୪ ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସଂପର୍କରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନରଙ୍କ ପରାମର୍ଶ
ଅଭିଯୋଗର ସମାଧାନ ପାଇଁ “ସୁଭଦ୍ରା ଶିବିର” ଅନୁଷ୍ଠିତ ପାଇଁ ପ୍ରସ୍ତାବ
ଭୁବନେଶ୍ୱର,୨୬/୧୨/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ଉଦ୍ଦିଷ୍ଟ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ୨ୟ ପରିଚାଳନା କମିଟି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁଭଦ୍ରା ୪ର୍ଥପର୍ଯ୍ୟାୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରେରଣ ସଂପର୍କରେ ଆଲୋଚନା କରାଯାଇଥିଲା ।
ଯୋଜନା ଓ ସଂଯୋଜନ ବିଭାଗ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନସଚିବ ଶ୍ରୀମତୀ ଶୁଭା ଶର୍ମା,ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମନୀଷା ବାନାର୍ଜୀ,ମିଶନଶକ୍ତି ବିଭାଗ କମିଶନର ତଥା ଶାସନସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ସାଧାରଣ ପରିଚାଳକ, ଓକାକ୍ଶ୍ରୀ ପ୍ରଦୀପ ରାଉତଙ୍କ ସମେତ ସଂପୃକ୍ତ ବିଭାଗର ଅନ୍ୟ ପଦଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଅଧ୍ୟକ୍ଷତା କରି ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ ନିମନ୍ତେ ଚିହ୍ନଟ ଏବଂ ଦରଖାସ୍ତ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାକୁ ଆବଶ୍ୟକ ପରାମର୍ଶ ଏବଂ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶିକା‘ସୁଭଦ୍ରା’ର ପ୍ରଥମ କିସ୍ତି ର ଚତୁର୍ଥ ପର୍ଯ୍ୟାୟରେ କିପରି ଅଧିକରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅର୍ଥ ସେମାନଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇପାରିବ, ସେଥିପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ସଂପର୍କରେ ବିଶଦ ଭ।ବେ ଉପସ୍ଥାପନ କରିଥିଲେ। ସୁଭଦ୍ରା ହିତାଧିକାରୀଙ୍କ ର ଇ-କେଓ୍ୱାଇସି ଏବଂ ବ୍ୟାଙ୍କ ସମସ୍ୟାର ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନିଆଯାଉଥିବା ସହ ଏଥି ସଂପର୍କିତ ତଥ୍ୟ ବିଶ୍ଳେଷଣ ପାଇଁ କୃତ୍ରିମ ବୁଦ୍ଧିମତା ବା ଏଆଇ ର ବ୍ୟବହାର କରାଯିବ। ସୁଭଦ୍ରାର କାର୍ଯ୍ୟକାରିତା ସଂପର୍କିତ ସମକାଳୀନ ମୂଲ୍ୟାୟନ ପାଇଁ ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ଗୁଡ଼ିକର ସହଯୋଗ ନିଆଯିବା ସଂପର୍କରେ ଆଲୋଚନା କରାଯାଇଛି । ସେହିପରି ସୁଭଦ୍ରା ହିତାଧିକାରୀ ସହ ସମନ୍ଵୟ ରଖାଯାଇ ସେମାନଙ୍କର ଦକ୍ଷତା ବିକାଶ, ଆତ୍ମନିର୍ଭରଶୀଳତା ଉପାୟ ଏବଂ ସୁଭଦ୍ରା ସଂପର୍କିତ ଅଭିଯୋଗ ପାଇଁ“ସୁଭଦ୍ରା ଶିବିର” ଆୟୋଜନ କରାଯିବା ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।
-0-
ପଠାଣି ରାଉତ ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ