ଯାଜପୁର,୧୩/୦୭/୨୦୨୬ (ଓଡ଼ିଶା ସମାଚାର)-ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସାମାଜିକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ଧର୍ମଶାଳା ଷ୍ଟାଡିୟମ୍, ଜାରକା ଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଯାଜପୁର ସମେତ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ର ବ୍ଲକ ଫେଡେରେସନ ସଦସ୍ୟାଗଣ, ଧର୍ମଶାଳା ବିଧାନସଭା କ୍ଷେତ୍ରର କମ୍ୟୁନିଟି ସପୋର୍ଟ ଷ୍ଟାଫ, ଅଙ୍ଗନବାଡି କର୍ମୀ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଜିଲ୍ଲାର ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ଭାବେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଭିଜନ ସମ୍ମିଳନୀର ଆୟୋଜନ କରାଯାଇଛି। ସୁଭଦ୍ରା ଯୋଜନା ମହିଳାମାନଙ୍କୁ କେବଳ ଆର୍ଥିକ ସହାୟତା ଯୋଗାଇବାରେ ସୀମିତ ନୁହେଁ, ବରଂ ସେମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଦିଗରେ ଏକ ବୃହତ୍ ପଦକ୍ଷେପ।
ମିଶନ ଶକ୍ତି ମାଧ୍ୟମରେ ଅଧିକରୁ ଅଧିକ ମହିଳାଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ। ବିକଶିତ ଓଡ଼ିଶାରେ ପ୍ରତ୍ୟେକ ମହିଳା ଜଣେ ଉଦ୍ୟୋଗୀ ହେବେ । ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ସଫଳ ଯୋଜନା, ଯାହା ଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇ ପାରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ମହିଳାମାନଙ୍କ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି, ଯେଉଁଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ଏବଂ ସ୍ମାର୍ଟ ଆଇଡିଆ ଲଞ୍ଚ୍ କରି ବ୍ୟବସାୟ ପ୍ରତିଷ୍ଠା କରିବା ଅନ୍ତର୍ଭୁକ୍ତ ।

ସୁଭଦ୍ରା ଶକ୍ତି ମହିଳା ମାନଙ୍କ ପାଇଁ ବିଭିନ୍ନ ଉଦ୍ୟୋଗୀ କାମ
ଦିଆସିଲ, ଝାଡୁ, ଖଲି, ଧୂପ କାଠି, ସାବୁନ, ସେଣ୍ଟ ଇତ୍ୟାଦି ତିଆରି କରିବାକୁ ପରାମର୍ଶ ଦେଇଥିଲେ। ମହିଳା ମାନଙ୍କ ଦ୍ୱାରା ବନା ଯାଇଥିବା ସ୍ୱଦେଶୀ ହସ୍ତଶିଳ୍ପ ବିଦେଶରେ ପ୍ରଭାବ ପକାଇଛି। ମହିଳା ସଶକ୍ତିକରଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ୨୦୩୬ ମସିହା ପାଇଁ ଓଡ଼ିଶାକୁ ବିକଶିତ କରିବାକୁ ହେବ ବୋଲି କହିଥିଲେ।ବି.ଏଲ.ଏଫ୍ ଭଉଣୀ ମାନଙ୍କ ପାଇଁ ଇନ୍ସୁରାନ୍ସ ର ଆବଶ୍ୟକତା ଅଛି ବୋଲି କହିଥିଲେ। ଢେଙ୍କାନାଳର ଆମ୍ବ ଓ କାଜୁ କୁ ପ୍ରୋତ୍ସାହନ ଦେବା ନିମନ୍ତେ କହିଥିଲେ। 
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ବଡ଼ଚଣା ଶ୍ରୀ ଅମର କୁମାର ନାୟକ କହିଲେ ମହିଳାମାନେ ଆଗରୁ ସମାଜ ଆଖିରେ ଗୋଟେ ବୋଝ ହୋଇ ରହୁଥିଲେ। କିନ୍ତୁ ଆଜି ସେ ଦିନ ନାହିଁ ଆଜିର ମହିଳା ସଶକ୍ତ ଓ ଉଦ୍ୟୋଗୀ ବନି ପାରୁଛନ୍ତି।ସୁଭଦ୍ରା ଯୋଜନା’ କେବଳ ଏକ ଆର୍ଥିକ ସହାୟତା ନୁହେଁ, ଏହା ମା’ମାନଙ୍କ ଆତ୍ମସମ୍ମାନ ଓ ସ୍ୱାଭିମାନର ପ୍ରତୀକ। ଆମ ଓଡ଼ିଶାର ପ୍ରତିଟି ମା’ ଓ ଭଉଣୀଙ୍କ ଭିତରେ ଅସୀମ ସାମର୍ଥ୍ୟ ରହିଛି। ସେମାନଙ୍କୁ କେବଳ ସଠିକ୍ ସୁଯୋଗ ଓ ସହଯୋଗର ଆବଶ୍ୟକତା ଅଛି।
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ କହିଲେ ଆମ ଅଞ୍ଚଳର ପ୍ରତିଟି ମା’ ଓ ଭଉଣୀଙ୍କୁ ସଶକ୍ତ କରିବା ଆମର ସଂକଳ୍ପ।ସରକାରଙ୍କ ପ୍ରତିଟି ଯୋଜନା, ବିଶେଷ କରି ମହିଳା କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆମେ ପ୍ରତିବଦ୍ଧ।ବିଶେଷକରି ସୁଭଦ୍ରା ଯୋଜନା ଯେପରି ପ୍ରତି ଯୋଗ୍ୟ ମହିଳା ପାଇପାରିବେ, ସେଥିପାଇଁ ଆମେ ପ୍ରଶାସନ ସହ ମିଶି କାର୍ଯ୍ୟ କରୁଛୁ।
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ କୋରେଇ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ଯାଜପୁର ଶ୍ରୀ ଆକାଶ ଦାସନାୟକ କହିଲେ ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ସଫଳ ଯୋଜନା, ଯାହା ଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିଛନ୍ତି।
ମୂଜ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଦେବୀ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ,ଜିଲ୍ଲା ମିଶନ ଶକ୍ତି ବିଭାଗ ଜଏଣ୍ଟ ସେକ୍ରେଟାରୀ ମମତା ବାରିକ,ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ଶାସନ ସଚିବ,ଜିଲ୍ଲା ଓ ବ୍ଲକ୍ ରୁ ଆସିଥିବା ବି.ଏଲ.ଏଫ୍, ଏସ. ଏଚ.ଜି ମହିଳା, ବିଭାଗୀୟ ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।ପରିଶେଷରେ ଉପ ଜିଲ୍ଲାପାଳ, ଯାଜପୁର ଶ୍ରୀ ତାପସ ରଞ୍ଜନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
