ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ 

ଜଗତସିଂହପୁର, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ  ଜିଲ୍ଲାପାଳ  ଶ୍ରୀ ଲଗ୍ନଜିତ ରାଉତ ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସଚେତନତା ହିଁ ଦୁର୍ଘଟଣା ରୋକିବାରେ ଏକମାତ୍ର ମାଧ୍ୟମ ବୋଲି ଶ୍ରୀ ରାଉତ କହିଥିଲେ ଓ ଏଥିପାଇଁ  ସେ ପୋଲିସ ଓ ପରିବହନ ବିଭାଗ କୁ ଆହୁରି ସଜାଗ ହୋଇ ଆଇନ ର ଉପଯୋଗ ସହ ଆବଶ୍ୟକ ସ୍ଥଳେ ଆଇନ  ଅମାନ୍ୟକାରୀ ମାନଙ୍କ ପାଇଁ ଦଣ୍ଡ ବିଧାନ କରିବାକୁ ପରାମର୍ଶ ଦେଇଥିଲେ। ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା ଓ ଡ୍ରିଙ୍କ ଆଣ୍ଡ ଡ୍ରାଇଭ,ନାବାଳକ ମାନଙ୍କ ଗାଡି ଚାଳନା ଇତ୍ୟାଦି ସଂପ୍ରତି ଦୁର୍ଘଟଣାର ଏକ ପ୍ରମୁଖ କାରଣ । ତେଣୁ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ସ୍କୁଲ କଲେଜ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରି 18 ବର୍ଷ ରୁ ଉର୍ଦ୍ଧ୍ବ ବିନା ଲାଇସେନ୍ସ ରେ ଗାଡି ଚଳାଉଥିବା ପିଲାମାନଙ୍କୁ ଲାଇସେନ୍ସ ପାଇଁ ସଚେତନ କରିବା ଓ 18 ବର୍ଷ ରୁ କମ୍ ବୟସର ଗାଡି ଚଳାଉଥିବା ପିଲାମାନଙ୍କ ଅଭିଭାବକ ମାନଙ୍କୁ ସଚେତନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ପରାମର୍ଶ ଦେଇଥିଲେ । ସେହିପରି 40 ବର୍ଷ ରୁ ଉର୍ଦ୍ଧ୍ବ ପ୍ରତ୍ୟେକ ବ୍ୟକ୍ତି ଙ୍କର ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବା ପାଇଁ କହିଥିଲେ।ଏନ୍ ଏଚ୍ 5 ଏବଂ ଏନ୍ ଏଚ୍ 55 ରେ ସମସ୍ତ ହମ୍ପ ଉଠାଇ ଦିଆଯାଇଥିବା ବେଳେ ଭୂତମୁଣ୍ଡାଇ ରୁ ଅଠରବାଙ୍କୀ ରାସ୍ତାରେ ଭାରୀଯାନ ଚଳାଚଳ ର ସ୍ପୀଡ ଲିମିଟ କମ୍ କରାଯାଇଛି ଓ ଏଥିପାଇଁ ଭରତଡେଇଆ  (ଭୂତ ମୁଣ୍ଡାଇ )ନିକଟରେ ଅଟୋମେଟେଡ ଟେଷ୍ଟିଂ ଷ୍ଟେସନ (ATS) ର ଗଠନ ର ପ୍ରସ୍ତାବ ଦିଆଯାଇଛି ଯାହା ଗାଡି ମାନଙ୍କୁ ଟ୍ରାନ୍ସପୋର୍ଟ କମିଶନ, ଓଡିଶା, ଙ୍କର ଫିଟନେସ ପ୍ରମାଣପତ୍ର ପ୍ରଦାନ କରିବ ବୋଲି ସୂଚନା ଦେଇଥିଲେ ଆଞ୍ଚଳିକ ପରିବହନ ଅଧିକାରୀ। । ଭୂତମୁଣ୍ଡାଇ ରୁ ପାରାଦ୍ଵୀପ ରାସ୍ତା ରେ ଲୁହା ପଥର ବୋଝାଇ ଟ୍ରକ ଲାଇନ୍ ହୋଇ ରହିବା ପ୍ରମୁଖ ଦୁର୍ଘଟଣା ର କାରଣ ପାଲଟି ଥିବାରୁ ଚାଲାଣ ଚେକିଂ କରି ତାରିଖ ଅନୁସାରେ ଗାଡି ଛାଡିବା ପାଇଁ ପ୍ରସ୍ତାବ ଦେଇଥିଲେ ଟ୍ରକ୍ ମାଲିକ ସଂଘ। ରାସ୍ତାର ବ୍ଲାକ ସ୍ପଟ ଚିହ୍ନଟ ଏହାର ପ୍ରତିକାର, ରାସ୍ତା ପାର୍ଶ୍ଵବର୍ତ୍ତୀ ବୃକ୍ଷ ର ପେଣ୍ଟିଂ କରିବା,ନୋ ପାର୍କିଂ ଜୋନ ରେ ସାଇନବୋର୍ଡ ଲଗାଇବା,ଟ୍ରାଫିକ ମ୍ୟାନେଜମେଣ୍ଟ,ପୌରାଞ୍ଚଳ ରେ ବୁଲାପ୍ରାଣୀ ସମସ୍ୟା ,ରକ୍ଷକ କାର୍ଯ୍ୟକର୍ତ୍ତା ଙ୍କ ପ୍ରଶିକ୍ଷଣ, ବ୍ରିଜ୍ ଗୁଡିକ ର ଭାଙ୍ଗିଯାଇଥିବା ବାଡା ଗୁଡିକର ମରାମତି ଆଦି ବିଷୟ ରେ ଆଲୋଚନା କରାଯାଇଥିଲା।କଟକ -ପାରାଦ୍ବୀପ ରାସ୍ତା ରେ ଥିବା ରମ୍ବଲର ନିକଟରେ ପେଣ୍ଟିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ରାଉତ। ରାସ୍ତା କଡ଼ରେ ଥିବା ବିଦ୍ୟାଳୟ ଗୁଡିକୁ ଚିହ୍ନଟ ଏବଂ ଏହାର ଫାଟକ ନିର୍ମାଣ ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଠାରୁ ଅତିରିକ୍ତ ଜିଲ୍ଲାପାଳ ପଚାରି ବୁଝିଥିଲେ । ସଡକ ସୁରକ୍ଷା ସପ୍ତାହ ଦୁଇଥର ପାଳନ ହୋଇଯାଇଛି,  ଯାହା 11.01.23 ରୁ 17.01.23ଏବଂ 1.01.24 ରୁ 07.01.24 ପର୍ଯ୍ୟନ୍ତ ପାଳନ କରାଯାଇଛି। ଏହା ଅନ୍ତର୍ଗତ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ସହ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏବେ ଭାରତ ସରକାରଙ୍କ ପକ୍ଷରୁ 15.01.24 ରୁ 14.02.24 ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରାଯିବ। ଏଥିପାଇଁ My Bharat ପୋର୍ଟାଲ  ରେ https://mybharat.gov.in ରେ ଲଗ୍ ଇନ୍ କରି ଯୁବପିଢ଼ି ମାନେ ବିଭିନ୍ନ କୁଇଜ୍ ପ୍ରତିଯୋଗିତା ରେ ଭାଗ ନେଇପାରିବେ। ଏହି ଅନଲାଇନ କୁଇଜ୍ ରେ ଭାଗନେଇ ଅନଲାଇନ ପ୍ରମାଣ ପତ୍ର ପାଇପାରିବେ। ଏହି ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା ଯୋଗଦେଇ ଦୁର୍ଘଟଣାର କାରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ  ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଲା ତଥା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଏନ ଏଚ ଏ ଆଇ ର ଅଧୀକ୍ଷଣ ଯନ୍ତ୍ରୀ, ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ଉପସ୍ଥିତ ଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *