ଯାଜପୁର,୦୭/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଅଛି । ଜିଲ୍ଲପାଳ ଅମ୍ବର କୁମାର କର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବରିଷ୍ଠ ଅଧିକାରୀ ମାନେ ଘାଇ ମରାମତି କାର୍ଯ୍ୟ ତଦାରଖ କରୁଛନ୍ତି।ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁସାରେ, ଜିଲ୍ଲାର ଯାଜପୁର, କୋରେଇ, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର, ଧର୍ମଶାଳା ଏବଂ ବଡ଼ଚଣା ଭଳି ୮ଟି ବ୍ଲକ୍ ସହ ଯାଜପୁର ପୌରାଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ମୋଟ ୧୧୭ଟି ଗ୍ରାମପଞ୍ଚାୟତର ୪୦୩ଟି ଗାଁର ପ୍ରାୟ ୩,୯୭,୬୭୮ ଲୋକ ବନ୍ୟା କବଳରେ ପଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି। ଯାଜପୁର ବ୍ଲକ୍ରେ ପୂର୍ବରୁ ପଲିଥିନ୍ ପାଇବାରୁ ବଞ୍ଚିତ ହୋଇଥିବା ପରିବାରମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କିଟ୍ ବଣ୍ଟନ କରାଯାଇଛି। ସେହିପରି ବରୀ ବ୍ଲକ୍ର ବନ୍ୟା ପ୍ରଭାବିତ ଲୋକଙ୍କୁ ମଧ୍ୟ ବିଶେଷ ରିଲିଫ୍ କିଟ୍ ଯୋଗାଇ ଦିଆଯାଉଛି। ଅନ୍ୟପଟେ ବନ୍ୟା ପରବର୍ତ୍ତୀ ଜଳବାହିତ ରୋଗରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ଗାଁ ଗାଁରେ ମାଇକ୍ ଯୋଗେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ବିଶେଷ କରି ଅଗଭୀର ନଳକୂପ (Shallow Tubewell)ର ପାଣି ବ୍ୟବହାର ନକରିବା ଏବଂ ପାଣିକୁ ଭଲଭାବେ ଫୁଟାଇ ପିଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଲୋକଙ୍କ ସ୍ୱାସ୍ଥ୍ୟ ସେବା ଏବଂ ଗୃହପାଳିତ ପଶୁଙ୍କ ଚିକିତ୍ସା ପାଇଁ ୧୪ଟି ମେଡିକାଲ ଟିମ୍ ଓ ୮ଟି ପ୍ରାଣୀଚିକିତ୍ସକ ଟିମ୍ ନିୟୋଜିତ ଅଛନ୍ତି।
ଅନ୍ୟପଟେ ବନ୍ୟା ଜଳ କମିବା ସହ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଓ ବନ୍ଧଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଏପିଡି ଲମ୍ବୋଦର ଖୁଣ୍ଟିଆ,, ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ନୁଆବାଙ୍କ ଘାଇ ସ୍ଥଳ ପରିଦର୍ଶନ କରି ମରାମତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେହିପରି କାଣୀ ନଦୀର ଡାହାଣ ବନ୍ଧରେ ଅସ୍ଥାୟୀ ପୁନରୁଦ୍ଧାର କାମ ଜାରି ରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାଏକ, ଜଳସେଚନ ବିଭାଗର ଏସଡ଼ିଓ ଏବଂ କନିଷ୍ଠ ଯନ୍ତ୍ରୀ ଙ୍କ ଉପସ୍ଥିତିରେ ଡୋବାବିଲ ପାଟଣା ଘାଇ ମରାମତି କାର୍ଯ୍ୟର ନିରୀକ୍ଷଣ କରିଛନ୍ତି।

ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୫,୧୩୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି। ଏହାସହିତ ୪୨ଟି ଟ୍ରାନ୍ସଫର୍ମର ଓ ଏଲଟି ଲାଇନ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୫ଟି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଏବଂ ୬ଟି ସ୍ଥାନରେ ବନ୍ଧ ବାଟ ଦେଇ ଘାଇ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ବନ୍ୟା ପ୍ରତିରୋଧୀ ସାମଗ୍ରୀ ସଂଗ୍ରହ କରାଯାଉଛି ଏବଂ ଜଳ ସମ୍ପୂର୍ଣ୍ଣ ହ୍ରାସ ପାଇବା ମାତ୍ରେ ସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
