ଜିଲ୍ଲାସ୍ତରୀୟ ଜନସମ୍ମିଳନୀ ତଥା ଭି.ବି-ଜୀ ରାମ ଜୀ (ବିକଶିତ ଭାରତ ଜୀ ରାମ ଜୀ )ର ଶୁଭାରମ୍ଭ

ଜଗତସିଂହପୁର,୦୨/୦୭/୨୦୨୬ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନ ସମ୍ମିଳନୀ ତଥା ଭି. ବି-ଜୀ ରାମ ଜୀ (ବିକଶିତ ଭାରତ-ଜୀ ରାମ ଜୀ )ର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ସମଗ୍ର ଭାରତ ବର୍ଷରେ ଆଜି ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ୧ ଜୁଲାଇ ୨୦୨୬ ଠାରୁ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଲାଗୁ ହେଉଥିବା ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ଯ ଗ୍ରାମୀଣ ପରିବାରକୁ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ଆଇନଗତ ମଜୁରୀ ଭିତ୍ତିକ ନିଯୁକ୍ତିର ଗ୍ୟାରେଣ୍ଟି ପ୍ରଦାନ କରାଯିବା ସହ ଦୈନିକ ମଜୁରୀ ବାବଦକୁ ୩୦୦ଟଙ୍କା ପ୍ରଦାନ କରାଯିବ । ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି ।

ପଞ୍ଚାୟତ ସ୍ତରରେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଗୁଡିକୁ ଗ୍ରହଣ କଲେ ଗ୍ରାମାଞ୍ଚଳର ଉନ୍ନତି ହେବା ସହ ପଞ୍ଚାୟତର ଆର୍ଥିକ ବିକାଶ ହୋଇ ପାରିବ । ଜଳ ସୁରକ୍ଷା , ମୂଳ ଗ୍ରାମୀଣ ଭିତ୍ତିଭୂମିର ବିକାଶ, ଜୀବିକା ସମ୍ବନ୍ଧୀୟ ଭିତ୍ତିଭୂମି ସୃଷ୍ଟି ଏବଂ ଚରମ ପାଣିପାଗ ବିପର୍ଯ୍ୟୟ ପ୍ରଶମନ ମାଧ୍ୟମରେ ସଶକ୍ତ ଓ ସମୃଦ୍ଧ ଗ୍ରାମ ଗଠନ କରିବା ଏହି ଯୋଜନାର ଲକ୍ଷ୍ୟ । ସମସ୍ତଙ୍କର ସହଭାଗିତା ରହିଲେ ଏହି ଯୋଜନା ନିଶ୍ଚିତ ଫଳପ୍ରଦ ହୋଇ ପାରିବ । ସୁଦୃଢ ପଞ୍ଚାୟତ ଗଠନ ପାଇଁ ସୁଦୃଢ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ତରାଇ ପ୍ରକାଶ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦର ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ଭି .ବି -ଜୀ ରାମ ଜୀ ଯୋଜନାରେ ୧୦୦ ଦିନର କାମ ପରିବର୍ତ୍ତେ ୧୨୫ ଦିନ କାମ ଯୋଗାଇ ଦିଆଯିବ ।

ଏହି ଯୋଜନାରେ ୩୧୮ଗୋଟି କାମକୁ ସାମିଲ କରାଯାଇଛି । ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ସମସ୍ତ ଯୋଜନାର ସମନ୍ୱୟ ରଖି କାର୍ଯ୍ୟ କଲେ ପଞ୍ଚାୟତର ଅର୍ଥନୈତିକ ବିକାଶ ହୋଇ ପାରିବ । ନୂତନ ଭାବେ ପ୍ରଣୟନ ହୋଇଥିବା ଭି.ବି -ଜୀ ରାମ ଜୀର ଗାଇଡ ଲାଇନ୍ ଅନୁଯାଇ କାମ କରିବାକୁ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ ଯୋଗଦେଇ କହିଲେ ଆଜି ହେଉଛି ଏକ ଐତିହାସିକ ଦିନ । ଆଜିଠାରୁ ପଞ୍ଚାୟତ ସ୍ତରରେ ଏହି ଯୋଜନାକୁ ଲାଗୁ କରାଯାଇ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇ ପାରିବ । ଗ୍ରାମସଭା ଦ୍ୱାରା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା କାର୍ଯ୍ୟକାରୀ କରାଯାଇ ଗ୍ରାମାଞ୍ଚଳର ଲୋକ ମାନଙ୍କର ଆର୍ଥିକ ବ୍ୟବସ୍ଥାକୁ ସଶକ୍ତ ଓ ସୁଦୃଢ କରାଯାଇପାରିବ ।ଏହି ଯୋଜନାରେ ଠିକ୍ ସମୟରେ ଶ୍ରମିକ ମାନଙ୍କୁ ମଜୁରୀ ପ୍ରଦାନ କରାଯିବା ସହ ବିଳମ୍ବ ପାଇଁ କ୍ଷତି ପୂରଣ ବ୍ୟବସ୍ଥା ରହିଛି । ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରସ୍ତୁତି ଓ ଏହାର ସଫଳ ରୂପାୟନ କରାଯାଇ ପାରିବ। ଏହି ଉତ୍ସବରେ ଅତିରିକ୍ତ ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ମଲ୍ଲିକ ଯୋଗ ଦେଇ କହିଲେ ଜୁଲାଇ ୧ ତାରିଖଠାରୁ ଏହି ଯୋଜନା ସାରା ଦେଶରେ ଆରମ୍ଭ ହୋଇ ଆଜି ତାହାର ଶୁଭାରମ୍ଭ କରାଯାଇଛି ।

ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଥିବା ଅସୁବିଧା ଗୁଡିକ ଏହି ଭି. ବି -ଜୀ ରାମ ଜୀ ଯୋଜନାରେ ସଂଶୋଧନ କରାଯାଇଛି । ରାଜ୍ୟ ସରକାରଙ୍କ ୪୦% ଏବଂ କେନ୍ଦ୍ର ସରକାରଙ୍କର ୬୦% ଅଂଶଧନରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ବେରୋଜଗାରୀ ଭତ୍ତା ପାଇଁ ଦୃଢ଼ ପଦକ୍ଷେପ ନିଆଯାଇପାରିବ । ଗ୍ରାମାଞ୍ଚଳରେ ନିଶ୍ଚିତ ମଜୁରୀ ଭିତ୍ତିକ ରୋଜଗାର ସୃଷ୍ଟି କରାଯାଇ ପାରିବ ।ଏହି ଉତ୍ସବକୁ ଭି.ବି -ଜୀ ରାମ ଜୀ ର ଜିଲ୍ଲା ସଂଯୋଜକ ମଧୁସ୍ମିତା ବିଶ୍ୱାଳ ପରିଚାଳନା କରିଥିଲେ । ଉତ୍ସବରେ ଭି.ବି -ଜୀ ରାମ ଜୀ ର ଲୋକପାଳ ଶ୍ରୀ ଶିବପ୍ରସାଦ ପତି ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବରୁ ୧୦୦ ଦିନର କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଥିବା ଶ୍ରମିକମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଶେଷରେ ଏରସମା ବି.ଡ଼ି.ଓ ଶ୍ରୀ ଦାଶରଥି ଜେନା ଏହି ଯୋଜନାରେ ନିଜର ଅଭିଜ୍ଞତା ତଥା ଅନୁଭୂତି ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀବୃନ୍ଦ,ଡେପୁଟି ସି.ଇ.ଓ ORMAS ମଧୁସ୍ମିତା ସାହୁ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ,ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *