକଙ୍କୁ ଶିକ୍ଷାରତ୍ନ, ଶିକ୍ଷାଶ୍ରୀ ଓ ଶିକ୍ଷା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଡିଆଇଇଟି, ଖଲିକୋଟ୍, ଗଞ୍ଜାମର ଅଧ୍ୟକ୍ଷ, ସନ୍ତୋଷ ପରିଡ଼ା ଯୋଗଦେଇ ଶିକ୍ଷାନୀତିର ଲକ୍ଷ୍ୟ, ପ୍ରୟୋଗ ପଦ୍ଧତି, ଦକ୍ଷତା ବିକାଶ, ମାତୃଭାଷାର ଶିକ୍ଷା ଓ ଶିକ୍ଷାର୍ଥୀମାନଙ୍କର ସାମଗ୍ରୀକ ବିକାଶ ଉପରେ ଆଲୋକପାତ କରିଥିଲେ ।
ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି ଯୋଗ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମାନ୍ୟବର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଧେବ ମୁଖ୍ୟଅତିଥି ଭାବେ, ଉତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କର ଦାୟିତ୍ୱ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଅବନୀ କୁମାର ସୂତାର ସ୍ମାର୍ଟ ଗ୍ୟାରେଂଟିର ଉଦ୍ଧେଶ୍ୟ ତଥା ଗୁଣାତ୍ମକ ଓ ମୂଲ୍ୟବୋଧ ଭିତିକ ଶିକ୍ଷା ଗଢ଼ିବା ଲକ୍ଷ୍ୟହେବା ଉଚିତ୍ ଏବଂ ସେହି ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ସଂଘର ଉପାଧ୍ୟକ୍ଷ ଡ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ । 
ସମଗ୍ର କାର୍ଯ୍ୟକ୍ରମକୁ ଯୁଗ୍ମ ସମ୍ପାଦକ ସୁରେଶ ଚନ୍ଦ୍ର ରାଉତରାୟ, ସୁରେନ୍ଦ୍ର କୁମାର ଖୁଂଟିଆ, ରମା ବଲ୍ଲଭ ପରିଡ଼ା, ମଙ୍ଗୁଳି ଚରଣ ମହାନ୍ତି, ଶିଶିର ପାଇକରାୟ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯକ୍ରମରେ ଓଡ଼ିଶା ଅଭିଭାବକ ସଂଘର ସଭାପତି ବାସୁଦେବ ଭଟ୍ଟ ଯୋଗଦେଇ ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକମାନଙ୍କ ଭୂମିକା ମୂଲ୍ୟବୋଧ ଆଧାରିତ ଶିକ୍ଷା ମୋବାଇଲ୍ ଓ ସୋସିଆଲ୍ ମିଡ଼ିଆର ସନ୍ତୁଳିତ ବ୍ୟବହାର, ସାଇବର ସୁରକ୍ଷା ଓ ଶିକ୍ଷାଗତ ସଫଳତା ଉପରେ ଅଭିଭାବକମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପରିଶେଷରେ ସଂଘର ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।
