ବଡ଼ବିଲ ଆଇସିଆଇସିଆଇ ବ୍ୟାଙ୍କରେ ଜାଲିଆତି କରି ୪୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ବ୍ୟାଙ୍କର ପୂର୍ବତନ ରିଲେସନସିପ୍ ମ୍ୟାନେଜର ଓ ତାଙ୍କ ପିତା ଗିରଫ୍ ।

              ଜାଲ୍ ଦସ୍ତଖତ ଓ ଚେକ୍ ବହି ବ୍ୟବହାର କରି କରୁଥିଲେ ଟଙ୍କା ହଡ଼ପ୍ ।

ବଡ଼ବିଲ,୦୭/୦୮/୨୦୨୬ (ଓଡ଼ିଶା ସମାଚାର)- ବଡ଼ବିଲ ଆଇସିଆଇସିଆଇ ବ୍ୟାଙ୍କରୁ ଜାଲିଆତି କରି ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ପୋଲିସକୁ ବଡ଼ ସଫଳତା । ଜାଲ୍ ଦସ୍ତଖତ ଓ ନକଲି ଚେକ୍ ବହି ବ୍ୟବହାର କରି ଗ୍ରାହକଙ୍କ ଆକାଉଣ୍ଟରୁ ୪୨ ଲକ୍ଷ ଟଙ୍କା ହଡ଼ପ୍ କରିଥିବା ବ୍ୟାଙ୍କର ପୂର୍ବତନ ରିଲେସନସିପ୍ ମ୍ୟାନେଜର ଓ ତାଙ୍କ ପିତାଙ୍କୁ ଗିରଫ କରିଛି ବଡ଼ବିଲ ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବିଲ ମ୍ରିନାଲ୍ କଲୋନୀର ବାସିନ୍ଦା ଜସପ୍ରିତ ସିଂହ ଓରଫ୍ ଜସି ଏବଂ ତାଙ୍କ ପିତା ବିକ୍ରମ ସିଂହ।

ଗତ ମାର୍ଚ୍ଚ ୧୪ ତାରିଖରେ ମ୍ରିନାଲ୍ କଲୋନୀର ଅନୀତା ଅଗ୍ରୱାଲ ନାମକ ଜଣେ ମହିଳା ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ସେଭିଙ୍ଗସ୍ ଆକାଉଣ୍ଟରୁ ଜାଲ୍ ଦସ୍ତଖତ ଓ ନକଲି ଚେକ୍ ବହି ମାଧ୍ୟମରେ ପ୍ରାୟ ୧୬ ଲକ୍ଷ ଟଙ୍କା ହଡ଼ପ କରାଯାଇଥିଲା। ସେହିପରି ତାଙ୍କ ଅଜାଣତରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍‌ର ୨୦ ଲକ୍ଷ ଟଙ୍କାର ଜୀବନ ବୀମା ପଲିସିକୁ ସମୟ ପୂର୍ବରୁ ସେଟଲ୍ କରାଇ, ଦୁଇଟି କିସ୍ତିରେ ପ୍ରାୟ ୧୦ ଲକ୍ଷ ୩୪ ହଜାର ଟଙ୍କା ଉଠାଇ ନିଆଯାଇଥିଲା।

ତଦନ୍ତ ସମୟରେ ବ୍ୟାଙ୍କ ରେକର୍ଡ, ଖାତା ସମ୍ବନ୍ଧୀୟ ଦସ୍ତାବିଜ ଏବଂ କଲ୍ ଡିଟେଲ୍ ରେକର୍ଡ (CDR) ସମେତ ବିଭିନ୍ନ ଇଲେକ୍ଟ୍ରୋନିକ୍ ପ୍ରମାଣ ସଂଗ୍ରହ ଓ ଯାଞ୍ଚ କରିବା ପରେ ପୋଲିସ  ଜାଣିବାକୁ ପାଇଥିଲା ଯେ, ମୁଖ୍ୟ ଅଭିଯୁକ୍ତ ଜସପ୍ରିତ ସିଂହ ଓରଫ୍ ଜସି, ଆଇସିଆଇସିଆଇ ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ସମୟରେ ଗ୍ରାହକଙ୍କ ଦସ୍ତଖତ ଜାଲିଆତି କରିବା, ନକଲି ଫିକ୍ସଡ୍ ଡିପୋଜିଟ୍ (FD) ରସିଦ ପ୍ରଦାନ କରିବା, ପ୍ରକୃତ FDକୁ ସମୟ ପୂର୍ବରୁ ବନ୍ଦ କରିବା, ଅନୁମତି ବିନା ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ପରିବର୍ତ୍ତନ କରିବା, ଗ୍ରାହକଙ୍କ ଖାତାକୁ ବେଆଇନ ଭାବେ ପରିଚାଳନା କରିବା ଏବଂ ବିଭିନ୍ନ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଅର୍ଥ ସ୍ଥାନାନ୍ତର କରି ଏହି ଠକେଇ କାର୍ଯ୍ୟ କରୁଥିଲେ ।

ଜସପ୍ରିତ ଫେରାର୍ ହୋଇ ଲୁଚି ରହିଥିଲାବେଳେ, ପୋଲିସ ତାଙ୍କୁ କୋଲକାତାର ଆଲିପୁର ଥାନା ଠାକୁର ପୁଖୁର ଅଞ୍ଚଳରୁ ଗିରଫ୍ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଥିଲା । ପରେ ପଚରାଉଚରାରୁ ତାଙ୍କ ପିତା ବିକ୍ରମ ସିଂହଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା। ଏହାପରେ ପୋଲିସ ଚଢ଼ାଉ କରି ପିତା ବିକ୍ରମ ସିଂହଙ୍କୁ ତାଙ୍କ ବଡ଼ବିଲ ମ୍ରିନାଲ୍ କଲୋନୀ ସ୍ଥିତ ଘରୁ ଗିରଫ କରିଛି।

କେବଳ ଅନୀତା ଅଗ୍ରୱାଲ ନୁହନ୍ତି, ଅନ୍ୟ ୩ ଜଣ ଗ୍ରାହକ – ସତ୍ୟାନନ୍ଦ ମହାନ୍ତ, ବଚ୍ଚି ଦେବୀ ଓ ଦେବସ୍ମିତା ଜେନାଙ୍କ ଆକାଉଣ୍ଟରୁ ମଧ୍ୟ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।

ଅଭିଯୁକ୍ତ ପିତା-ପୁତ୍ରଙ୍କୁ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ରାକେଟ୍‌ରେ ବ୍ୟାଙ୍କର ଅନ୍ୟ କେଉଁ କର୍ମଚାରୀ ସାମିଲ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *