ଯାଜପୁର, ୨୩/୦୬/୨୦୨୬ (ଓଡ଼ିଶା ସମାଚାର)-ଚଳିତ ବର୍ଷ ମଇ ୩୦ ତାରିଖରୁ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସଆଇଆର୍ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ ନିୟୋଜିତ ଥିବା ବ୍ଲକ ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ଏବଂ ରାଜନୈତିକ ଦଳ ପକ୍ଷରୁ ନିୟୋଜିତ ବୁଥ ସ୍ତରୀୟ ଏଜେଣ୍ଟ, ସ୍ୱେଛାସେବୀମାନଙ୍କ ଦ୍ଵାରା ଘରକୁ ଘର ପରିଦର୍ଶନ କରି ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରିବା ସହ ଫର୍ମ ଡିଜିଟାଇଜେସନ୍ ଦ୍ରୁତ ବେଗରେ ଜାରି ରହିଛି।
ଜିଲ୍ଲାରେ ମୋଟ ୧୫,୩୭,୧୦୧ ଜଣ ଭୋଟର ଅଛନ୍ତି। ଏହି ପରିପ୍ରେକ୍ଷୀରେ ୨୨ ଜୁନ୍ ୨୦୨୬ ସୁଦ୍ଧା ଯାଜପୁର ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୋଟ ୧୫,୩୪,୪୦୬ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏବେ ସୁଦ୍ଧା ୯୯.୮୨ ପ୍ରତିଶତ ମତଦାତାଙ୍କ ଫର୍ମ ବଣ୍ଟନ ହୋଇ ଏସଆଇଆର୍ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବିଞ୍ଝାରପୁରରେ ୭୮.୮୧ ପ୍ରତିଶତ, ବରୀରେ ୮୭.୦୯ ପ୍ରତିଶତ, ବଡ଼ଚଣାରେ ୮୭.୩୧ ପ୍ରତିଶତ, ଧର୍ମଶାଳାରେ ୮୯.୫୮ ପ୍ରତିଶତ, ଯାଜପୁରରେ ୮୦.୪୩ ପ୍ରତିଶତ, କୋରେଇରେ ୮୨.୫୯ ପ୍ରତିଶତ, ସୁକିନ୍ଦାରେ ୮୭.୩୦ ପ୍ରତିଶତ ଫର୍ମ ଡିଜିଟାଇଜେଶନ ସରିଛି ବୋଲି ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଅଶୋକ ଦେହୁରୀ ସୂଚନା ଦେଇଛନ୍ତି। ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ୯୯ ପ୍ରତିଶତରୁ ଅଧିକ ଫର୍ମ ବଣ୍ଟନ ହୋଇସାରିଛି।
ଏହାସହ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ବର କୁମାର କର ଆଜି ଫର୍ମ ଡିଜିଟାଇଜେସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଆଭାସୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୮ ଯାଏଁ ଏହି ଫର୍ମ ପୂରଣ ପ୍ରକ୍ରିୟା ଚାଲିବ। ଏହା ପରେ ୫ ଜୁଲାଇ ୨୦୨୬ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ହେବ। ଭୋଟର ତାଲିକାକୁ ନିର୍ଭୁଲ ଏବଂ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଏହି ଏସଆଇଆର୍ ପ୍ରକ୍ରିୟା ଚାଲିଛି।
