କଟକ,୦୮/୦୭/୨୦୨୬ (ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରରୁ ଆସନ୍ତାକାଲି (୯ ଜୁଲାଇ) ବନ୍ୟାଜଳ ନିଷ୍କାସନ ହେବାକୁ ଥିବାରୁ କଟକ ଜିଲାରେ କୁତ୍ରିମ ବନ୍ୟା ଏବଂ ନଦୀ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତିର ସୁରକ୍ଷା ସହିତ କୌଣସି ଅଘଟଣକୁ ଏଡ଼ାଇବା ଉଦ୍ଧେଶ୍ୟରେ ଜିଲାପାଳ ତଥା ଜିଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ)ର ଅଧ୍ୟକ୍ଷ ଦତାତ୍ରେୟ ଭାଉସାହେବ ଶିନ୍ଦେ, ବିପର୍ଯ୍ୟୟ ପରିଚାଳନା ଆଇନ–୨୦୦୫ର ଧାରା–୩୪ ଅନୁଯାୟୀ ବିଭିନ୍ନ କଟକଣା ଜାରି କରିଛନ୍ତି ।
ଜାରି ହୋଇଥିବା ଆଦେଶ ଅନୁଯାୟୀ ମହାନଦୀ ଏବଂ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା ଓ ଅନ୍ୟ କୌଣସି ମନୋରଞ୍ଜନମୂଳକ କିମ୍ବା ବ୍ୟବସାୟିକ କାର୍ଯ୍ୟକଳାପ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ର୍ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । କଟକ ମହାନଗର ନିଗମ (କେଏମସି) କମିଶନର ଏବଂ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନଦୀ ଘାଟଗୁଡ଼ିକରେ ମାଇକ୍ ଯୋଗେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ନିରନ୍ତର ତଦାରଖ ପାଇଁ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ସମ୍ପୃକ୍ତ ଥାନାର ସମସ୍ତ ଥାନା ଅଧିକାରୀ (ଆଇଆଇସି) ଏବଂ ପୁଲିସ ପାଟ୍ରୋଲିଂ ଟିମ୍ କୁ ଏହି କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ଲୋକଙ୍କୁ ନଦୀ ଘାଟକୁ ଯିବାରୁ ବାରଣ କରିବାକୁ କୁହାଯାଇଛି ।
ଏଥିସହ ଜିଲାର ସମସ୍ତ ବାଲିଘାଟ ମାନଙ୍କର କାର୍ଯ୍ୟକଳାପ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ମହାନଦୀ ଏବଂ ଏହାର ଉପନଦୀ ଉପରେ ଥିବା ସମସ୍ତ ସେତୁ, ବ୍ୟାରେଜ (ମୁଣ୍ଡଳି ଓ ଯୋବ୍ରା ସମେତ) ଏବଂ ନଦୀବନ୍ଧ ଉପରେ ବନ୍ୟାଜଳ ଦେଖିବା, ସେଲ୍ଫି ନେବା, ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉଦ୍ଧେଶ୍ୟରେ ଭିଡ଼ ଜମାଇବା, ବୁଲାବୁଲି କରିବା କିମ୍ବା ବିପଦପୂର୍ଣ୍ଣ ଭାବେ ନଦୀକୂଳ ନିକଟକୁ ଯିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୫୧ରୁ ୬୦ ଏବଂ ପ୍ରଯୁଜ୍ୟ ଅନ୍ୟାନ୍ୟ ଆଇନ ଅନୁଯାୟୀ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି ।
