ସିନେକି୍ରଟିକ୍ ର ‘ଲତା ନାଇଟ୍ -୨୦୨୫’

ଲତା ଥିଲେ ସଂଗୀତର କାଳଜୟୀ ସ୍ରଷ୍ଟା
ଭୁବନେଶ୍ୱର,୦୬/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭାରତର ଅଗ୍ରଗଣ୍ୟା କଣ୍ଠଶିଳ୍ପୀ, ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମେଙ୍ଗସକର ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏକ ମନୋଜ୍ଞ ସଂଗୀତ ସନ୍ଧ୍ୟାରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍, ‘ସଂସ୍କୃତି ଓ ସଂସ୍କୃତି’ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ‘ଲତା ନାଇଟ୍-୨୦୨୫’ ଶୀର୍ଷକ ଏହି ଉତ୍ସବରେ ରାଜ୍ୟ ବହୁ ଜଣାଶୁଣା ସଂଗୀତଜ୍ଞ ସୁଲଳିତ କଣ୍ଠରେ ଲତାଙ୍କ ଲୋକପ୍ରିୟ ସଂଗୀତ ଗୁଡ଼ିକ ପରିବେଷଣ କରି ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ଶିକ୍ଷାବିତ୍ ଡ. ସୌରେନ୍ଦ୍ର କୁମାର ମହାପାତ୍ର ଓ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଅତିଥି ରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ । ବକ୍ତାମାନେ ସ୍ୱର ସାମ୍ରାଜ୍ଞୀ ଲତାଙ୍କ ସଂଗୀତ ଯୁଗେ ଯୁଗେ କାଳଜୟୀ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ୨୦୨୫ ବର୍ଷ ପାଇଁ ଲତା ପ୍ରତିଭା ସମ୍ମାନ ରୀତିକା ରିମ୍ ଝିମ୍ ଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ‘ଲତା ନାଇଟ୍- ୨୦୨୫’ ସଂଗୀତ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ଛନ୍ଦା ମିଶ୍ର, ପ୍ରତିଭା ପ୍ରଧାନ, ଅବନ୍ତିକା ପଟ୍ଟନାୟକ, ସାଇପ୍ରଜ୍ଞା, ବିଜୟଲକ୍ଷ୍ମୀ, ଆଶିଷ ପ୍ରଧାନ, ଆଶିଷ ଦତ, ଦେବାଂଶୀ ନାୟକ, ଇପ୍ସିତା ମହାନ୍ତି, ରୀତିକା ରିମ୍ ଝିମ୍, ସିଦ୍ଧାନ୍ତ ଶତପଥି, ଅତୁଲ୍ୟ ଚମ୍ପତିରାୟ ପ୍ରମୁଖ ସୁଲଳିତ କଣ୍ଠରେ ଲତାଙ୍କ ଲୋକପ୍ରିୟ ସଂଗୀତ ପରିବେଷଣ କରିଥିଲେ । ଉଦୀୟମାନ ଭାଓଲିନ୍ ବାଦକ ରାକେଶ ବିଶ୍ୱାଳ ଭାଓଲିନ୍ ମାଧ୍ୟମରେ ଲତାଙ୍କ ସଂଗୀତର ସ୍ୱର ବାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁଲସନ୍ ନଦୀମ୍ ସଂଯୋଜନା କରିଥିବା ସ୍ଥଳେ ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ରୁଦ୍ର ପ୍ରସନ୍ନ ନାୟକ, ରବୀନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଲୁଟୁ ମହାନ୍ତି ଓ ମଂଟୁ ସିଂହ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *