ସମୂହ ଯୋଗରେ ସାମିଲ ହେଲେ ଶତାଧିକ ଯୋଗପ୍ରେମୀ
ଜଗତସିଂହପୁର,୨୧/୦୬/୨୦୨୬(ଓଡ଼ିଶା ସମାଚାର)-ସ୍ଥାନୀୟ ବହୁମୁଖୀ ଇନ୍ଡୋର ଷ୍ଟାଡିଅମ୍ ପରିସରରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପ୍ରାୟୋଜିତ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜ଼ିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ କହିଥିଲେ ଯେ, “ଯୋଗ କେବଳ ଏକ ବ୍ୟାୟାମ ନୁହେଁ; ଏହା ଏକ ଜୀବନଶୈଳୀ, ଯାହା ଶରୀର, ମନ ଓ ଆତ୍ମାକୁ ଏକତ୍ର କରି ସୁସ୍ଥ, ସନ୍ତୁଳିତ ଓ ଶାନ୍ତିମୟ ଜୀବନଯାପନର ପଥ ଦେଖାଏ।”

ସେ ଆହୁରି କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ପ୍ରସ୍ତାବକୁ ଗ୍ରହଣ କରି ୨୦୧୫ ମସିହା ଜୁନ୍ ୨୧ ତାରିଖଠାରୁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ଏହି ବିଶ୍ୱବ୍ୟାପୀ ଉତ୍ସବ ଭାରତର ସମୃଦ୍ଧ ଅତୀତ ଓ ଗୌରବମୟ ଐତିହ୍ୟକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରୁଛି।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତା କରିଥିବା ବେଳେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଦୋଳ ଗୋବିନ୍ଦ ଦାଶ, ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦିପ ସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସମବେତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଓ ଯୋଗ ମହୋତ୍ସବ ସମିତିର କର୍ମକର୍ତ୍ତାମାନଙ୍କୁ ଯୋଗର ଉପକାରିତା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।
ବିଶିଷ୍ଟ ଶିକ୍ଷାବିତ ସୁଭାଷ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ପ୍ରଦାନ ସହ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଯୋଗ ମହୋତ୍ସବ ସମିତି ପକ୍ଷରୁ ଯୋଗଗୁରୁ ନିହାର ରଞ୍ଜନ ସ୍ୱାଇଁ ଓ ଅଜିତାଭ ଭୂୟାଁ ଯୋଗ ପ୍ରାର୍ଥନା, ସହଜ ଯୋଗାଭ୍ୟାସ, ଧ୍ୟାନ, ପ୍ରାଣାୟାମ, ଶାନ୍ତିପାଠ ଓ ଶପଥପାଠ କରାଇଥିଲେ।
ଏହି ଅବସରରେ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ବରିଷ୍ଠ ନାଗରିକ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ସମୂହ ଯୋଗରେ ସାମିଲ ହୋଇ ଯୋଗ ମାଧ୍ୟମରେ ସୁସ୍ଥ ଓ ଶୃଙ୍ଖଳିତ ଜୀବନ ଗଠନର ସଂକଳ୍ପ ନେଇଥିଲେ।
ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱବିଜୟିନୀ ପଟ୍ଟନାୟକ ସମୂହ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ କ୍ୟୁଆର୍ କୋଡ୍ ସ୍କାନ୍ କରି ନିଜ ଅଂଶଗ୍ରହଣ ପ୍ରମାଣପତ୍ର ସଂଗ୍ରହ କରିବାକୁ ଅନୁରୋଧ କରିବା ସହ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
