କେନ୍ଦ୍ରାପଡ଼ା, ୩୦/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ବଳଦେବଜୀଉ ମନ୍ଦିର ଦେବୋତର ଟ୍ରଷ୍ଟ ପକ୍ଷରୁ ସ୍ଥିର କରାଯାଇଥିବା ନିର୍ଘଂଟ ଅନୁଯାଇ ନୀତିକାନ୍ତୀ କରାଯାଇଛି । ସୋମବାର ସକାଳ ୭ଟା ଭିତରେ ବଳଭଦ୍ର, ସାନ ଭାଇ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ସକାଳ ୭ଟା ୩୦ରେ ସ୍ନାନ ମଣ୍ଡପରେ ଜୟ ମଙ୍ଗଳା ଆଳତୀ କରାଯିବା ପରେ ପୂର୍ବାହ୍ନ ୧୦ଟାରେ ସ୍ନାନ ବେଦୀରେ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ୧୦୮ କଳସୀ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା । ମଧ୍ୟାହ୍ଣ ୧୨ଟାରେ ବଲ୍ଲଭ ମଣୋହୀ ନୀତି ସମ୍ପନ୍ନ ହୋଇଥିଲା । ଅପରାହ୍ନ ଗୋଟାଏରେ ମଙ୍ଗଳାର୍ପଣ କରାଯିବା ପରେ ଦିନ ସାଢେ ଗୋଟାଏରେ ଗଜାନନ ବା ହାତୀ ବେଶରେ ତିନି ଠାକୁରଙ୍କୁ ସଜ୍ଜାଇ ଦିଆଯାଇଥିଲା । ଗଜାନନ ବେଶରେ ଶ୍ରୀଜୀଉଙ୍କୁ ଦେଖି ଭକ୍ତମାନେ ଭାବବିହ୍ୱଳ ହୋଇପଡିଥିଲେ । ଦିନ ୨ଟାରେ ଖେଚୁଡ଼ି ଧୂପ ଅନୁଷ୍ଠିତ ହେବା ପରେ ରାତ୍ର ୯ଟାରେ ତିନି ଠାକୁର ଅଣବସର ଘରେ ପ୍ରବେଶ କରିଥିଲେ ବୋଲି ଶ୍ରୀବଳଦେବଜୀଉ ଦେବୋର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି । ପ୍ରବଳ ଜନ ଗହଳିକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ସ୍ନାନ ପୂର୍ଣ୍ଣିର୍ିମା ଅବସରରେ ହଜାର ହଜାର ଭକ୍ତ ସ୍ନାନ ବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ।
