ଘରୁ ବାହାରି ପାରୁନାହାନ୍ତି ୨୦ ପରିବାର
ସାଲେପୁର, ୨୮/୦୭/୨୦୨୬(ଓଡିଶା ସମାଚାର /ଅଭୟ ଜେନା )-ଲଘୁଚାପ ଜନିତ ବର୍ଷା ପାଣି ନିଷ୍କାସିତ ହୋଇ ନପାରିବାରୁ ପ୍ରାୟ ୫୦୦ଏକର ଚାଷଜମି ଜମି ଜଳମଗ୍ନ ହେବା ସହିତ ୨୦ ପରିବାର ଜଳ ବନ୍ଦୀ ହୋଇ ଘରୁ ବାହାରି ପାରୁ ନାହାନ୍ତି । ସାଲେପୁର ବ୍ଲକ ଅନ୍ତର୍ଗତ କେନ୍ଦ୍ରାପଡା କେନାଲ ର ଦକ୍ଷିଣ ପାର୍ଶ୍ଵରେ ଥିବା ତେନ୍ତୋଳ ପଞ୍ଚାୟତ କାଠାହାର ଗ୍ରାମରେ ଥିବା ୨୦ ପରିବାର ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଏହା ସଂଲଗ୍ନ ପ୍ରାୟ ୫୦୦ ଏକର ଚାଷଜମି ବର୍ଷା ପାଣିରେ ବୁଡି ରହିଛି।
ରାସ୍ତା ବୁଡି ଯିବାରୁ ଲୋକମାନେ ଘରୁ ବାହାରି ବାରେ ଅସୁବିଧା ହେଉଛି। ଛାତ୍ରଛାତ୍ରୀ ମାନେ ସ୍କୁଲ ଯାଇପାରୁ ନାହାନ୍ତି।ଯଦି କୌଣସି ଲୋକର ଦେହ ଖରାପ ହୁଏ ତେବେ ଡାକ୍ତରଖାନା ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ଚାଷଜମି ଜଳମଗ୍ନ ହେବାରୁ ବିଲରେ ଧାନ ତଳି ଗୁଡିକ ପଚି ନଷ୍ଟ ହୋଇଗଲାଣି। ଯାହା ଏବେ ଚାଷି ର ବର୍ଷକର ଆହାର ଓ ଆୟ କ୍ଷତିଗ୍ରସ୍ତ ହୋଇଥିବାରୁ ବିଲରେ ଧାନ ଚାଷ କରିଥିବା ଚାଷି ଏବେ ଚିନ୍ତାରେ ପଡିଛି।ଏଥିସହ ପାଟପୁର ଗହୀରରୁ ପାଣି ବିସରପୁର ଠାରେ କେନ୍ଦ୍ରାପଡା କେନାଲ ତଳେ ଥିବା ସୋଠ ବାଟେ ନିଷ୍କାସିତ ହୋଇଥାଏ।
ଏହି ସୋଠ ପର୍ଯ୍ୟନ୍ତ ଜଳ ନିଷ୍କାସନ ହେବା ପାଇଁ ପ୍ରତିବର୍ଷ ଜଳସେଚନ ବିଭାଗ ପକ୍ଷରୁ ସଫେଇ କରାଯାଇଥାଏ।କିନ୍ତୁ ଚଳିତ ବର୍ଷ ଏହି ସଫେଇ ହୋଇ ନଥିବା ରୁ ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। କିଛି ଲୋକମାନେ ନିଜ ଖର୍ଚ୍ଚରେ ମଟର ଲଗାଇ ପାଣି ବାହାରି କରିବା ପାଇଁ ଚେଷ୍ଟା କରୁଛନ୍ତି।କିନ୍ତୁ ଏହା ସବୁ ପାଣି କୁ ନିଷ୍କାସନ କରିବା ସମ୍ଭବ ନୁହେଁ।ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରି ଜଳ ନିଷ୍କାସନ ର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି।
