କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୩୧ତମ ବାର୍ଷିକ ସାଧାରଣ ସଭା –
ଅଂଶୀଦାରମାନଙ୍କୁ ୮ପ୍ରତିଶତ ହାରରେ ଲାଭାଂଶପ୍ରଦାନ
ଜାତୀୟ ଛତ୍ରୀ ସଂଗଠନର ସଭ୍ୟ ଭାବେ ମନୋନ୍ୱିତ ହୋଇଥିବାରୁ ସଭାପତିଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା,୨୧/୦୬/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ୩୧ତମ ବାର୍ଷିକ ସାଧାରଣ ସଭା ଉତ୍ସାହ ଓ ଗାମ୍ଭିର୍ଯ୍ୟର ସହିତ ଜିଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସଭାପତି ଡ. ଅପର୍ଣ୍ଣା ମହାନ୍ତି, ନିର୍ଦେଶକ ପ୍ରଫୁଲ୍ଲ କୁମାର ସାହୁ, ସୁକାନ୍ତ କୁମାର ଦ୍ୱିବେଦୀ, ଅମୂଲ୍ୟ ପ୍ରଧାନ, ସିଦ୍ଧାର୍ଥଶଙ୍କର ଜେନା, ମହେନ୍ଦ୍ର କୁମାର ପରିଡା, ବିଧୁଭୂଷଣ ମହାପାତ୍ର, ସୁଧାଂଶୁଶେଖର ପ୍ରତାପ, କଳ୍ପତରୁ ମହାପାତ୍ର, ଶ୍ରୀକାନ୍ତ କୁମାର ନାୟକ, ରଶ୍ମୀରଞ୍ଜନ ଚୌଧୁରୀ ଏବଂ ବୋର୍ଡ ଅଫ ମ୍ୟାନେଜମେଂଟର ଅଧ୍ୟକ୍ଷ ବିଜୟ କୁମାର ବରାଳ, ସଭ୍ୟ ଦୟାନିଧି ଜେନା ଓ ଶାନ୍ତିସ୍ୱରୂପ ଭୂୟାଁ ସଭାରେ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉ ସଂପ୍ରଦାୟର ଆଦ୍ୟ ପ୍ରବର୍ତକ ମଧୁସୁଦନ ଦାସ ଓ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋ…. ତେନେ କହିଏ ଗାନ କରାଯାଇଥିବା ସହିତ କୁନିପିଲାମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରଲୋକଗତ ପ୍ରମୁଖ ସଦସ୍ୟ ସ୍ୱର୍ଗତ ରବୀନ୍ଦ୍ର ମୋହନ ସାହୁ, ଗୌରାଙ୍ଗ ଚରଣ ଲେଙ୍କା, ଶିବ ପ୍ରସାଦ ବିଶ୍ୱାଳ, ସୌର ଚନ୍ଦ୍ର ସାହୁ ପ୍ରମୁଖ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତତପରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ପୂର୍ବ ସାଧାରଣ ସଭାର ବିବରଣୀ ପାଠ କରିଥିଲେ ।
ଏହା ସଠିକ ଭାବେ ଲିପିବଦ୍ଧ ହୋଇଥିବାରୁ ତାହାକୁ ଦୃଢିକରଣ କରାଯାଇଥିଲା । ବ୍ୟାଙ୍କର ସଭାପତି ଆର୍ଥିକ ବର୍ଷ ୨୦୨୫-୨୬ର ବୈଧାନିକ ସମୀକ୍ଷା ବିବରଣୀ ଗ୍ରହଣ ଏବଂ ଅନୁମୋଦନ ୨୦୨୫-୨୬ର ଲାଭାଂଶ ବଂଟନର ଅନୁମୋଦନ, ୨୦୨୬-୨୭ ଆର୍ଥିକ ବର୍ଷର ଆୟ ବ୍ୟୟର ଅଟ୍ଟକଳର ଗ୍ରହଣ ଓ ଅନୁମୋଦନ ଏବଂ ୨୦୨୫-୨୬ର ଅତିରିକ୍ତ ଆୟ ବ୍ୟୟର ମଞ୍ଜୁରୀ ପ୍ରଦାନ ନିମନ୍ତେ ସାଧାରଣ ସଭାର ଅନୁମୋଦନ ପାଇଁ ପ୍ରସ୍ତାବ ରଖିଥିଲେ । ଏଥିସହିତ ଗତ ଆର୍ଥିକ ବର୍ଷ ୨୦୨୫-୨୬ର କାର୍ଯ୍ୟାବଳି ଓ ପ୍ରଗତି ଏବଂ ଚଳିତବର୍ଷ ୨୦୨୬-୨୭ ନିମନ୍ତେ ବ୍ୟାଙ୍କର କାର୍ଯ୍ୟକ୍ରମ ବିଷୟରେ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ । ବ୍ୟାଙ୍କର ସନ୍ତୋଷଜନକ ଆର୍ଥିକ ପ୍ରଗତି/ପ୍ରଦର୍ଶନକୁ ଆଧାର କରି ଅଂଶୀଦାରମାନଙ୍କୁ ବାର୍ଷିକ ଶତକଡା ୮ପ୍ରତିଶତ ଲାଭାଂଶ ପ୍ରଦାନ କରିବା ନିଷ୍ପତି ଗୃହିତ ହୋଇଥିଲା । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ୨ଟି ନୂତନ ଯୋଜନା ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଡୋର ଷ୍ଟେପ ବ୍ୟାଙ୍କିଂ ସେବା, ନାବାଳକ ପିଲାଙ୍କ ମଧ୍ୟରେ ସଂଚୟ ଓ ବ୍ୟାଙ୍କିଙ୍ଗ ଅଭ୍ୟାସ ବିକଶିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟାଙ୍କିଂଙ୍ଗ ସେବା ଯୋଜନା ପ୍ରଚଳନ କରାଯାଇଥିଲା ।
ଗ୍ରାହକ ସେବାକୁ ଆହୁରୁ ମାର୍ଜିତ ଓ ସ୍ପନ୍ଦିତ କରିବା ପାଇଁ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖାକୁ ବାରଘଂଟିଆ ବ୍ୟାଙ୍କ ସେବା ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଉପଲବ୍ଧ କରାଇବାକୁ ସୂଚନା ପ୍ରଦାନ କରାଯାଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ଜିଲାର ମାଟ୍ରିକ ଟପ୍ପର ଖରିନାସୀ ହାଇସ୍କୁଲର ଛାତ୍ର ଦେବଦର୍ଶୀ ମଣ୍ଡଳ ଏବଂ ଓଏଏସ ପରୀକ୍ଷାରେ ଜିଲ୍ଲାରୁ କୃତିତ୍ୱ ଅର୍ଜ୍ଜନ କରିଥିବା ଅତସୀ ଅପରାଜିତା, ସୂଚିସ୍ମିତା ନାୟକ, ସ୍ୱାତୀସ୍ମିତା ବେହେରା, ବିଶ୍ୱଜିତ ପ୍ରଣ୍ଡା, ରଶ୍ମୀରଞ୍ଜନ ସ୍ୱାଇଁ ଓ ଶୁଭମ ସୌମେନ ସେନାପତିଙ୍କୁ ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୫-୨୬ର ଉମ ପ୍ରଦର୍ଶନ ନିମନ୍ତେ ଚାନ୍ଦୋଳ ଶାଖାର କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ବ୍ୟାଙ୍କର ବିକାଶ ଓ ସଫଳତାର ମୁଳଦୂଆ ରଚନା କରିଥିବା ପ୍ରତିଷ୍ଠାତା ସଭ୍ୟମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ତତ ସେଙ୍ଗ ସେଙ୍ଗ ବ୍ୟାଙ୍କର ବିଭିନ୍ନ ଶାଖାର ଆଦର୍ଶ ଗ୍ରାହକମାନଙ୍କୁ ଏହି ସଭାରେ ସମ୍ବର୍ଦ୍ଧନା ପ୍ରଦାନ ସହିତ ସହଯୋଗ କାମନା କରାଯାଇଥିଲା । ଅନ୍ୟପକ୍ଷରେ ଜାତୀୟ ଛତ୍ର ସଂଗଠନ ଏନୟୁସିଏଫଡିସି ସହକାରୀ କାଉନସିଲ ବ୍ୟାଙ୍କର ସଭାପତିଙ୍କୁ ମନୋନ୍ୱିତ କରାଯାଇଥିବାରୁ ସଭ୍ୟମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି ସଫଳତା ପାଇଁ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ସହିତ ସମଗ୍ର ରାଜ୍ୟ ଗର୍ବିତ ବୋଲି ମତପ୍ରକାଶ ପାଇଥିଲା । ଉକ୍ତ ସଭାରେ ଆଲୋଚନାରେ ଅଂଶଗ୍ରହଣ କରି ସର୍ବଶ୍ରୀ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଡା.ବିଶ୍ୱପ୍ରକାଶ କାନୁନଗୋ, ଡ. ସୁନାକର ସାମଲ, ହଳଧର ସେଠୀ, ସରୋଜକାନ୍ତ ସାହୁ, ସରୋଜ କୁମାର ମହାନ୍ତି, ସର୍ବେଶ୍ୱର ସେଠୀ, ଶକ୍ତିକାନ୍ତ ପାତ୍ର, ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶିଲ କୁମାର ସାମଲ,ଭାଗିରଥି ଜେନା, ପରେଶ ଦାସ ପ୍ରମୁଖ ବିଭିନ୍ନ ଗଠନମୂଳକ ପ୍ରସ୍ତାବମାନ ଦେଇଥିଲେ । ବ୍ୟାଙ୍କର ସଭାପତି ସଭାରେ ରଖିଥିବା ସମସ୍ତ ପ୍ରସ୍ତାବ ଗୁଡିକୁ ଗ୍ରହଣ କରିବା ସହିତ କରତାଳି ମାଧ୍ୟମରେ ସର୍ବସମ୍ମତି କ୍ରମେ ଗୃହିତ କରାଯାଇଥିଲା । ପରିଶେଷରେ ବ୍ୟାଙ୍କର ଉପସଭାନେତ୍ରୀ ଡ. ଅପର୍ଣ୍ଣା ମହାନ୍ତି ଉପସ୍ଥିତ ସମସ୍ତ ଅଂଶୀଦାର ବନ୍ଧୁ, ଶୁଭେଛୁ, ଗ୍ରାହକ ବନ୍ଧୁ, ଜମାକାରୀ ବନ୍ଧୁ, ପରିଚାଳନା ପରିଷଦର ସଦସ୍ୟ ବନ୍ଧୁ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ସମସ୍ତଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା ପରିଚାଳନାରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ରାଜିବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ମ୍ୟାନେଜର ହିମାଂଶୁଶେଖର ଲେଙ୍କା, ମୀନାକ୍ଷି ପାଣି,ଲଲାଟେନ୍ଦୁ କେଶରୀ ଦାସ, ଭଞ୍ଜକିଶୋର ଜେନା, ସୁକାନ୍ତ କୁମାର କର, ଆଦିତ୍ୟ କୁମାର ଶତପଥୀ, ଉତମ ଚରଣ ନାୟକ, ପ୍ରମିଳା ସେଠ. ତ୍ରିଲୋଚନ ପରିଡା, ରଶ୍ମୀରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
