କେନ୍ଦ୍ରାପଡ଼ା, ୨୪/୦୬/୨୦୨୬ (ଓଡ଼ିଶା ସମାଚାର)- ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲା ସେସନ୍ସ ତଥା ପୋକ୍ସ କୋର୍ଟ ଆସାମୀ ମଳୟ କୁମାର ବେହେରାଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଆସାମୀକୁ ୫ ହଜାର ଟଙ୍କା ଜୋରିମାନା ଦଣ୍ଡ ଦେଇଛନ୍ତି । ଜୋରିମାନା ଅନାଦେୟ ଆସାମୀ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ଭୋଗିବ ବୋଲି ବିଚାରପତି ପ୍ରଜ୍ଞା ପରମିତା ରାଉଳ ରାୟରେ ପ୍ରକାଶ କରିଛନ୍ତି ।
ମାମଲାରୁ ପ୍ରକାଶ ଯେ ୨୦୨୪ ମସିହା ନଭେମ୍ବର ୧ ତାରିଖରେ ମହାକାଳପଡ଼ା ଥାନା ଅଂଚଳରେ ଜନୈକ ନାବାଳିକାଙ୍କୁ କଟକ ଜିଲା ନିଆଳି କଂଟିସଲା ଗ୍ରାମର ମଳୟ କୁମାର ବେହେରା ନାମକ ଗାଡି ଚାଳକ ଅସଦାଚରଣ କରିଥିଲେ । ଏ ସଂପର୍କରେ ପିଡିତା ତାଙ୍କ ପିତାମାତା ଓ ସଂପର୍କୀୟ ମଉସାଙ୍କୁ ଅବଗତ କରାଇଥିଲେ । ନଭେମ୍ବର ୫ ତାରିଖରେ ପିଡିତାଙ୍କ ସଂପର୍କୀୟ ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ । ମହାକାଳପଡ଼ା ପୋଲିସ ଏକ ମାମଲା ରୁଜୁ କରି ଆସାମୀ ମଳୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । କୋର୍ଟରେ ଜିଆର କେସ ନଂ. ୮୮/୨୦୨୪ ରୁଜୁ କରାଯାଇ ମାମଲାର ବିଚାର ଚାଲିଥିଲା । ବିଚାରପତି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ନେହେରୁ କୁମାର ସାହୁ ମାମଲା ପରିଚାଳନା କରୁଥିଲେ ।
