ଭକ୍ତି ବିନା ସାହସ ହେବ ନାହିଁ : ଗୁରୁଜୀ ଡ. ଶତପଥୀ
ଭୁବନେଶ୍ୱର,୧୦/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ‘ସାଇ ନିର୍ମାଲ୍ୟ’ ଓ ‘ସାଇକଥା ପବ୍ଲିକେଶନ୍ସ’ ପକ୍ଷରୁ ଗତକାଲି ଜୟଦେବ ଭବନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପାଞ୍ଚଟି ପୁସ୍ତକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।
ଏହି ଅବସରରେ ଉପସ୍ଥିତ ଭରପୂର ସମାବେଶକୁ ଉଦବୋଧନ ଦେଇ ଗୁରୁଜୀ ଡ. ଶତପଥୀ ପ୍ରକାଶିତ ପୁସ୍ତକ ଗୁଡ଼ିକ ଉପରେ ତାଙ୍କର ଅଭିବ୍ୟକ୍ତି ପ୍ରକାଶ କରି କହିଲେ ଯେ ଭକ୍ତିର ଶକ୍ତି ଅତୁଳନୀୟ । ଏହା ସଂସାରର ଭୟକୁ ଦୂର କରିଥାଏ । ଭକ୍ତି ବିନା ସାହସ ହେବ ନାହିଁ । ସନ୍ଥମାନେ କ୍ଲିଷ୍ଟତା ନୁହେଁ, ସରଳୀକରଣର ମାର୍ଗ ଦର୍ଶନ କରାଇଥାନ୍ତି ବୋଲି ଗୁରୁଜୀ କହିଥିଲେ ।
ବରିଷ୍ଠ ଆଇଏଏସ ଅଫିସର ଅମୂଲ୍ୟରତ୍ନ ନନ୍ଦଙ୍କ ପୁସ୍ତକ ‘ଅଧ୍ୟାତ୍ମ ରହସ୍ୟବାଦ ଓ ସଦଗୁରୁ ସାଇ’ ସତ୍ୟ ଖଡ୍ଗରାୟଙ୍କ ରଚିତ ପୁସ୍ତକ ‘ଶ୍ରୀଗୁରୁ ଭାଗବତ ମାହାତ୍ମ୍ୟ’, ଡ. ଅଭୟ କୁମାର ଦଳାଇଙ୍କ ରଚିତ ପୁସ୍ତକ ‘ପିଲାଙ୍କ ସାଇଲୀଳା’, ଜଗନ୍ନାଥ ମିଶ୍ରଙ୍କ ରଚିତ ପୁସ୍ତକ ‘ଶ୍ରୀଗୁରୁ ଚରିତ’ଏବଂ ଡ. ଦୀପା ପାଢ଼ୀଙ୍କ ପୁସ୍ତକ ଶ୍ରୀଗୁରୁ ଭାଗବତ : ଜ୍ଞାନ, ବିଜ୍ଞାନ ଓ ପ୍ରଜ୍ଞାନରଉତ୍ସବକୁ ଗୁରୁଜୀ ଉନ୍ମୋଚନ କରିଥିଲେ ।
ପ୍ରାରମ୍ଭରେ ସାଇ ନିର୍ମାଲ୍ୟ ଓ ସାଇକଥା ପବ୍ଲିକେଶନ୍ସର ମୁଖ୍ୟ ସତ୍ୟ ଖଡ୍ଗରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମସ୍ତ ଗ୍ରନ୍ଥର ରଚୟିତାମାନେ ନିଜ ନିଜ ଗ୍ରନ୍ଥ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କର ସାହିତ୍ୟ ସାଧନା ଏବଂ ଭକ୍ତି ସାହିତ୍ୟ ରଚନାରେ ତାଙ୍କର ପ୍ରେରଣାମାର୍ଗ ଉପରେ ଏକ ବୃତ ଚିତ୍ର ନୃତ୍ୟାଭିନୟ ମାଧ୍ୟମରେ ପରିବେଷଣ ହୋଇଥିଲା ।
ଏହି ଉତ୍ସବରେ ସମାଜର ବହୁ ବିଶିଷ୍ଟ ବ୍ୟକ୍ତି, ବିଚାରପତି, ବରିଷ୍ଠ ପ୍ରଶାସନିକ ଅଧିକାରୀ,ସାହିତି୍ୟକ, ବୁଦ୍ଧିଜୀବୀ, ବିଭିନ୍ନ ମନ୍ଦିରର ଟ୍ରଷ୍ଟି ଏବଂ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।
ସାଇକଥା ପବ୍ଲିକେଶନ୍ସ ପକ୍ଷରୁ ପାଞ୍ଚଟି ପୁସ୍ତକ ଉନ୍ମୋଚିତ
