ମା’ ମଙ୍ଗଳା ପୀଠର ଉନ୍ନତିକରଣ ନେଇ ଉଚ୍ଚସ୍ତରୀୟ ବୈଠକ

ବିଜେସ୍ଥଳୀ ଓ ପାରିପାଶ୍ୱର୍କ ସୌନ୍ଦର୍ଯ୍ୟକରଣ ଉପରେ ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଗୁରୁତ୍ୱ

  • ପର୍ଯ୍ୟଟକଙ୍କ ମୌଳିକ ସୁବିଧାସୁଯୋଗ ଉପରେ ଗୁରୁତ୍ୱ
  • ରୋଷଘର, ପାର୍କିଂ ସ୍ଥଳୀ, ଭୋଗ ଦୋକାନ ଏବଂ ଐତିହ୍ୟ ଫାଟକ ନିର୍ମାଣ ନେଇ ଆଲୋଚନା

ଭୁବନେଶ୍ୱର,୦୪/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପୁରୀ ଜିଲ୍ଲା କାକଟପୁର, ମା’ମଙ୍ଗଳା ପୀଠର ସାମଗ୍ରିକ ଉନ୍ନତିକରଣ ନେଇ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମା’ମଙ୍ଗଳା ପୀଠର ବିଜେ ସ୍ଥଳୀ ଏବଂ ପାରିପାର୍ଶ୍ଵିକ ଅଞ୍ଚଳର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ମନ୍ଦିରର ମରାମତି, ରୋଷଗୃହ ନିର୍ମାଣ, ପାର୍କିଂ ସ୍ଥଳୀର ଉନ୍ନତିକରଣ, ସେବାୟତ ଭବନ ନିର୍ମାଣ, ଯାତ୍ରୀନିବାସ ଓ ଚନ୍ଦନ ଘାଟର ଆଧୁନିକୀକରଣ, ଭୋଗ ଦୋକାନ ଓ ଐତିହ୍ୟ ଗେଟ୍‌ ନିର୍ମାଣ ନେଇ ଆଲୋଚନା ହୋଇଥିଲା ।

ଏଥି ସହିତ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ସମନ୍ୱିତ ଉନ୍ନତିକରଣ ପ୍ରକଳ୍ପ, ବଣଭୋଜି ଜୋନ୍‌, ପ୍ରାଚୀନଦୀରେ ଐତିହ୍ୟ ଘାଟ ନିର୍ମାଣ, ସ୍ୱତନ୍ତ୍ର ସେତୁ ନିର୍ମାଣ, ଛୋଟପିଲାଙ୍କ ଲାଗି ପାର୍କ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ଓ ଜୋତାଷ୍ଟାଣ୍ଡ ନିର୍ମାଣ ଲାଗି ସର୍ଭେ କରି ରିପୋର୍ଟ ଦେବା ଲାଗି ଆଲୋଚନା ହୋଇଥିଲା ।

ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ ଆମ ଆସ୍ଥା ଓ ବିଶ୍ୱାସର ପ୍ରାଣକେନ୍ଦ୍ର କାକଟପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ମଙ୍ଗଳାଙ୍କ ମନ୍ଦିରର ସାମଗ୍ରିକ ବିକାଶ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ନତ ସୁବିଧା ସୁନିଶ୍ଚିତ କରିବା ଆମ ସରକାରଙ୍କ ପ୍ରାଥମିକତା ରହିଛି । ଏହାକୁ ଗୁରୁତ୍ୱ ଦେଇ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ପର୍ଯ୍ୟଟନ ଓ ଐତିହ୍ୟର ସମନ୍ୱିତ ବିକାଶ ଦ୍ୱାରା ରାଜ୍ୟର ଅର୍ଥନୀତି ଓ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବ ବୋଲି ସେ ଆଶାପ୍ରକାଶ କରିଥିଲେ ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମା’ମଙ୍ଗଳାଙ୍କ ପୀଠ ସମଗ୍ର ଓଡ଼ିଶାବାସୀଙ୍କ ସମେତ ଓଡ଼ିଶା ବାହାରର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭାବାବେଗ ସହ ଜଡ଼ିତ ବୋଲି ଉଲ୍ଲେଖ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୀଠର ଉନ୍ନତିକରଣ ଲାଗି ଏକ ସମ୍ପୂର୍ଣ୍ଣ ବିକାଶିତ ନକ୍ସା ପ୍ରସ୍ତୁତ କରି ସେପ୍ଟେମ୍ବର ଶେଷ ସୁଦ୍ଧା ବାକି ଥିବା କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ୍‌ ସାହା, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଦେବୋତ୍ତର କମିଶନର ଶ୍ରୀ ସତ୍ୟନାରାୟଣ ଷଡ଼ଙ୍ଗୀ, ଇଆଇସି ସିଭିଲ୍‌ ଇଂ ସତ୍ୟବ୍ରତ ବେହେରା, ଇଆଇସି ବିଲ୍‌ଡିଂ ଇଂ ପ୍ରିୟବ୍ରତ ସାମନ୍ତରାୟ ଓ ମୁଖ୍ୟଯନ୍ତ୍ରୀ ଇଂ ତି୍ରନାଥ ବେହେରାଙ୍କ ସମେତ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତସମୂହ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *