ଯାଜପୁର,୩୦/୧୦/୨୦୨୬(ଓଡ଼ିଶା ସମାଚାର)- ଗୁଜୁରାଟ, ବନାସକାଣ୍ଠା ଠାରେ ତା ୩୦.୧୦.୨୦୨୬ ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପି.ଏମ କିଷାନର ୨୪ ତମ କିସ୍ତି ଲୋକାର୍ପଣ ଉପଲକ୍ଷେ ତାହାର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ ସମାନ୍ତରାଳ ପି.ଏମ କିଷାନ ଉତ୍ସବ ଦିବସରେ ପ୍ରସାରିତ କରାଯାଇଥିଲା।
ଉକ୍ତ ସମାରୋହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଶିବାନନ୍ଦ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ କୃଷି ବିଜ୍ଞାନ କେନ୍ଦ୍ର, ସମ୍ମିଳନୀ କକ୍ଷ , ବଡ଼ଚଣାଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନୀୟ ଉପାଧ୍ୟକ୍ଷ,ଜିଲ୍ଲାପରିଷଦ, ଯାଜପୁର ଶ୍ରୀଯୁକ୍ତ ଗଣେଶ୍ୱର ବରାଳ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ ପ୍ରତିନିଧି, ମାନ୍ୟବର ସାଂସଦ, ଲୋକସଭା, ଯାଜପୁର ଶ୍ରୀ ରବୀନ୍ଦ୍ର ରାଉତ ଯୋଗଦାନ କରିଥିଲେ। ପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଯାଜପୁର ଶ୍ରୀ ଭାସ୍କର ଚନ୍ଦ୍ର ଦାସ ପି.ଏମ କିଷାନ ଏବଂ କ୍ଷେତ ବଚାଓ ଅଭିଯାନ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସଭାରେ ଉପସ୍ଥିତ ସମସ୍ତ ଅତିଥି ନିଜ ନିଜ ବକ୍ତବ୍ୟରେ ‘କ୍ଷେତ ବଚାଓ ଅଭିଯାନ’ ଉପରେ ଗୁରୁତ୍ୱାରୋପ କରିଥିଲେ। ମାଟିର ସ୍ୱାସ୍ଥ୍ୟ ଓ ଉର୍ବରତାର ସୁରକ୍ଷା ପାଇଁ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ହ୍ରାସ କରିବା ସହ ଜୈବିକ ସାର, କମ୍ପୋଷ୍ଟ ଓ ଭର୍ମି କମ୍ପୋଷ୍ଟ ବ୍ୟବହାର କରିବାକୁ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ମାଟିର ଗୁଣବତ୍ତା ବଜାୟ ରଖିବା ସହ ପରିବେଶ ଅନୁକୂଳ ଓ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଯାଜପୁର ଜିଲ୍ଲାର ମୋଟ ୧ ଲକ୍ଷ ୬୮ ହଜାର ୯୦୫ଜଣ କୃଷକ ଏହି ୨୪ ତମ କିସ୍ତିରେ ୨୦୦୦ ହିସାବରେ ପି.ଏମ କିଷାନ ସମ୍ମାନ ନିଧି ସହାୟତା ପ୍ରାପ୍ତ କରିଛନ୍ତି। ଉକ୍ତ ସଭାରେ ବରିଷ୍ଟ ବୈଜ୍ଞାନିକ ଏବଂ ମୁଖ୍ୟ ,କୃଷି ବିଜ୍ଞାନ କେନ୍ଦ୍ର, ବଡଚଣା ଡଃ ସୁନୀଲ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ଛାୟା ଉନ୍ନୟନ, ଯାଜପୁର, ତହସିଲଦାର, ଦର୍ପଣ, କୃଷି ଜିଲ୍ଲା ଅଧିକାରୀ ଧର୍ମଶାଳା ଓ ଯାଜପୁର ରୋଡ, ସମସ୍ତ ବୈଜ୍ଞାନିକ,ସମସ୍ତ ବ୍ଲକ୍ ସ୍ତରୀୟ ଓ ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ସମସ୍ତ ବ୍ଲକରୁ ମୋଟ ୧୫୦ ରୁ ଉର୍ଦ୍ଧ୍ୱ କୃଷକ ଓ କୃଷିଜୀବି ମହିଳାମାନେ ସଳଖ ପ୍ରସାରଣ ରେ ଦେଖିଥିଲେ। ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ର ବ୍ୟବସ୍ଥା ହୋଇଥିଲା ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
