୨୩୨ଏଟିଏମ୍ କାର୍ଡ, ୯ ମୋବାଇଲ ଜବତ
ଏଟିଏମ୍ କାର୍ଡ ବଦଳାଇ କରୁଥିଲେ ଲୁଟ୍
କେନ୍ଦୁଝର,୧୧/୦୭/୨୦୨୬ (ଓଡ଼ିଶା ସମାଚାର)-ଟେବୁଲ୍ ଉପରେ ତାସ ଭଳି ପଡ଼ିଥିବା ମାଳମାଳ କାର୍ଡ କୌଣସି ସାଧାରଣ କାର୍ଡ ନୁହେଁ । ଇଏ ହେଉଛି ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ । ଗୋଟିଏ କି ଦୁଇଟି ନୁହେଁ ଦୁଇଶହ ବତିଶଟି ଡେବିଟ ଓ କ୍ରେଡିଟ କାର୍ଡ ଜବତ କରିଛି ଟାଉନ ପୋଲିସ । ଏହି କାର୍ଡଗୁଡିକ ସାହାଯ୍ୟରେ ବୟସ୍କ ବୃଦ୍ଧ ଓ ବୃଦ୍ଧା ଏବଂ ନିରୀହ ସରଳ ଲୋକଙ୍କ ଏଟିଏମ୍ କାର୍ଡକୁ ବଦଳାଇ ଅନ୍ୟ ଏଟିଏମ୍ରୁ ଲୁଟ୍ ହେଉଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥଲା । ସେବେଠାରୁ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ପରେ ଜଣାପଡ଼ିଲା କଟକ ଜିଲା ନେମାଳର ବଳରାମ ସାହୁ ଏହି ଏଟିଏମ୍ ଲୁଟ୍ ଗ୍ୟାଙ୍ଗର ମୁଖ୍ୟ ଓ ୪ ଜଣ ମିଶି ଏହି ଗ୍ୟାଙ୍ଗକୁ ଚଳାଉଛନ୍ତି । ପୋଲିସ ନିଜର ସମସ୍ତ ସାମର୍ଥ୍ୟ ଲଗାଇ ଏହି ଗ୍ୟାଙ୍ଗର ସମସ୍ତଙ୍କୁ ଗିରଫ କରିବାର ସଫଳ ହୋଇଛି । ଏମାନେ ହେଲେ କଟକ ନେମାଳର ବଳରାମ ସାହୁ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟମାନେ ହେଲେ ମୃତୁ୍ୟଞ୍ଜୟ ମହାପାତ୍ର, ମାନସ ରଞ୍ଜନ ପାଣି ଓ କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ।
ଏମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଠକେଇ କରିଛନ୍ତି । ଏମାନଙ୍କ ନାଁ ରେ ରାଜ୍ୟର ବିଭିନ୍ନ ଥାନାରେ ଶହେରୁ ଉର୍ଦ୍ଧ୍ୱ ମାମଲା ରହିଛି । ଗିରଫ ସମୟରେ ଏମାନଙ୍କ ନିକଟରୁ ୨୩୨ଟି ଏଟିଏମ୍ କାର୍ଡ, ୯ଟି ମୋବାଇଲ, ୧୨ହଜାର ଟଙ୍କା ଓ ଏକ ମାରୁତି ଫୋନିକ୍ସ କାର୍ ଟାଉନ ପୋଲିସ ଜବତ କରିଥିବା ସଦର ଏସଡିପିଓ ସୁଦର୍ଶନ ଗାେଙ୍ଗାଇ ଏକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ।
