ଭୁବନେଶ୍ୱର,୧୧/୦୩/୨୦୨୬ (ଓଡ଼ିଶା ସମାଚାର)- ବ୍ୟାଙ୍କ ଶିଳ୍ପରେ ପେନସନଧାରୀ ମାନଙ୍କ ମୂଳ ପେନସନ ସଂଶୋଧନ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଦାବି ନେଇ ସାରା ଭାରତବର୍ଷରେ ଅଖିଳ ଭାରତ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଆରଏଫ୍)ର ଡାକରାରେ ଗଣଧାରଣା, ବିକ୍ଷୋଭ ଓ ଅନାହାର ବିକ୍ଷୋଭ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ର୍ରହଣ କରାଯାଉଅଛି । ନିଖିଳ ଓଡ଼ିଶା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ଆନୁକୂଲ୍ୟରେ (ଆଜି) ବୁଧବାର ଲୋୟର ପିଏମଜି ଛକଠାରେ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣା ଓ ବିକ୍ଷୋଭରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ବିଜୟ କୁମାର ଜେନା ଓ ସିଆଇଟିୟୁର ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ଦାସ ଉଦବୋଧନ ଦେଇ ବ୍ୟାଙ୍କ ଶିଳ୍ପରେ ପେନସନ ସଂଶୋଧନ ଅତ୍ୟନ୍ତ ଜରୁରୀ ଓ ସରକାର ଏହାର ଶୀଘ୍ର ବିଚାର କରିବା ଦରକାର ବୋଲି ମତ ରଖିଥିଲେ ।
ବ୍ୟାଙ୍କ ପେନସନଧାରୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ତାର ପ୍ରତିକାର ପାଇଁ ଚାଲିଥିବା ଆନ୍ଦୋଳନକୁ କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନେ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଏହାପରେ ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀ ବୈକୁଣ୍ଠନାଥ ଆଚାର୍ଯ୍ୟ ଓ ଲକ୍ଷ୍ମଣ କୁମାର ସେଠୀ, ୟୁକୋ ବ୍ୟାଙ୍କର ପ୍ରସନ୍ନ କୁମାର ମହାନ୍ତି ଓ ଶରତ ସିଂ, ପଞ୍ଜାବ ନାସନାଲ ବ୍ୟାଙ୍କର ସଞ୍ଜୀବ ପତି ଓ ରବିନାରାୟଣ ସିଂ, ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ରବିନାରାୟଣ ସୂତାର ଓ ଶରତ ଚନ୍ଦ୍ର ରାଉତ, କାନାରା ବ୍ୟାଙ୍କର ପି.କେ ମିଶ୍ର ଓ ବିପିନ ବିହାରୀ ପାଢୀ, ଇଣ୍ଡିଆନ ବ୍ୟାଙ୍କର ବିଦ୍ୟାଧର ଜେନା ଓ ଜ୍ଞାନରଞ୍ଜନ ପଟ୍ଟନାୟକ, ୟୁନିୟନ ବ୍ୟାଙ୍କର ମନୋରଞ୍ଜନ ଦାସ ପ୍ରମୁଖଙ୍କ ସମେତ ଏକହଜାରରୁ ଉଦ୍ଧ୍ୱର୍ ବିଭିନ୍ନ ରାଷ୍ଟ୍ରାୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନେ ଆଜି ସକାଳ ୯ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବ୍ୟାଙ୍କ ପେନସନ ଭୋଗୀମାନଙ୍କର ରାଜ୍ୟସ୍ତରୀୟ ଗଣଧାରଣା ଓ ବିକ୍ଷୋଭରେ ଭାଗ ନେଇଥିଲେ ।

ସଂଘର ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର ବ୍ୟାଙ୍କ ପେନସନଧାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଆନ୍ଦୋଳନ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଂଘର ସଭାପତି ବୈକୁଣ୍ଠ ନାଥ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବ୍ୟାଙ୍କର ନେତୃମଣ୍ଡଳୀ ଏହି ଧାରଣା ସମାବେଶରେ କେନ୍ଦ୍ର ସରକାର ଓ ବ୍ୟାଙ୍କ କର୍ତୃପକ୍ଷଙ୍କ ଅବହେଳା ପ୍ରଦର୍ଶନ ଓ ପକ୍ଷପାତ ବିଚାର ନୀତି ବରୁଦ୍ଧରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ବେତନ ସଂଶୋଧନ ସହିତ ମୂଳ ପେନସନ ସଂଶୋଧିତ ହୋଇଆସୁଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡ଼ରେ ପେନସନ ସଂଶୋଧନ ହୋଇଥିବା ସତ୍ୱେ ଦୀର୍ଘ ୩୦ ବର୍ଷ ଧରି ବିଭିନ୍ନ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରେ ମୂଳ ପେନସନ ସଂଶୋଧନ ନହେବା ଏକ ପରିତାପ ଓ କ୍ଷୋଭର ବିଷୟ ବୋଲି ବକ୍ତାମାନେ ମତପୋଷଣ କରିଥିଲେ ।
ଅଧିକ କାଳ ବିଳମ୍ବ ନକରି ସରକାର ଯଥାଶୀଘ୍ର ବ୍ୟାଙ୍କ ପେନସନଧାରୀ ମାନଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବାକୁ ଦାବି କରାଯାଇଛି । ରାଜ୍ୟସ୍ତରୀୟ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ପ୍ରସନ୍ନ କୁମାର ମହାନ୍ତି, ରବିନାରାୟଣ ସୂତାର, ଲକ୍ଷ୍ମଣ କୁମାର ସେଠୀ ପ୍ରମୁଖ ଚାରିଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ରାଜଭବନରେ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
