କାମରେ ଲାଗୁନି ୫ କୋଟି ଟଙ୍କାରେ ନିର୍ମିତ ଓଭର ହେଡ ପାଣି ଟାଙ୍କି 

ଭୁବନ ୦ ୮/୦୮/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପୂର୍ବ ସରକାର ସମୟରେ ପ୍ରାୟ ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସର ଓ ନୂଆ ଭୁବନରେ “ଆମ ସହର ଆମ ଉନ୍ନତି” ଯୋଜନାରେ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଦୁଇ ବର୍ଷ ହେଲା ଏହି ପ୍ରକଳ୍ପ ଶେଷ ହୋଇଛି । ସ୍ୱତନ୍ତ୍ର ଟ୍ରାନସଫର୍ମର ବସାଯାଇ ବିଦ୍ୟୁତ ଯୋଗାଣ ମଧ୍ୟ ହୋଇଛି । ବିଧାୟକଙ୍କ କର୍ମୀ ଙ୍କ ଦ୍ଵାରା ଚତୁପାର୍ଶ୍ୱ ପ୍ରାଚୀର ନିର୍ମାଣ କରାଯାଇ ଗେଟ୍ ମଧ୍ୟ ଲଗାଯାଇଛି । ଗ୍ରୀଷ୍ମ ଋତୁରେ ଟ୍ୟାଙ୍କର ଯୋଗେ ବିଭିନ୍ନ ୱାର୍ଡ କୁ ପାନୀୟ ଜଳ ଯୋଗାଣ କରାଯାଇ ମୋଟା ଅଙ୍କର ମୁନାଫା ଉଠା ଯାଉଥିବା ବେଳେ ବର୍ଷା ଦିନେ ମଧ୍ୟ ଭୁବନ ଏନ୍ ଏ ସି ର ଅଧିକାଂଶ ୱାର୍ଡ଼କୁ ନିୟମିତ ଭାବେ ଜଳ ଯୋଗାଣ ହୋଇ ପାରୁନାହିଁ । କେବଳ ଗୋଟିଏ କଥା ଓଭର ହେଡ ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇଯିବ କୁହାଯାଉଛି । ବିଭିନ୍ନ ୱାର୍ଡକୁ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ପାଇପ୍ ବିଛା କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ତାହେଲେ ଓଭର ହେଡ ପାଣି ଟାଙ୍କି କାର୍ଯ୍ୟକ୍ଷମ ହୋଇ ପାରୁନି କାହିଁକି ? ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଜଳ ସଂରକ୍ଷଣ ସମୟରେ ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହି ଥିବାରୁ ଏହାକୁ କାର୍ଯ୍ୟକ୍ଷମ କରାଯାଉନାହିଁ ବୋଲି ଅଭିଯୋଗ ଶୁଣାଯାଉଛି ।

ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ବିଭିନ୍ନ ୱାର୍ଡ କୁ ନିମ୍ନ ମାନର ପାଇପ୍ ବିଛା ହୋଇଛି । ଦୁଇ ଫୁଟ ଖୋଳି ତଳେ ବାଲି ଫିଲିଙ୍ଗ କରି ତା ଉପରେ ଇଟା ଦେଇ ପାଇପ୍ ବିଛା ଯିବା ବଦଳରେ ମାତ୍ର ୬ ଇଞ୍ଚ ଓ କେତେକ ସ୍ଥାନରେ ଫୁଟେ ଖୋଳି ପାଇପ୍ ବିଛା ଯାଥିବାରୁ କାର,ଟ୍ରାକ୍ଟର ଯିବା ଯୋଗୁଁ ଅଧିକାଂଶ ସ୍ଥାନରେ ପାଇପ୍ ଫଟି ଯାଉଛି ।

ଏନ୍ ଏ ସି ତରଫରୁ ନିର୍ମାଣ ହୋଇଥିବା କଂକ୍ରିଟ ଓ ପେଭର ରାସ୍ତାକୁ ଜନସ୍ୱାସ୍ଥ୍ୟ ବିଭାଗ ବାରମ୍ବାର ଖୋଲିତାଡ଼ି ନଷ୍ଟ କରୁଛି । ତେବେ ଯାହାବି ହେଉନା କାହିଁକି ଭୁବନର ଗଣପର୍ବ ଐତିହାସିକ ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ପୂର୍ବରୁ ଏହି ଓଭର ହେଡ ପାଣିଟାଙ୍କି କାର୍ଯ୍ୟକ୍ଷମ କରି ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ମତାମତ ପାଇଁ ବାରମ୍ବାର ତାଙ୍କ ମୋବାଇଲ କୁ ଫୋନ କରିଥିଲେ ମଧ୍ୟ ସେ କଲ ରିଶିଭ କରିନଥିଲେ ।

Leave a Reply

Your email address will not be published. Required fields are marked *