ଯାଜପୁର,୩୦/୧୦/୨୦୨୬(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଜିଲ୍ଲା ପ୍ରଶାସନ (ଆର୍ଥିକ ସେବା ଏବଂ ସଞ୍ଚୟ ବିଭାଗ) ଆନୁକୂଲ୍ୟରେ “ବିଶ୍ୱ ମିତବ୍ୟୟିତା ଦିବସ-୨୦୨୬” ପାଳନ ଉପଲକ୍ଷେ ଏକ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ପ୍ରତିବର୍ଷ ଅକ୍ଟୋବର ୩୦ ତାରିଖରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଥାଏ। ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ଜାଗ୍ରତ କରିବା, ସଂଚିତ ଅର୍ଥର ସଠିକ୍ ବିନିଯୋଗ ଏବଂ ଭବିଷ୍ୟତର ସୁରକ୍ଷା ପାଇଁ କ୍ଷୁଦ୍ର ସଞ୍ଚୟର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଥିଲେ ଯେ, ଭବିଷ୍ୟତ ପନ୍ଥା ପାଇଁ କ୍ଷୁଦ୍ର ସଞ୍ଚୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଜିଲ୍ଲା ତୁଳନାରେ ଆମ ଜିଲ୍ଲାରେ କ୍ଷୁଦ୍ର ସଞ୍ଚୟ ଖାତା ସଂଖ୍ୟା ଜନସାଧାରଣଙ୍କ ସଞ୍ଚୟ ମନୋଭାବକୁ ଦର୍ଶାଇଥାଏ। ପିଲାମାନଙ୍କର ସୁନ୍ଦର ଭବିଷ୍ୟତ ପାଇଁ ଅଭିଭାବକମାନେ ଆରମ୍ଭରୁ ସଞ୍ଚୟ ଖାତା ଖୋଲିବା ଆବଶ୍ୟକ।
କଲେଜ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ, ନିଜର ଲକ୍ଷ୍ୟ ଓ ସ୍ୱପ୍ନ ବଡ଼ ରଖି ସେହି ଅନୁସାରେ ଯୋଜନା କଲେ ସଞ୍ଚୟ କରିବାକୁ ପ୍ରେରଣା ମିଳିବ। ଶାରଦୀୟ ଓ ଖରିଫ ଫସଲର ଅମଳ ସମୟରେ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରୁ ଆୟ ହେଉଥିବାରୁ ଏହି ସମୟରେ ବ୍ୟାଙ୍କ ସଞ୍ଚୟରେ ନିବେଶ କରିବା ଉଚିତ। ସାଧାରଣ ଜନତା, ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଅତ୍ୟନ୍ତ ଜରୁରୀ। ସଞ୍ଚୟ ଏଜେଣ୍ଟମାନଙ୍କର କାର୍ଯ୍ୟ କେବଳ ଏକ ପେଷା ନୁହେଁ, ବରଂ ଏହା ସମାଜ ପ୍ରତି ଏକ ବଡ଼ ସେବା ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।
ଏହି ସଭାରେ ବ୍ୟାଙ୍କର ସୀନିୟର ମ୍ୟାନେଜର ପଞ୍ଚାୟତ ସ୍ତରରେ ସଞ୍ଚୟ ଓ ଆର୍ଥିକ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାର ୩୧୧ଟି ଗ୍ରାମପଞ୍ଚାୟତ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୦ଟି ଗ୍ରାମପଞ୍ଚାୟତକୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ସରପଞ୍ଚମାନଙ୍କ ସହଯୋଗରେ ଗ୍ରାମାଞ୍ଚଳରେ ଶିବିର ମାଧ୍ୟମରେ ସାଇବର ଫ୍ରଡ୍ ଓ ଆର୍ଥିକ ଠକାମିରୁ ବର୍ତ୍ତିବା ପାଇଁ ସଚେତନ କରାଯାଉଛି। ଗ୍ରାମପଞ୍ଚାୟତ ସ୍ତରରେ ସରକାରଙ୍କ ସୁବିଧା ଅନୁଯାୟୀ ମାତ୍ର ୧୦୦ ଟଙ୍କାରେ ସଞ୍ଚୟ ଖାତା ଖୋଲାଯାଇପାରୁଛି। ଏତଦ୍ବ୍ୟତୀତ ୧୬ ରୁ ୨୯ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ପାଇଁ ‘ଯୁବ କନେକ୍ଟ’ ମାଧ୍ୟମରେ ଶିକ୍ଷା ଋଣ ସୁବିଧା, ସୁକନ୍ୟା ସମୃଦ୍ଧି ଯୋଜନା, କିଷାନ ଯୋଜନା ଏବଂ ଡାକଘର ମାସିକ ଆୟ ଯୋଜନା ଭଳି ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା।
ଏହି ବୈଠକରେ ଯାଜପୁର ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ରାଧାନାଥ ନାୟକ, ସହାୟକ ଡାକ ଅଧିକ୍ଷକ ଦେବଦତ୍ତ ଜେନା, ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ମ୍ୟାନେଜର ଚିତ୍ତରଞ୍ଜନ ପାଗଳ ଏବଂ ଜିଲ୍ଲା ଆର୍ଥିକ ସେବା ଏବଂ ସଞ୍ଚୟ ଅଧିକାରୀ ଅମ୍ବରୀଶ ସାମଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବ୍ୟାଙ୍କ ପ୍ରତିନିଧି ଓ କଲେଜ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
-0-
ଅଭିନାଶ ସାଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଯାଜପୁର ଙ୍କ ସୌଜନ୍ୟ ରୁ
