ଜଗତସିଂହପୁର ୨୫/୦୬/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜଗତସିଂହପୁର ତରଫରୁ ଚଳିତ ମାସ ଜୁନ ୧୬ ତାରିଖ ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଷ୍ଟପ ଡାଇରିଆ ଅଭିଯାନ ଏବଂ ଆଗାମୀ ଜୁନ ୨୮,୨୯ ଓ ୩୦ ତାରିଖ ରେ ହେବାକୁ ଥିବା ପଲ୍ସ ପୋଲିଓ ଅଭିଯାନ ପାଇଁ ଜିଲ୍ଲା ସ୍ଥରୀୟ ଟାସ୍କଫୋର୍ସ କମିଟି ବୈଠକ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଅଭିଯାନ ର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହଯୋଗ କାମନା କରିବା ସହ ବ୍ଲକ ସ୍ଥରରେ ଏହାର ସଫଳ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ।
ଷ୍ଟପ ଡାଇରିଆ ଅଭିଯାନ ୨୦୨୬ ର ବାର୍ତା “ଡାଇରିଆ କୁ କିପରି ରୋକିବା ଜାଣ, ସ୍ୱଛତା ସହ ଓ. ଆର. ଏସ. ଉପରେ ରଖିବା ଧ୍ୟାନ ‘ ଏହି କାର୍ଯ୍ୟକ୍ରମରେ ସମୁଦାୟ ୨,୫୩,୩୩୯ ଗୃହ ଓ ୯୯,୬୨୮ ଜଣ ଜନ୍ମରୁ ୫ବର୍ଷ ର ପିଲାମାନଙ୍କ ପାଇଁ ଆଶା ମାନେ ଘର କୁ ଘର ଯାଇ ଓ ଆର ଏସ ଏବଂ ଜିଙ୍କ ବଟିକା ବଣ୍ଟନ କରିବା ସହ ଓ. ଆର. ଏସ ଦ୍ରବଣ ପ୍ରସ୍ତୁତ କରିବାର ପ୍ରଣାଳୀ, ହାତ ସଫା କରିବାର ସୋପାନ, ଜ଼ିଙ୍କ ବଟିକା ର ମାତ୍ରା ଓ ଉପକାରିତା, ସାଧାରଣ ତରଳ ଝାଡା ର ଘରୋଇ ଚିକତ୍ସା ଏବଂ ଅତି ଗୁରୁତର ଶିଶୁ ଙ୍କୁ ଚି଼ହ୍ନଟ କରିବା ସହ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କୁ ତୁରନ୍ତ ପଠାଇବା ପାଇଁ ମା ମାନଙ୍କୁ ପରାମର୍ଶ ଦେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ ଅଙ୍ଗନବାଡି ସେଣ୍ଟର ରେ ମଧ୍ୟ ଓ ଆର ଏସ ଏବଂ ଜିଙ୍କ କକ୍ଷ ଖୋଲା ଯାଇ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି।
ଆସନ୍ତା ପଲ୍ସ ପୋଲିଓ କାର୍ଯ୍ୟ କ୍ରମରେ ସମୁଦାୟ ୯୯,୬୨୮ଜଣ ଜନ୍ମରୁ ପାଞ୍ଚ ବର୍ଷ ବୟସ ର ପିଲାଙ୍କୁ ଦୁଇ ବୁନ୍ଦା ପୋଲିଓ ଦେବା ପାଇଁ ଲକ୍ଷ୍ୟ ରଖା ଯାଇଅଛି। ଏଥିପାଇଁ ମୋଟ ୫୫୫ ପୋଲିଓ ବୁଥ, ୨୨୨୦ ଜଣ ପଲ୍ସ ପୋଲିଓ ପ୍ରଦାନକାରୀ ( ଭାକସିନେଟର ), ୧୧୪ ସୁପରଭାଇଜର ଙ୍କୁ ଦାଇତ୍ୱ ଦିଆଯାଇଛି। ଜିଲ୍ଲା ର ମୋଟ ୨,୫୩,୩୩୯ ଘରୁ ଜନ୍ମ ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଖୁଆ ଯିବ। ଏହି କାର୍ଯ୍ୟକ୍ରମରେ ୩୪ ଟି ଟ୍ରାଂଜିଟ ପଏଣ୍ଟ ଓ ୨୧ ଟି ମୋବାଇଲ ଟିମ ଗଠନ କରାଯାଇଛି। ଏହି ଦୁଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବ୍ଲକସ୍ଥର ର ଅଧିକାରୀ ମାନଙ୍କ ସହ ଆଲୋଚନା କରାଗଲା। ବ୍ଲକ ସ୍ଥର ରେ ବିଡ଼ିଓ ଙ୍କ ଦ୍ୱାରା ବ୍ଲକ ସ୍ଥରୀୟ ଟାସ୍କ ଫୋର୍ସ ସଭା କରାଯାଇଛି।
ଏହି ଜିଲ୍ଲା ସ୍ଥରୀୟ ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରିଣୀ ଡା. ସ୍ନିଗ୍ଧାମୟୀ ମହାନ୍ତି, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସୁପରିଟେଣ୍ଡେଣ୍ଟ ଡା. ସରୋଜ କୁମାର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ବାରିକ, ଅନ୍ୟାନ୍ୟ ସମସ୍ତ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର,ଜିଲ୍ଲା ଆକାଉଣ୍ଟ ମ୍ୟାନେଜର, ଡି ଡି ଏମ, ଡି ଏମ ଆର ସି ଏଚ, ଏପିଡେମିଓଲୋଜିଷ୍ଟ, ଜିଲ୍ଲାସ୍ଥରୀୟ ଅନ୍ୟବିଭାଗ ର ଅଧିକାରୀମାନେ, ଜିଲ୍ଲା ର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଓ ପ୍ରୋଗ୍ରାମ ମ୍ୟାନେଜର ଙ୍କ ସହ ଅନ୍ୟାନ୍ୟ ଜିଲ୍ଲା ସ୍ୱାସ୍ଥ୍ୟ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲାପାଳ ଜିଲ୍ଲା ରେ ଏହି ଦୁଇ ଅଭିଯାନ କୁ ଶତପ୍ରତିଶତ ସଫଳ କରିବାକୁ ସମସ୍ତ ଅଧିକରୀଙ୍କୁ ପରାମର୍ଶ ଦେଇଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
