ଜଗତସିଂହପୁର,୦୩/୦୭/୨୦୨୬ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।
ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୪ ଗୋଟି ବିଭାଗ ଯଥା: ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଦୁଇଗୋଟି ବିଭାଗ ଯଥା: କନିଷ୍ଠ ବର୍ଗ (‘କ’) ଓ ବରିଷ୍ଠ ବର୍ଗ (‘ଖ’) ରେ ଅନୁଷ୍ଠିତ ହୋଇଥିଲା। ‘କ’ ବିଭାଗରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜଗତସିଂହପୁରର ଷଷ୍ଠ ଶ୍ରେଣୀ ଛାତ୍ରୀ ଦିବ୍ୟାଂଶୀ ନାୟକ ବକ୍ତୃତାରେ, ନରେନ୍ଦ୍ରନାଥ ଉ.ପ୍ରା. ବିଦ୍ୟାଳୟ, ପୁନଙ୍ଗ ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରଣତୀ ଭୋଇ ପ୍ରବନ୍ଧରେ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଚାଷୀଖଣ୍ଡର ସପ୍ତମ ଶ୍ରେଣୀର ଛାତ୍ରୀ ଭୂମିଜା ରଥ କବିତା ଆବୃତ୍ତିରେ, ସରକାରୀ ଉ.ପ୍ରା. ବିଦ୍ୟାଳୟ, ଆଶ୍ରମପଟଣାର ସପ୍ତମ ଶ୍ରେଣୀ ଛାତ୍ର ଓମକାର ଦାଶ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ‘ଖ’ ବିଭାଗରେ ଗାଦିବ୍ରହ୍ମ ବିଦ୍ୟାପୀଠ, କାଦୁଆପଡାର ଦଶମ ଶ୍ରେଣୀ ଛାତ୍ର ଭକ୍ତିପ୍ରସାଦ ପରିଡା ବକ୍ତୃତାରେ, ସରକାରୀ ଉଚ୍ଚ ବିଦ୍ୟାଳୟ, ଆମ୍ବଶାଳର ଦଶମ ଶ୍ରେଣୀର ଛାତ୍ରୀ ସମୀକ୍ଷା ରାଉତ ପ୍ରବନ୍ଧରେ, ଓଡିଶା ଆଦର୍ଶ ବିଦ୍ୟାଳୟ, କୋରକରାର ଅଷ୍ଟମ ଶ୍ରେଣୀ ଛାତ୍ରୀ ମୌସିମ୍ ମହାନ୍ତି କବିତା ଆବୃତ୍ତିରେ, ବଟବିହାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ପାଟେଣୀଗାଁର ଦଶମ ଶ୍ରେଣୀ ଛାତ୍ର ପ୍ରତୀକ ଗୌରବ ନାୟକ, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ଆସନ୍ତା ତା.୧୨.୦୭.୨୦୨୬ରିଖ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ତା.୧୯.୦୭.୨୦୨୬ରିଖ ଦିନ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଠାରେ ଏକତ୍ରିତ ହେବା ସହ ପୁନଶ୍ଚ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।
ଏହି ପ୍ରତିଯୋଗିତା ରେ ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଓଡିଶା ସାହିତ୍ୟ ଏକାଡ଼େମୀର ସ୍ଵନକ୍ଷତ୍ର ଦିବସ ତା.୨୫.୦୭.୨୦୨୬ ରିଖ ଦିନ ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ । ଆଜି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଶ୍ରୀ ସୁକାନ୍ତ କିଶୋର ରାୟ, ଶ୍ରୀ ନିକୁଞ୍ଜ କିଶୋର ବେହେରା, ଡଃ ଜ୍ୟୋତିର୍ମୟୀ ମହାନ୍ତି, ଶ୍ରୀ ନଗେନ ପଣ୍ଡା, ଶ୍ରୀ ବିଜୟ କୁମାର ରଥ, ଶ୍ରୀ ସାଗରମୟ ସ୍ଵାଇଁ, ଶ୍ରୀ କୈଳାଶ ଚନ୍ଦ୍ର ପରିଡା, ଶ୍ରୀ ଉମାକାନ୍ତ ନାୟକ, ଶ୍ରୀ ଶରତ ଚନ୍ଦ୍ର ବାରିକ, ଶ୍ରୀ ପ୍ରତାପ କେଶରୀ ମହାପାତ୍ର, ଶ୍ରୀ ଅତୁଲ ବିକ୍ରମ ପ୍ରଧାନ ଓ ଶ୍ରୀ ସୁକାନ୍ତ କୁମାର ଲେଙ୍କା ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତା ଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀ ସମ୍ବିତ କୁମାର ରାଉତ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଆପାତକାଳୀନ ବିଭାଗର ଡେପୁଟୀ କଲେକ୍ଟର, ଅନିଶା ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।
