ସମ୍ବିଧାନ ଦିବସ ପାଳିତ

ଜଗତସିଂହପୁର ,୨୮/୧୧/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ଜିଲ୍ଲା ଅଦାଲତର ସମ୍ମିଳନୀ ସଭାଗୃହରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଚିବ ବିଡିଡି ଚନ୍ଦନା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାଷ୍ଟଟ୍ରାକ ଅଦାଲତର ଅତିରିକ୍ତ ଜିଲ୍ଲା ଜଜ ଏସ୍.ଏ.କେ.ଜେଡ୍ ଯାହିରା ଅହମଦ, ପୋକ୍ସୋ ଅଦାଲତର ଅତିରିକ୍ତ ଜିଲ୍ଲା ଜଜ ଗାର୍ଗୀ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ପ୍ରସନ୍ନ ମହାନ୍ତି, ସରକାରୀ ଓକିଲ ସଲିଲ ଘୋଷ, ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ଵିତୀ ମହାନ୍ତି, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ନୀଳିମା ପଣ୍ଡା, ମହିଳା ଅଦାଲତ ବିଚାରପତି ସ୍ଵପ୍ନାଶ୍ରୀ ନାୟକ, ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ଏସ୍.ଡି.ଜେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ପରୀକ୍ଷାନିବିଷ ଅଧିକାରୀ ଶ୍ରୀୟଙ୍କ ଦାଶ, ଆଇନଜୀବୀ ଏବଂ ଅଦାଲତର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଜିଲ୍ଲା ଜଜ୍ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତୀୟ ସମ୍ବିଧାନ ହେଉଛି ଏକ ସର୍ବ ବୃହତ ଲିଖିତ ସମ୍ବିଧାନ । ଏହାକୁ ଡ୍ରାଫଟିଙ୍ଗ୍ କମିଟି ଦ୍ଵାରା ଲେଖାଯାଇଥିଲା ଯାହାର ଅଧ୍ୟକ୍ଷ୍ୟ ଥିଲେ ଡ଼ ଭୀମ ରାଓ ଆମ୍ବେଦକର । ଭାରତୀୟ ସମ୍ବିଧାନକୁ ଲେଖିବା ପାଇଁ ୨ ବର୍ଷ ୧୧ ମାସ ଏବଂ ୧୮ ଦିନର ସମୟ ଲାଗିଥିଲା । ୧୯୪୯ ମସିହା ନଭେମ୍ବର ମାସ ୯ ତାରିଖରେ ସମ୍ବିଧାନକୁ ଗ୍ରହଣ କରାଯାଇଥିବା ବେଳେ ୧୯୫୦ ମସିହା ଜାନୁୟାରୀ ମାସ ୨୬ ତାରିଖରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ପ୍ରଥମେ ନଭେମ୍ବର ମାସ ୯ ତାରିଖକୁ ଆଇନ ଦିବସ ଭାବେ ପାଳନ କରଯାଇଥିଲା । କିନ୍ତୁ ୨୦୧୫ ମସିହାରୁ ଏହାକୁ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ସରକାର ଘୋଷଣା କରିଥିଲେ ବୋଲି ଜିଲ୍ଲା ଜଜ୍ କହିଥିଲେ । ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ପଣ୍ଡା ଅତୀତରେ ଭାରତୀୟ ସମ୍ବିଧାନରେ ହୋଇଥିବା ବିଭିନ୍ନ ସଂଶୋଧନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।

ସେହାପରି ଅନ୍ୟତମ ବକ୍ତା ଭାବେ ମହିଳା ଅଦାଲତ ବିଚାରପତି ଶ୍ରୀମତୀ ନାୟକ ମୌଳିକ କର୍ତ୍ତବ୍ୟ, ଦଇତ୍ଵ, ସାମ୍ବିଧାନିକ ସଭା, ସାମାଜିକ ସୁରକ୍ଷା, ସାମାଜିକ ଗୁରୁତ୍ୱ, ସାମାଜିକ ନ୍ୟାୟ ବିଷୟରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ । ସରକାରୀ ଓକିଲ ଶ୍ରୀ ଘୋଷ ଭାରତୀୟ ସମ୍ବିଧାନର ମୌଳିକ ଗଠନ, ସମ୍ବିଧାନର ଧାରା ୨୨୬, ୨୨୭ ଏବଂ ୩୨ ସମ୍ପର୍କରେ ଆଲୋକପାତ କରିଥିଲେ ।

 ଏସ୍.ଡି.ଜେ.ଏମ୍ ଶ୍ରୀ ଚାନ୍ଦ ଭାରତୀୟ ସମ୍ବିଧାନର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *