ଓଡିଶା ରାଜନୀତିର ଅର୍ଦ୍ଧଶତାବ୍ଦୀର ପ୍ରତିଛବି – ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ସମୟ ସାକ୍ଷୀ

ଭୁବନେଶ୍ୱର,୦୧/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଜୁଲାଇ ୧ ତାରିଖ ସନ୍ଧ୍ୟାରେ ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି । ଏକ ସ୍ମୃତି ମଧୁର ତଥ୍ୟାନୁଭିଭିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହୋଇପାରେ । ତେବେ ସମୟର ଚଲାପଥରେ ଏହି ପୁସ୍ତକଟି ସମୟର ସାକ୍ଷୀ ଭାବେ ସବୁଦିନ ପାଇଁ ରହିଥ‌ିବ।

ସଂଘର୍ଷ ଓ ସଫଳତା ଭିତରେ ସେ ଯେଉଁ ରାସ୍ତା ଦେଇ ଆସିଛନ୍ତି, ତାହା ଯେତିକି ସ୍ମୃତି ବିଜଡିତ ସେତିକି ଚର୍ଚ୍ଚିତ। ଜଣେ ଶିଳ୍ପପତି ଭାବେ ସେ ଯେତିକି ପରିଚିତ, ଜଣେ ରାଜନେତା ଭାବେ ସେତିକି ଆଦୃତ । ଓଡିଶା ପ୍ରତି ଓଡିଆଙ୍କ ପ୍ରଗତି ପାଇଁ କିଛି କରିବାର ସଦିଚ୍ଛା ତାଙ୍କର କେତେ ସଫଳ ହୋଇଛି ଆଉ କେତେ ବାକି ଅଛି, ତାହା ସମୟ ସାକ୍ଷୀ ହୋଇ ରହିଛି। ମହାତ୍ମାଗାନ୍ଧୀ, ଜବାହର ଲାଲ୍ ନେହେରୁ, ବିନୋବା ଭାବେଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇ ଜଣେ ପ୍ରତିଷ୍ଠିତ ରାଜନୀତିଜ୍ଞ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଓଡିଶା କଂଗ୍ରେସ ପ୍ରତି ତାଙ୍କର ଅବଦାନ ଅନେକ। ସମୟ କେତେବେଳେ କାହାକୁ କେଉଁ ସ୍ଥାନରେ ରଖୁବ, ତାହା ପୂର୍ବ ନିର୍ଦ୍ଧାରିତ। ସରକାର ବଦଳିଲେ ବି ତଥାପି ଓଡିଶାର ପରିବର୍ତ୍ତନ ପାଇଁ ତାଙ୍କ ମନରେ ରହିଥିବା ଅସୁମାରୀ ଆଶାକୁ ଯୁବପିଢି ସାକାର କରିବେ ବୋଲି ତାଙ୍କର ଭରସା ରହିଛି । ଜୀବନର କିଛି ଅନୁଭୂତି ଓ ଘଟଣା ଚରିତ୍ରକୁ ନେଇ ସେ ଏହି ଆତ୍ମଜୀବନୀ ରଚନା କରିଛନ୍ତି। ଆତ୍ମଜୀବନଟି ଓଡିଶା ରାଜନୀତିରେ ଅର୍ଦ୍ଧଶତାବ୍ଦୀର ଗୁମର କଥାକୁ ଉନ୍‌ମୋଚିତ କରିବ।

ଏହି ପୁସ୍ତକକୁ ଜଣେ ସାଧାରଣ ଓଡିଆର କଥା ଭାବେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିବା ସହ ଓଡିଶାର ବିଭିନ୍ନ କ୍ଷେତ୍ରରୁ ୯ ଜଣ ସାଧାରଣ ଓଡିଆ ଏହାକୁ ଲୋକାର୍ପିତ କରିଥିଲେ । ସେହି ଅତିଥିମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି, କେନାଲ ମଣିଷ ରୂପେ ପରିଚିତ କେନ୍ଦୁଝରର ଦୈତାରୀ ନାୟକ, ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୋହି ଡାକ୍ତରଖାନାରୁ ଫେରିଥିବା କଳାହାଣ୍ଡିର ଦାନ ମାଝୀ, ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ହୋଇ ମଧ୍ୟ ଗଳ୍ପ କବିତା ରଚନା କରିଥିବା ତଥା ତୁମୁଡିବନ୍ଧର ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ବାସନ୍ତୀ ମାଝୀ, ନିଜର ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୁନରେ ଶିକ୍ଷାଦାନ କରୁଥିବା ଘସିପୁରାର ପ୍ରଫେସର ଦୁର୍ଯ୍ୟୋଧନ ନାହାକ, ନିଜର ବାଲ୍ୟକାଳରେ ଆର୍ଥିକ ଅସ୍ବଚ୍ଛଳତାରେ ହାରି ନ ଯାଇ ସମ୍ପ୍ରତି ଭାରତର ପ୍ରସିଦ୍ଧ କେଶ ପ୍ରତିରୋପଣକାରୀ ଡାକ୍ତର ଭାବେ ପରିଚିତ କେନ୍ଦୁଝରର ଡା. ପ୍ରଦୀପ ସେଠୀ, କରୋନା ସମୟରେ ପୁରୀରେ ରଥଯାତ୍ରା କରାଇବାକୁ ମାନ୍ୟବର ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିବା ନୟାଗଡର ମୁସଲମାନ ତରୁଣ ଅଫତାବ୍ ହୋସେନ୍, ନିଜର ସ୍ଵଳ୍ପ ଆୟରୁ ସଞ୍ଚୟ କରି ଗ୍ରାମବାସୀଙ୍କ ପାଇଁ ସାତଟି ପାଣି ଟାଙ୍କି ବସାଇଥିବା ମନ୍ମଥ ମହାରଣା ପ୍ରମୁଖ।

ପୁସ୍ତକର ସମୀକ୍ଷା କରିଥିଲେ ସାହିତ୍ୟିକ ଶ୍ରୀ ଦାଶ ବେନହୁର। ସଭାରେ ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଜର ଲେଖନୀୟ ଅଭିବ୍ୟକ୍ତିରେ ଉଲ୍ଲେଖ କରିଥିଲେ ଯେ, ତାଙ୍କର ଏହି ସାଧାରଣ ଜୀବନ କଥାରୁ ଯଦି ଜଣେ ବି ଯୁବକ ପ୍ରେରଣା ପାଇବ ତାଙ୍କ ରଚନା ସାର୍ଥକ ହେବ ।

ଶ୍ରୀ ପଟ୍ଟନାୟକଙ୍କ ସହ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜେଶ ମହାପାତ୍ର ଏକ ମାର୍ମିକ ଆଲୋଚନା କରିଥିଲେ।

ଆମ ଓଡିଶା ଦ୍ଵାରା ପ୍ରକାଶିତ ଏହି ପୁସ୍ତକ ଲୋକାର୍ପଣ ସଭାରେ ସଭାପତିତ୍ୱ କରିଥିଲେ ଆମ ଓଡିଶାର ଅଧ୍ୟକ୍ଷ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ।ରାଜ୍ୟର ବହୁ ଲେଖକ, କଳାକାର, ବୁଦ୍ଧିଜୀବୀ, ରାଜନେତା ଏହି ସଭାରେ ଉପସ୍ଥିତ ଥିଲେ।

()

Leave a Reply

Your email address will not be published. Required fields are marked *