ଜଗତସିଂହପୁର, ୦୭/୦୮/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସ୍ନିଗ୍ଧାମାୟୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ବିଶ୍ୱରେ ପାଳିତ ହୋଇଆସୁଅଛି । ଏହି ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡାକ୍ତର ପ୍ରମୋଦ କୁମାର ବାରିକ, ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଏହି ସପ୍ତାହ ପାଳନର ଉଦେଶ୍ୟ ଏବଂ ଏ ବର୍ଷର ବାର୍ତା “ଜୀବନର ଚିରନ୍ତନ ବିକାଶର ଅୟମାରମ୍ଭ ପାଇଁ ସ୍ତନ୍ୟପାନ: ଏହି ଉପାଦେୟ ପଦକ୍ଷେପକୁ ସଶକ୍ତ କରିବା” ଉପରେ ଆଲୋଚନା କରିଥିଲେ ।
ନବଜାତ ଶିଶୁକୁ ଛଅ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ଦେବାକୁ ସଚେତନ କରିଥିଲେ । ସେ କହିଲେ ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଯେ ଶିଶୁ ଜନ୍ମ ହେବା କ୍ଷଣି ଯେତେ ଶୀଘ୍ର ସମ୍ଭବ ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା । ସମସ୍ତ ମାଆ ମାନଙ୍କୁ ଗର୍ଭବତୀ ଥିବା ସମୟରୁ ମାନସିକ ଭାବେ ପ୍ରସ୍ତୁତି କରିବା ଉଚିତ ଏବଂ ତା ପରିବାର ମଧ୍ୟ ସଚେତନ ହେବା ଦରକାର । ଡାକ୍ତର ସାଏଦ ସରୱାର ଅଲ୍ଲୀ ଓ ଡାକ୍ତର ରାଜେଶ ମହାନ୍ତି ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ସ୍ତନ୍ୟପାନର ବିଭିନ୍ନ ଉପକାରିତା ଉପରେ ଆଲୋଚନା କରିଥିଲେ ।
ଅନ୍ୟ ଅଧିକାରୀ ମାନେ ସ୍ତନ୍ୟପାନ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ନିମନ୍ତେ ନିତ୍ୟାନ୍ତ ଜରୁରୀ ଓ ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ କେଉଁ ପୋଜିସନରେ ମାଆ ଶିଶୁକୁ ଭଲରେ ସ୍ତନ୍ୟପାନ କରାଇ ପାରିବ, ସ୍ତନ୍ୟପାନ କରାଇବା ଦ୍ଵାରା ଶିଶୁ ସହ ମାଆର ମଧ୍ୟ ସ୍ୱାସ୍ଥ୍ୟ ଭଲ ରାହିବା ସହ ପରିବାରର ଆର୍ଥିକ ସମସ୍ୟା ଦୂର ହୁଏ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ସମାଜରେ ଥିବା ଅନ୍ଧ ବିଶ୍ୱାସ ଓ ଆଧୁନିକୀକରଣ ଜନିତ ସମସ୍ୟା ଯଥା ଦାମୀ ଡବା କ୍ଷୀର ଯାହାକି ପିଲାର କୌଣସି ପୃଷ୍ଟି ସାଧନ କରେନାହିଁ, ସେସବୁ ପ୍ରତି ଆକୃଷ୍ଟ ପିତାମାତାଙ୍କୁ ସଚେତନ କରିବା ଆମ ସମସ୍ତଙ୍କର ଦାଇତ୍ୱ ଓ କର୍ତ୍ତବ୍ୟ ।
ଗର୍ଭବତୀ ଥିବା ସମୟରେ ହିଁ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ସେମାନଙ୍କୁ ଅବଗତ କରାଇବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଅଫିସର ଖୁଲଣା ବାରିକ ଓ ଜ୍ୟୋତିର୍ମୟୀ ସାହୁ ମାନେ ମଧ୍ୟ ସ୍ତନ୍ୟପାନ ର ଉପାଦେୟତା ଓ ଏହା କିପରି ଶିଶୁକୁ ଜନ୍ମ ହେବା କ୍ଷଣି ଯେତେଶୀଘ୍ର ସମ୍ଭବ କରାଇଲେ, ଶିଶୁ ସୁସ୍ଥ ହେବା ସହ ତାର ଶାରୀରିକ ଓ ମାନସିକ ଅଭିବୃଦ୍ଧି ହୋଇଥାଏ ବୋଲି ବାର୍ତା ରଖିଥିଲେ ।
ଏହି ସଭାରେ ଜଗତସିଂହପୁର ଜିଲ୍ଲାର ବେସରକାରୀ ଚିକିତ୍ସାଳୟରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ନର୍ସିଂ ଅଫିସର, ସହରାଞ୍ଚଳ ଆଶାକର୍ମୀ, ଜିଲ୍ଲା ଚିକତ୍ସାଳୟର ମ୍ୟାନେଜର ଓ ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଏଥିରେ ଏକ କୁଇଜ ପ୍ରତିଯୋଗିତା କରାଯାଇ, ସଠିକ ଉତ୍ତର ଦେଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଡେପୁଟି ମ୍ୟାନେଜର ସନ୍ଧ୍ୟାରାଣୀ ପଣ୍ଡା ସଭା ପରିଚାଳନା କରିଥିବାବେଳେ ସହାୟକ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସୁବ୍ରତ କୁମାର ମହାପାତ୍ର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
