ଭୁବନେଶ୍ୱର,୦୨/୦୭/୨୦୨୬(ଓଡ଼ିଶା ସମାଚାର)- ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଏକ ମାମଲାରେ ଜଣେ ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତ ବିଜୁ ପଣ୍ଡା କଳାରାହଙ୍ଗ ଶିବ ମନ୍ଦିରର ପୂଜକ ଥିଲେ । ସେ ଜଣେ ମହିଳାଙ୍କୁ ଯୌନ ଶୋଷଣ କରିବା ସହ ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ଘଟଣା ୨୦୨୩ ମେ ୧୩ ତାରିଖର ଘଟିଥିବାବେଳେ ମହିଳା ଓ ତାଙ୍କ ସ୍ୱାମୀ ଦୀର୍ଘ ଦିନ ଧରି ସନ୍ତାନ ସୁଖ ପାଇଁ ବ୍ୟାକୁଳ ହୋଇ ମନ୍ଦିରକୁ ଯାଇଥିଲେ । ଆସାମୀ ବିଜୁ ସେମାନଙ୍କ ଦୁର୍ବଳତାର ସୁଯୋଗ ନେଇ ଯଦି ସେ ମନ୍ଦିରରେ ବସବାସ କରି ଧାର୍ମିକ ପ୍ରତିଜ୍ଞା କରନ୍ତି ତେବେ ସନ୍ତାନ ଲାଭ ହେବ ବୋଲି ମହିଳାଙ୍କୁ କହିଥିଲେ । ଦମ୍ପତି ଏହି କଥାରେ ରାଜି ହେବା ପରେ ମହିଳା ମନ୍ଦିରରେ ରହିବାକୁ ଲାଗିଲେ । ସେଠାରେ ରହିବା ସମୟରେ ମହିଳା ଗର୍ଭବତୀ ହୋଇଥିଲେ ।
ସେ ନିୟମିତ ଭାବେ ସ୍ୱାମୀ ଓ ପରିବାର ସହ ଯୋଗାଯୋଗରେ ରହୁଥିଲେ । କିନ୍ତୁ ପୂଜକ ଏହାକୁ ପସନ୍ଦ କରୁନଥିଲେ ଏବଂ ଫୋନ୍ କଥାବାର୍ତା ପାଇଁ ଅସନ୍ତୋଷ ଜାହିର କରିଥିଲେ । ଗର୍ଭାବସ୍ଥାର ୯ ମାସରେ ମହିଳା ପରିବାର ପାଖକୁ ଯିବାକୁ ଚାହୁଁଥିଲେ । ପୂଜକ ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ବାକବଚସା ଆରମ୍ଭ ହୋଇଥିଲା । କ୍ରୋଧରେ ଉତେଜିତ ହୋଇ ଆସାମୀ ମହିଳାଙ୍କ ଉପରେ କେରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲା । ଆଖପାଖରେ ଯାତ୍ରା ଦେଖୁଥିବା ଲୋକେ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ । ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତୁ୍ୟ ହୋଇଥିଲା । ଘଟଣା ପରେ ମଂଚେଶ୍ୱର ଥାନା ପୋଲିସ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
