ତାମିଲନାଡ଼ୁ ଗ୍ୟାସ ଟ୍ରାଜେଡ଼ି : ଆଉ ଜଣେ ଓଡ଼ିଆ ଜୁଆଙ୍ଗ ଯୁବତୀ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

                                                                          ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି

କେନ୍ଦୁଝର/ଭୁବନେଶ୍ୱର,୨୫/୦୬/୨୦୨୬ (ଓଡ଼ିଶା ସମାଚାର)- ତାମିଲନାଡ଼ୁର  ତିରୁଭଲ୍ଲୁର ଜିଲା ପେରିୟାପାଲ୍ଲୀଆମ ନିକଟସ୍ଥ ସେଣ୍ଟ ପିଟର୍ସ ପର୍ଲ ସି-ଫୁଡ ଏକ୍ସପୋର୍ଟ କମ୍ପାନୀରେ ଆମୋନିଆ ଗ୍ୟାସ ଲିକ୍ ହୋଇ ଗତକାଲି ସୁଦ୍ଧା କେନ୍ଦୁଝର ଜିଲାର ୭ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଜୁଆଙ୍ଗ ଯୁବତୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ମୃତକ ହେଲେ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ବାଲିସାହିର ରୁଈ ଜୁଆଙ୍ଗଙ୍କ ଝିଅ ସୁବାସିନୀ ଜୁଆଙ୍ଗ।

ମୃତକଙ୍କ ମଧ୍ୟରୁ ଆଜି ୫ ଯୁବତୀଙ୍କ ମରଶରୀର କେନ୍ଦୁଝର ଜିଲାରେ ପହଞ୍ଚିଥିଲା। ବାଂଶପାଳ ବ୍ଲକର କୋଡିପଶା ଓ ତଳଚମ୍ପେଇ ଏବଂ ତେଲକୋଇ ବ୍ଲକର ରଙ୍ଗମାଟିଆ ଓ ଟାଙ୍ଗିରି ଦୁବନାଳୀ ସାହିରେ ଶବ ପହଞ୍ଚିବା ପରେ ସେଠାରେ ଏକ ହୃଦୟବିଦାରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ସନ୍ଧ୍ୟାରେ ତାମିଲନାଡ଼ୁରୁ ଭୁବନେଶ୍ୱର ବିମାନବନ୍ଦରରେ ଶବଗୁଡ଼ିକ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୃତକମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ କେନ୍ଦୁଝରରୁ ବ୍ଲକସ୍ତରୀୟ ଅଧିକାରୀମାନେ ବିଳମ୍ବିତ ରାତିରେ ମୃତଦେହଗୁଡ଼ିକୁ ସେମାନଙ୍କ ଗାଁକୁ ନେଇ ପହଞ୍ଚାଇ ଥିଲେ। ଆଜି ସକାଳେ ଅତି ଶୋକାକୁଳ ପରିବେଶରେ ସେମାନଙ୍କର ଶବ ସଂସ୍କାର କରାଯାଇଛି। ଗାଁରେ ମୃତଦେହ ସଂସ୍କାର ଚାଲିଥିବା ବେଳେ ପୁଣି ଜଣଙ୍କ ମୃତ୍ୟୁ ଖବର ଆସିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ବାକି ୩ ଜଣ ମୃତକଙ୍କ ମୃତଦେହ ଆଜି ଭୁବନେଶ୍ୱରରେ ପହଞ୍ଚିବାର ଆଶା କରାଯାଉଛି। ପ୍ରଶାସନ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାରକୁ ୩ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତି ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । କିନ୍ତୁ ଗରିବ ପରିବାରର ଶୁଦ୍ଧିକ୍ରିୟା କାମ ପାଇଁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଏହା ସହିତ ତାମିଲନାଡ଼ୁରେ ବର୍ତ୍ତମାନ ରହିଯାଇଥିବା ଅନ୍ୟ ଯୁବତୀମାନଙ୍କୁ ନେଇ ସେମାନଙ୍କ ପରିବାର ଲୋକେ ଚିନ୍ତାରେ ଥିବାରୁ ସେଠାରେ ଚିକିତ୍ସିତ ହେଉଥିବା ଏବଂ ସୁସ୍ଥ ଥିବା ସମସ୍ତ ଓଡ଼ିଆ ଶ୍ରମିକଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଜୁଆଙ୍ଗ ସମାଜ ନେତା ରମାକାନ୍ତ ଜୁଆଙ୍ଗ ଓ ସଂପୃକ୍ତ ପରିବାର ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *