ଜଗତସିଂହପୁର, ୦୧/୦୮/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲାରେ ଚଳିତ ଲଗାଣ ବର୍ଷା ସହ ମହାନଦୀ , ଦେବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବିଭିନ୍ନ ବ୍ଲକର ଲୋକମାନେ ପ୍ରଭାବିତ ହେବା ସହ କୃଷି କ୍ଷେତ୍ର ଜଳ ପ୍ଳାବିତ ହୋଇଅଛି। ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ଜିଲ୍ଲାପାଳଶ୍ରୀ ଜେ ସୋନାଲ ଙ୍କ ସହ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟର ତଦାରଖ କରିଛନ୍ତି। 
ବନ୍ୟା ଜଳରେ ବହୁ ପଞ୍ଚାୟତ ଜଳବନ୍ଦୀ ରହିଥିବାରୁ, କେହି ଯେପରି ସହାୟତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଆଶ୍ରୟସ୍ଥଳୀ ରେ ଶୁଖିଲା ଖାଦ୍ୟ,ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ , ଔଷାଧ,ମହିଳା ଓ କିଶୋରୀ ମାନଙ୍କ ପାଇଁ ସାନିଟାରୀ ନ୍ୟାପକିନ୍ ଆଦି ପ୍ରଦାନ କରାଯାଉଛି । ମେଡିକାଲ ଟିମ୍ ଦ୍ୱାରା ବୃଦ୍ଧ ଓ ଅସୁସ୍ଥ ମାନଙ୍କର ସ୍ବାସ୍ଥ୍ଯ ପରୀକ୍ଷା କରାଯାଉଛି।ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କୃଷି ଓ ଉଦ୍ୟାନ କୃଷି ବିଭାଗ କ୍ଷୟ କ୍ଷତି ର ରିପୋର୍ଟ ଦେବାପରେ ଚାଷୀ ମାନେ ସରକାରୀ ସ୍ତରରେ କ୍ଷତିପୂରଣ ପାଇବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଆଗକୁ ଦେବୀ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ର ମୁକାବିଲା ପାଇଁ ପ୍ରଶାସନ ସମସ୍ତ ଵ୍ୟଵସ୍ଥା ସହ ସତର୍କ ଓ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ କହିଛନ୍ତି।ଜିଲ୍ଲାପାଳ ଙ୍କ ସହ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଆଜି ରଘୁନାଥପୁର, ତିର୍ତ୍ତୋଲ , କୁଜଙ୍ଗ ର ବିଭିନ୍ନ ବନ୍ୟା ପ୍ରଭାବିତ ପଞ୍ଚାୟତ ପରିଦର୍ଶନ କରିବା ସହ ନୋଡାଲ ଅଫିସର, ବ୍ଲକ୍ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅନ୍ୟ ଅଧିକାରୀଙ୍କ ସହ ସମୀକ୍ଷା କରି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଦାୟିତ୍ୱରେ ଥିବା ବରିଷ୍ଠ ପ୍ରାଶାସନିକ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଓ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ପ୍ରଭାଵିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ସମସ୍ତ ନଦୀ କୂଳିଆ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ନଦୀ ମଧ୍ୟରେ ସ୍ନାନ , ପହଁରିବା ଓ ମାଛ ଧରିବା ନିଷେଧ କରାଯାଇ ସତର୍କ ସୂଚନା ଲଗାଯାଇଛି।

ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଆଜି ଅପରାହ୍ନ ୫.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ସମୁଦାୟ ୧୭୩୪ ଜଣଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୩୫ ଟି ଫ୍ରି କିଚେନ ସେଣ୍ଟର ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।୩୬.୯୯ କ୍ୱିଣ୍ଟାଲ୍ ଚୁଡ଼ା, ୯.୭୫ କ୍ୱିଣ୍ଟାଲ୍ ଗୁଡ଼ ,୪୨୫ ଟି ପଲିଥିନ୍ ରୋଲ୍ ବଣ୍ଟା ସରିଛି। ୧୧ ଟି ମେଡିକାଲ ଟିମ୍ ନିୟୋଜିତ ହୋଇଥିବା ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସମୁଦାୟ ୩୫୪୭ ବଡ଼ ଓ ୧୭୯୪ ଛୋଟ ଗୃହପାଳିତ ପଶୁ, ୭୭୦ କୁକୁଡ଼ା ପ୍ରଭାବିତ ହୋଇଥିବା ବେଳେ ୪୧୯୦ ଗୃହପାଳିତ ପଶୁ ଙ୍କୁ vaccinated କରାଯାଇଛି।୨୫ ଟି ପଶୁ ଚିକିତ୍ସା ଶିବିର, ୮ ଟି ମୋବାଇଲ ୟୁନିଟ୍ ଦ୍ୱାରା ୧୧୯୪ ଟି ପଶୁଙ୍କ ଚିକିତ୍ସା କରାଯାଇଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
