ଜଗତସିଂହପୁର, ୦୨/୦୭/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲାରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପଦକ୍ଷେପ ନିଆଯାଇଛି।
ମତଦାନ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିବା ପାଇଁ ପ୍ରଶାସନ ପକ୍ଷରୁ ବୁଥ୍ ସଂସ୍କାର କାର୍ଯ୍ୟ କରାଯାଇଛି। ବର୍ତ୍ତମାନର ୧୦୫୧ ଟି ବୁଥ୍ ସଂଖ୍ୟାରେ ୧୭୫ ଟି ନୂଆ ବୁଥ୍ ଯୋଗ କରାଯାଇ ମୋଟ ସଂଖ୍ୟା ୧,୨୨୬ କୁ ବୃଦ୍ଧି କରାଯାଇଛି।
ଜିଲ୍ଲାର ସମସ୍ତ ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂଆ ବୁଥ୍ ଯୋଗ କରାଯାଇଛି, ସେଗୁଡିକ ହେଉଛି ପାରାଦ୍ଵୀପ: ପୂର୍ବରୁ ୨୩୩ ଥିଲା, ଏବେ ୩୮ଟି ନୂଆ ବୁଥ୍ ମିଶି ମୋଟ ୨୭୧ ହୋଇଛି। ତିର୍ତ୍ତୋଲ: ପୂର୍ବରୁ ୨୬୬ ଥିଲା, ଏବେ ୨୩ଟି ନୂଆ ବୁଥ୍ ମିଶି ମୋଟ ୨୮୯ ହୋଇଛି। ବାଲିକୁଦା ଏରସମା: ପୂର୍ବରୁ ୩୧୨ ଥିଲା, ଏବେ ୫୯ଟି ନୂଆ ବୁଥ୍ ମିଶି ମୋଟ ୩୭୧ ହୋଇଛି। ଜଗତସିଂହପୁର: ପୂର୍ବରୁ ୨୪୦ ଥିଲା, ଏବେ ୫୫ଟି ନୂଆ ବୁଥ୍ ମିଶି ମୋଟ ୨୯୫ ହୋଇଛି।
ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଅଧୀନରେ ଆସନ୍ତା ଜୁଲାଇ ୫, ୨୦୨୬ (ରବିବାର) ଦିନ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ପାଇବାକୁ ଯାଉଅଛି। ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏହି ଚିଠା ତାଲିକା ପ୍ରକାଶ ପାଇବା ପରେ ସାଧାରଣ ନାଗରିକଙ୍କ ଯାଞ୍ଚ ନିମନ୍ତେ ଏହା ଉପଲବ୍ଧ ହେବ। ଜିଲ୍ଲାର କୌଣସି ବି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଉଛି ।
ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରେ ଯଦି କୌଣସି ପ୍ରକାରର ଆପତ୍ତି, ଅଭିଯୋଗ କିମ୍ବା ସଂଶୋଧନ ଥାଏ, ତେବେ ଆସନ୍ତା ୦୫ ଜୁଲାଇ ରୁ ୦୪ ଅଗଷ୍ଟ ୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ୦୫ ଜୁଲାଇ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ନାଗରିକମାନେ ଫର୍ମ-୬ (Form 6) ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ, ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଦେବା ପାଇଁ ଆପତ୍ତି କରିପାରିବେ ଏବଂ ଫର୍ମ-୮ (Form 8) ମାଧ୍ୟମରେ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ। ଏହି ସମଗ୍ର ପ୍ରକ୍ରିୟାରେ ଦାଖଲ ହୋଇଥିବା ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ଏବଂ ବିଚାର ଆସନ୍ତା ୦୨ ସେପ୍ଟେମ୍ବର, ୨୦୨୬ ସୁଦ୍ଧା ଶେଷ କରାଯିବ। ଜଗତସିଂହପୁର ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକଙ୍କୁ ଏହି ପ୍ରକ୍ରିୟାରେ ସହଯୋଗ କରି ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚିତ କରାଯାଇଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
