ହୀରାକୁଦ ଡ଼୍ୟାମ ରୁ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ   ନିଷ୍କାସନ ଆରମ୍ଭ

ସମ୍ବଲପୁର,୦୯/୦୭/୨୦୨୬ (ଓଡ଼ିଶା ସମାଚାର)-  ହୀରାକୁଦ ନଦୀବନ୍ଧରେ ଜଳସ୍ତର ବୃଦ୍ଧି ପାଉଥିବା ରୁ ପୂର୍ବ ଘୋଷଣା ମୁତାବକ ଆଜି ଗୁରୁବାର ପୂର୍ବାହ୍ନ ୧୧ଟା ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପରମ୍ପରା ଅନୁସାରେ, ପୂଜାପାଠ ପରେ ଜଳସମ୍ପଦ ବିଭାଗ ର ନିଷ୍ପତ୍ତି ଅନୁସାରେ, ପ୍ରଥମେ ୭ ନମ୍ବର ଫାଟକ  ଓ ପରେ କ୍ରମାନ୍ବୟରେ ୪ଟି ଗେଟ୍‌ (ବାମ ୦୩ + ଡାହାଣ ୦୧)ଖୋଲା ଯାଇଛି। ମୋଟ ୪ଟି ସ୍ଲୁଇସ୍ ଗେଟ୍ ରେ ୧ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି।

ତେବେ ଜଳପ୍ରବେଶ କ୍ରମଶଃ ହ୍ରାସ ପାଉଛି। ବର୍ଷା ହେଉନଥିବା ହେତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଛି। ନଦୀବନ୍ଧରେ ବନ୍ୟାଜଳ ନିଷ୍କାସନକୁ ନେଇ ପୂର୍ବରୁ ମହାନଦୀ ତଟବର୍ତ୍ତୀ ଜିଲାର ଜିଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲା। ସେହିପରି, ବୁର୍ଲା, ସମ୍ବଲପୁର ଅଞ୍ଚଳରେ ମାଇକ୍ ଜରିଆରେ ମହାନଦୀ ମଧ୍ୟକୁ ପ୍ରବେଶ ନ କରିବା ପାଇଁ ସତର୍କ କରାଯାଇଛି।ତେବେ ଉପର ମୁଣ୍ଡରେ ବର୍ତ୍ତମାନ ବର୍ଷାର ପରିମାଣ କମ ଥିବାରୁ ଏବଂ ମୁଣ୍ଡଳୀଠାରେ ଜଳସ୍ତର ହ୍ରାସ ପାଇଛି। ତେଣୁ ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ହୀରାକୁଦ ମୁଖ୍ୟ ବନ୍ଧ ତଥା ଅପର ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ଈଂ. ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ଆଗକୁ ସନ୍ଧ୍ୟା ସୁଦ୍ଧା ପରିସ୍ଥିତିକୁ ଦେଖି ଆଉ ୫ଟି ଗେଟ ଖୋଲାଯାଇପାରେ, ଯାହାଦ୍ୱାରା ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ କରାଯିବ। ଏହି ବନ୍ୟା ଜଳ ସମ୍ବଲପୁର ଦେଇ ମୁଣ୍ଡଳୀରେ ପହଞ୍ଚିବା ପାଇଁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ ଏବଂ ସେତେବେଳକୁ ସେଠାରେ ଜଳସ୍ତର ଯଥେଷ୍ଟ କମି ଯାଇଥିବାରୁ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *