ମୁଖ୍ୟ ଶାସନ ସଚିବଙ୍କ ସ୍ଵତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଭାବେ ପିନାକୀ ପଟନାୟକଙ୍କ କାର୍ଯ୍ୟଭାର ଗ୍ରହଣ

ଭୁବନେଶ୍ୱର, ୦୨/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଲୋକସେବା ଭବନ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷଠାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ତଥା ସ୍ୱାଗତ ସମାରୋହ ଆୟୋଜିତ ହୋଇଯାଇଛି ।  

                   ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଶ୍ରୀ କଲ୍ୟାଣ କୁମାର ରଥ ଙ୍କ ସରକାରୀ ସେବାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ ସହ ନବନିଯୁକ୍ତ ସ୍ଵତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପିନାକୀ ପଟନାୟକଙ୍କୁ ସ୍ୱାଗତ କରାଯାଇଛି ।  

                   ଶ୍ରୀଯୁକ୍ତ ରଥ ଦୀର୍ଘ ବର୍ଷ ଧରି ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରଶାସନିକ ଦାୟିତ୍ୱ ସଫଳତାର ସହ ନିର୍ବାହ କରିବା ପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଭାବେ ମଇ ୨୦୨୩ ଠାରୁ କାର୍ଯ୍ୟରତ ଥିଲେ । ସରକାରୀ ସେବାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପରେ ସେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

                   ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଗଣ ଶ୍ରୀ ରଥଙ୍କ ନେତୃତ୍ୱ, ଦୂରଦର୍ଶିତା ଏବଂ ଉଚ୍ଚକୋଟୀର ସମନ୍ୱୟ କ୍ଷମତାକୁ ଭୂୟସୀ ପ୍ରଶଂସା କରିବା ସହ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନାକୁ ସେ ଅଧିକ ସୁଦୃଢ଼ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ଶ୍ରୀ ରଥଙ୍କ ନୂତନ ଦାୟିତ୍ୱ ସଫଳ ଓ ଗୌରବମୟ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ ।

            ସେହିପରି, ଆଜିଠାରୁ ମୁଖ୍ୟ ଶାସନ ସଚିବଙ୍କ ନୂତନ ଓଏସଡି ଭାବେ ଯୋଗଦାନ କରିଥିବା ପିନାକୀ ପଟନାୟକଙ୍କୁ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସାଦର ସ୍ୱାଗତ କରାଯାଇଥିଲା । ଉପସ୍ଥିତ ଅଧିକାରୀମାନେ ଶ୍ରୀ ପଟନାୟକଙ୍କୁ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଥିଲେ । ଶ୍ରୀ ପଟନାୟକ ସମ୍ପ୍ରତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଅତିରିକ୍ତ ଶାସନ ସଚିବ ଏବଂ ଓଡ଼ିଶା ସ୍କିଲ୍ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷଙ୍କ ଓଏସଡି ଭାବେ କାର୍ଯ୍ୟରତ ଥିଲେ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଶ୍ରୀ ଦେବେନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।       

-0-                                                                         

 ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *