- ୩,୭୯୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ ଓଡ଼ିଶା ସରକାରଙ୍କ ଅନୁମୋଦନ
- ୧୪ଟି ଜିଲ୍ଲା ରେ୨୪ ଟି ପୁଞ୍ଜି ନିବେଶ ପ୍ରସ୍ତାବ କୁ ଅନୁମୋଦନ
- ସୃଷ୍ଟିହେବ୧୯,୯୨୪ଟି ନିଯୁକ୍ତି ସୁଯୋଗ
ଭୁବନେଶ୍ୱର,୦୬/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ସରକାର ଶିଳ୍ପାୟନ ଓ ଆର୍ଥିକ ବିକାଶ କ୍ଷେତ୍ରରେ ନିରନ୍ତର ଭାବେ ରହିଥିବା ଦୃଷ୍ଟିକୋଣକୁ କାର୍ଯ୍ୟାନୁଷ୍ଠାନ ରୂପ ଦେଇ ଅଗ୍ରଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୨୪ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।ଏହି ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ ରାଜ୍ୟରେ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୯,୯୨୪ଟି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅନୁମୋଦନ ଓଡ଼ିଶାର ଶିଳ୍ପ ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ନିଯୁକ୍ତିଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି।
ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ଇସ୍ପାତ ଓ ଧାତୁ-ଭିତ୍ତିକ ଡାଉନଷ୍ଟ୍ରିମ୍ଶିଳ୍ପ, ନବୀକରଣ ଯୋଗ୍ୟ ଶକ୍ତି, ଉନ୍ନତ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଓ ବୈଦ୍ୟୁତିକ ଯାନ ( ଇଭି) ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ପର୍ଯ୍ୟଟନ ଓ ଆତିଥେୟତା, ଭିତ୍ତିଭୂମି ଓ ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟା କରଣ, ଉପଭୋକ୍ତା ସାମଗ୍ରୀ, ରସାୟନ ଶିଳ୍ପ ଏବଂ ଉଦୀୟମାନ ପ୍ରଯୁକ୍ତି ଭଳି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି।ଏହା ରାଜ୍ୟର ବିବିଧ, ଭବିଷ୍ୟତ ମୁଖୀ ଏବଂ ଦୃଢ ଶିଳ୍ପରଣନୀତିକୁ ପ୍ରତିଫଳିତ କରୁଛି ।ଏହି ପ୍ରକଳ୍ପ ଗୁଡ଼ିକ ଖୋର୍ଦ୍ଧା, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର, ପୁରୀ, କଟକ, ସୁନ୍ଦରଗଡ଼, ଗଞ୍ଜାମ, ଜଗତସିଂହପୁର ଏବଂ ମୟୂରଭଞ୍ଜ ସମେତ ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ।ଏହା ମାଧ୍ୟମରେ ଆଞ୍ଚଳିକ ସନ୍ତୁଳିତ ଶିଳ୍ପବିକାଶକୁ ପ୍ରୋତ୍ସାହନ ମିଳିବାସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।
ପ୍ରମୁଖ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ, ଶକ୍ତି ସଞ୍ଚୟ ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ, ସିଇଏସସି ଗ୍ରିନ୍ ପାଓ୍ୱାର ଲିଃ, ଯିଏକି ଢେଙ୍କାନାଳ ଜିଲ୍ଲାରେ ₹୬୮୩.୮୩ କୋଟି ଟଙ୍କାର ବିନିଯୋଗରେ ଏକ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ସିଷ୍ଟମ୍ପ୍ରକଳ୍ପ ସ୍ଥାପନ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୧୫୩ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଓଡ଼ିଶାର ବିକାଶଶୀଳ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପରିବେଶକୁ ଆହୁରି ସୁଦୃଢ଼ କରିବ।ସେହିପରି, ଏଭିପି ଷ୍ଟାର ପ୍ରା.ଲିଃ. ଖୋର୍ଦ୍ଧା ଜିଲ୍ଲାରେ ₹୫୦୦ କୋଟି ଟଙ୍କାର ବିନିଯୋଗରେ ଏକ ଲ୍ୟାବ୍-ଗ୍ରୋନ୍ଡାଇମଣ୍ଡ (ହୀରା) ଉତ୍ପାଦନକାରଖାନା ସ୍ଥାପନ କରିବ। ଏହି ପ୍ରକଳ୍ପ ଦ୍ୱାରା ୫୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ବସ୍ତ୍ର ଓ ପୋଷାକ ଶିଳ୍ପ କ୍ଷେତ୍ରରେ, ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରା.ଲିଃ. ଖୋର୍ଦ୍ଧା ଜିଲ୍ଲାରେ ₹୧୬୮.୬୪ କୋଟି ଟଙ୍କାର ବିନିଯୋଗରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହା ମାଧ୍ୟମରେ ୧୦,୩୦୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ଏହି ଅନୁମୋଦନ ପର୍ଯ୍ୟାୟରେ ସର୍ବାଧିକ ନିଯୁକ୍ତି ସୃଷ୍ଟିକାରୀ ପ୍ରକଳ୍ପ ଭାବେ ପରିଗଣିତ ହୋଇଛି । ସେହିପରି, ସାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିଃ. ସମ୍ବଲପୁର ଜିଲ୍ଲାରେ ₹୧୪୫.୫୦ କୋଟି ଟଙ୍କାର ବିନିଯୋଗରେ ଏକ ନିଟେଡ୍ ଗାର୍ମେଣ୍ଟସ୍ (ବୁଣା ପୋଷାକ) ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୧,୮୪୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଏହା ବ୍ୟତୀତ, ମା’ ତାରାତାରିଣୀ ଟେକ୍ସଟାଇଲ୍ ପାର୍କ ପ୍ରା. ଲିଃ. ଗଞ୍ଜାମ ଜିଲ୍ଲାରେ ₹୭୦ କୋଟି ଟଙ୍କାର ବିନିଯୋଗରେ ଏକ ସମନ୍ୱିତ ବସ୍ତ୍ର ଶିଳ୍ପ ପ୍ରକଳ୍ପ ବିକଶିତ କରିବ, ଯାହା ମାଧ୍ୟମରେ ୩୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଏକାଧିକ ପ୍ରିମିୟମ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସ୍ୱସ୍ତି ପ୍ରିମିୟମ ଲିମିଟେଡ୍ କୋରାପୁଟ ଜିଲ୍ଲାରେ ₹୨୫୦ କୋଟି ଟଙ୍କାର ବିନିଯୋଗରେ ଏକ ପଞ୍ଚତାରକା (୫-ଷ୍ଟାର) ରିସୋର୍ଟ ସ୍ଥାପନ କରିବ, ଯାହା ଦ୍ୱାରା ୪୮୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି, ଏସ୍ଏନ୍ଏମ୍ ହୋଟେଲ୍ ଆଣ୍ଡ ରିସୋର୍ଟ ପ୍ରା.ଲି. କୋରାପୁଟରେ ₹୧୩୩.୩୪ କୋଟି ଟଙ୍କାର ବିନିଯୋଗରେ ଏକ ରିସର୍ଟ ସ୍ଥାପନ କରି ୧୭୩ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଶ୍ରୀ ଇକୋ ରିସେର୍ଟ କେନ୍ଦୁଝର ଜିଲ୍ଲାରେ ₹୧୦୫.୬୦ କୋଟି ଟଙ୍କାର ବିନିଯୋଗରେ ଏକ ଇକୋ-ରିସର୍ଟ ଓ ଜଳ ମନୋରଞ୍ଜନ ପାର୍କସ୍ଥାପନ କରିବ, ଯାହା ଦ୍ୱାରା ୨୪୦ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶୈଳବାଳା ଇନଫ୍ରାଷ୍ଟ୍ରକ୍ଚର ପ୍ରା.ଲି. ପୁରୀ ଜିଲ୍ଲାରେ ₹୯୨.୮୦ କୋଟି ଟଙ୍କାର ବିନିଯୋଗରେ ଏକ ରିସର୍ଟ ସ୍ଥାପନ କରି ୧୭୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସୂର୍ଯ୍ୟୋ ଉଦ୍ୟୋଗ ଲିଃ. ଜଗତସିଂହପୁର ଜିଲ୍ଲାରେ ₹୭୦ କୋଟି ଟଙ୍କାର ବିନିଯୋଗରେ ଏକ ଚାରିତାରକା (୪-ଷ୍ଟାର) ହୋଟେଲ ସ୍ଥାପନ କରିବ, ଯାହା ଦ୍ୱାରା ୨୪୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।“ପ୍ରତ୍ୟକ୍ଷ ହୋଟେଲ ଆଣ୍ଡ ରିସୋର୍ଟ ପ୍ରା. ଲି.”କୋରାପୁଟରେ ₹୭୦ କୋଟି ଟଙ୍କାର ବିନିଯୋଗରେ ଏକ ରିସର୍ଟ ସ୍ଥାପନ କରି ୧୭୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଲେହର୍ସ ଏକ୍ସପୋର୍ଟସ୍ ସର୍ଭିସେସେ ପ୍ରା.ଲି. ସୁନ୍ଦରଗଡ଼ ଜିଲ୍ଲାରେ ₹୬୦ କୋଟି ଟଙ୍କାର ବିନିଯୋଗରେ ଏକ ରିସର୍ଟ ସ୍ଥାପନ କରି ୨୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।ଏହା ବ୍ୟତୀତ ପ୍ରାଚୀ ଏଣ୍ଟରପ୍ରାଇଜର୍ସ ମୟୂରଭଞ୍ଜ ଜିଲ୍ଲାରେ ₹୫୨ କୋଟି ଟଙ୍କାର ବିନିଯୋଗରେ ଏକ ଇକୋ-ରିସର୍ଟ ଓ ଜଳ ମନୋରଞ୍ଜନ ପାର୍କ ସ୍ଥାପନ କରିବ, ଯାହା ଦ୍ୱାରା ୧୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଏହି ସମସ୍ତ ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ସୁଦୃଢ଼ କରିବା ସହ ରାଜ୍ୟକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ି ତୋଳିବ।
ଇସ୍ପାତ, ଧାତୁ-ଭିତ୍ତିକ ଡାଉନଷ୍ଟ୍ରିମ୍ ଏବଂ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ, ଜେଏସଡବ୍ଲୁ ସିଭରଫିଲ୍ଡସ୍ ଷ୍ଟ୍ରକ୍ଚର୍ସ ଲି. ଯାଜପୁର ଜିଲ୍ଲାରେ ₹୨୧୫ କୋଟି ଟଙ୍କାର ବିନିଯୋଗରେ ଏକ ଇସ୍ପାତ ଫ୍ୟାବ୍ରିକେସନ୍ ୟୁନିଟ୍ ସ୍ଥାପନ କରିବ। ଏହା ଦ୍ୱାରା ୧୪୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି, କୋଶାଲ ସେରାମିକ୍ସ ପ୍ରା.ଲି. ଝାରସୁଗୁଡ଼ା ଜିଲ୍ଲାରେ ₹୨୭୫.୦୭ କୋଟି ଟଙ୍କାର ବିନିଯୋଗରେ ରିଫ୍ରାକ୍ଟୋରି ଇଟା ଏବଂ ମୋନୋଲିଥିକ୍ ଉତ୍ପାଦନ କାରଖାନାର ସମ୍ପ୍ରସାରଣ କରିବ, ଯାହା ଦ୍ୱାରା ୧,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନଭିରୋକେୟାର ଇନଫ୍ରାସଲ୍ୟୁସନ ପ୍ରା.ଲି. ସୁନ୍ଦରଗଡ଼ ଜିଲ୍ଲାରେ ₹୮୧ କୋଟି ଟଙ୍କାର ବିନିଯୋଗରେ ରଙ୍ଗ-ଆବୃତ ଇସ୍ପାତ ସିଟ୍, ଜିଆଇ ସିଟ୍ ଏବଂ ଷ୍ଟ୍ରକ୍ଚରାଲ୍ କମ୍ପୋନେଣ୍ଟସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଏହାଛଡ଼ା,‘ବିଷ୍ଣୁ ଷ୍ଟିଲ’ ଖୋର୍ଦ୍ଧା ଜିଲ୍ଲାରେ ₹୫୧.୮୩ କୋଟି ଟଙ୍କାର ବିନିଯୋଗରେ ଏକ ଷ୍ଟେନଲେସ୍ ଷ୍ଟିଲ୍ ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୯୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଲଜିଷ୍ଟିକ୍ସ ଓ ଭିତ୍ତିଭୂମି କ୍ଷେତ୍ରରେ, ଏମ ଏସ ଇନଫ୍ରା ଇଂଜିନିୟର୍ସ ପ୍ରା. ଲି. ସମ୍ବଲପୁର ଜିଲ୍ଲାରେ ₹୧୧୨.୫୨ କୋଟି ଟଙ୍କା ବିନିଯୋଗରେ ଏକ ଗୋଦାମ ଗୃହ ସହଲଜିଷ୍ଟିକ୍ପାର୍କ ସ୍ଥାପନ କରିବ। ଏହି ପ୍ରକଳ୍ପ ଦ୍ୱାରା ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଯେତେବେଳେ କି ଇନେକ୍ସ ଇକୋ ଲଡିଷ୍ଟିକ୍ସ ବଲାଙ୍ଗୀର ଜିଲ୍ଲାରେ ₹୧୦୩.୨୦ କୋଟି ଟଙ୍କାର ବିନିଯୋଗରେ ମଧ୍ୟଲଜିଷ୍ଟିକ୍ ଏବଂ ଗୋଦାମଭିତ୍ତିଭୂମି ବିକାଶ କରିବ ଏବଂ ଏହା ଦ୍ୱାରା ୨୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପ କ୍ଷେତ୍ର ପାଇଁ ସଂଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଯୋଗାଣ ଶୃଙ୍ଖଳା (ସପ୍ଲାଏ ଚେନ୍ ) ର କାର୍ଯ୍ୟଦକ୍ଷତା ଓ ଦକ୍ଷ ପରିଚାଳନା ବୃଦ୍ଧି କରିବ।
ଉପଭୋକ୍ତା ସାମଗ୍ରୀ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଉଦୀୟମାନ ଉତ୍ପାଦନ କ୍ଷେତ୍ରରେ, ହିନ୍ଦୁସ୍ଥାନ କୋକା-କୋଲା ବିଭରେଜେସ୍ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ₹୩୦୦ କୋଟି ଟଙ୍କାର ବିନିଯୋଗରେ ଏହାର ଏରେଟେଡ୍ ଡ୍ରିଙ୍କ୍ସ (କାର୍ବୋନେଟେଡ୍ ପାନୀୟ) ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ କରିବ। ଏହା ଦ୍ୱାରା ୯୯୦ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି, ଜୟ ଭବାନୀ ଫୁଡ୍ ପ୍ରା.ଲି. କଟକ ଜିଲ୍ଲାରେ ₹୯୨ କୋଟି ଟଙ୍କାର ବିନିଯୋଗରେ ଏକ ବାର୍ ସୋପ୍ (ସାବୁନ୍ ଖଣ୍ଡ) ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୩୦୦ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଲିଥ୍ରୋସ୍ ବ୍ୟାଟେରିଜ୍ ଇଣ୍ଡିଆ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ₹୬୦ କୋଟି ଟଙ୍କା ବିନିଯୋଗରେ ବୈଦ୍ୟୁତିକ ଯାନବ୍ୟାଟେରି ଏବଂ ଇନଭର୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନକରିବ। ଏହି ପ୍ରକଳ୍ପ ମାଧ୍ୟମରେ ୩୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଜସ୍ପର ଇକୋ ପ୍ରଡକ୍ଟ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ₹୫୧ କୋଟି ଟଙ୍କାର ବିନିଯୋଗରେ ଏକ କୋରୁଗେଟେଡ୍ ବକ୍ସ (ପ୍ୟାକେଜିଂ ପାଇଁ ବ୍ୟବହୃତ ହେଉଥିବା କାର୍ଟୁନ୍ ବାକ୍ସ) ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୧୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଏହାଛଡ଼ା, ଏକାଂଶ ଆଗ୍ରୋ ଫୁଡ୍ ପ୍ରଡକ୍ଟସ୍ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ₹୫୦ କୋଟି ଟଙ୍କାର ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୩୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଶିଳ୍ପ ଭିତ୍ତିକୁ ଆହୁରି ସୁଦୃଢ଼ କରିବ ।
ଏହି ୨୪ଟି ପ୍ରକଳ୍ପ ମିଳିତ ଭାବେ ରାଜ୍ୟରେ ₹୩,୭୯୩.୩୩ କୋଟି ଟଙ୍କାର ମୋଟ ପୁଞ୍ଜିନିବେଶ ଏବଂ ୧୯,୯୨୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ପୂର୍ବ ଭାରତରେ ଏକ ଉଚ୍ଚ-ସମ୍ଭାବନାମୟ ନିବେଶ ଗନ୍ତବ୍ୟସ୍ଥଳୀ ଭାବେ ଓଡ଼ିଶାର ସ୍ଥାନକୁ ଆହୁରି ସୁଦୃଢ଼ କରିଛି।ପର୍ଯ୍ୟଟନ, ବସ୍ତ୍ର ଓ ପୋଷାକ, ଉନ୍ନତ ଉତ୍ପାଦନ, ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ, ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଉପଭୋକ୍ତା ସାମଗ୍ରୀ ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ବିବିଧତା ସହିତ ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପାୟନକୁ ନୂତନ ଦିଗ ପ୍ରଦାନ କରୁଛି। ଏହା ମାଧ୍ୟମରେ ଓଡ଼ିଶା ଏକ ଦୃଢ, ସଶକ୍ତ ଏବଂ ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପରିବେଶ ଗଠନ ଦିଗରେ ନିରନ୍ତର ଭାବେ ଅଗ୍ରସର ହେଉଛି।ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ସମୟବଦ୍ଧ ଏବଂ ସମନ୍ୱିତ ଅନୁମୋଦନ ପ୍ରଦାନ ସହ ନିବେଶକ ମାନଙ୍କୁ ସକ୍ରିୟ ସହାୟତା ଯୋଗାଇ ବ୍ୟବସାୟ କରିବାର ସୁବିଧା ( ଇଜ୍ ଅଫ୍ ଡୁଇଂ ବିଜନେସ୍ ) କୁ ଆହୁରି ସୁଦୃଢ଼ କରୁଛି । ଏହା ଫଳରେ ନିବେଶ ପ୍ରସ୍ତାବଗୁଡ଼ିକ ଦ୍ରୁତ ଗତିରେ ବାସ୍ତବ ପ୍ରକଳ୍ପରେ ପରିଣତ ହୋଇପାରୁଛି।
ବିକଶିତ ଓଡ଼ିଶା-୨୦୩୬ର ଦୀର୍ଘମିଆଦୀ ଦୃଷ୍ଟିକୋଣ ସହ ସାମଞ୍ଜସ୍ୟ ରଖି ଏହି ଅନୁମୋଦନଗୁଡ଼ିକ ରୋଜଗାର-ଭିତ୍ତିକ ଆର୍ଥିକ ଅଭିବୃଦ୍ଧି, ନିରନ୍ତର ଶିଳ୍ପାୟନ ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ବାସ୍ତବ ରୂପାୟନ କରୁଛି।
-0-
ପଠାଣି ରାଉତ, ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
