ଭୁବନେଶ୍ୱର,୧୩/୦୨/୨୦୨୫ (ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ସ୍ମୃତିରେ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜ୍ମେଂଟ ଓ ଦିଲ୍ଲୀପ ଶତପଥୀ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ “ଦିଲ୍ଲୀପ ଶତପଥୀ ମେମୋରିଆଲ୍ କୁଇଜ୍ ପ୍ରତିଯୋଗିତା-୨୦୨୫’ ଉଦଯାପିତ ହୋଇଛି । ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ସ୍ୱର୍ଗତ ଶତପଥୀଙ୍କ ସ୍ମୃତିଚାରଣ କରିବା ସହ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି ।
ଅନ୍ୟତମ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ । ସୃଷ୍ଟି ଏକାଡେମୀର ପ୍ରତିଷ୍ଠାତା ଇଂ ସରୋଜ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଟ୍ରଷ୍ଟ୍ ର ଅଧ୍ୟକ୍ଷ ଦୀନବନ୍ଧୁ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଛନ୍ତି ।
ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପାର୍ଥସାରଥି ସ୍ୱାଇଁ ଏବଂ ଦେବସ୍ମିତା ମହନ୍ତ ଚାମ୍ପିଅନ୍ ହୋଇଥିବାବେଳେ ପ୍ରଥମ ରନର୍ସଅପ୍ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସୁଜଲ କୁମାର ରାମ୍ ଓ ସମ୍ବିତ୍ କୁମାର ବାରିକ, ଦ୍ୱିତୀୟ ରନର୍ସଅପ୍ ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମନୋଜ କୁମାର ଲେଙ୍କା ଓଏଲ୍ଜି ଉମାକାନ୍ତ ଦାଶ, ତୃତୀୟ ରନର୍ସଅପ୍ ଭାବେ ନୟାଗଡ଼ ୟୁନିଟେକ୍ ଡିଗ୍ରୀ କଲେଜର ଦିବ୍ୟରଞ୍ଜନ ପଣ୍ଡା ଓ ଗୌର ଚନ୍ଦ୍ର ପଣ୍ଡା, ଚତୁର୍ଥ ରନର୍ସଅପ୍ ଭାବେ ସ୍ୱାମୀ ବିବେକାନନ୍ଦ କଲେଜ ଅଫ୍ ସାଇନ୍ସ ଆଣ୍ଡ୍ ମ୍ୟାନେଜ୍ମେଂଟର ପ୍ରଣବ କିଶୋର ବେହେରା ଏବଂ ପଂଚମ ରନର୍ସଅପ୍ ଭାବେ କୁଞ୍ଜବିହାରୀ କଲେଜର ଅଞ୍ଜଳି ସାହୁ ଓ ମୃତୁ୍ୟଞ୍ଜୟ ଥାଟୋଇଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ପ୍ରଦାନ କରାଯାଇଛି ।
ସେହିପରି ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ମୋଟ୍ ୫ ଜଣ ପ୍ରତିଭାଶାଳୀ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦୁ ନନ୍ଦ, ଅଧ୍ୟାପକ ନିର୍ମଳ ରାଉତରାୟ, ଧର୍ମ କୁମାର ରାଉତ ଏବଂ ସହ ପ୍ଲେସ୍ମେଣ୍ଟଂଟ ଅଧିକାରୀ ଆଲୋକ ଜାତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବାବେଳେ ଡିନ୍ ଡ. ଗଙ୍ଗାଧର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ରାଜ୍ୟର ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ୨୫୦ଜଣ ଫାଇନାଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।