ଏକାଧିକ ପ୍ରକଳ୍ପର ଲୋକାର୍ପଣ – ରାଇରଙ୍ଗପୁରରେ ଉତ୍ସାହର ମାହୋଲ
ଭୁବନେଶ୍ୱର /ରାଇରଙ୍ଗପୁର /ମୟୂରଭଞ୍ଜ ( ଓଡ଼ିଶା ) ୧୯/୦୬/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ) ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ଜନ୍ମମାଟି ରାଇରଙ୍ଗପୁର ଠାରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରତିକୂଳ ପାଗ ଯୋଗୁଁ ରାଷ୍ଟ୍ରପତି ମୁର୍ମୁ ପଶ୍ଚିମବଙ୍ଗ କଲାଇକୁଣ୍ଡାରୁ ସଡ଼କ ପଥରେ ଆସି ସନ୍ଧ୍ୟାରେ ରାଇରଙ୍ଗପୁରଠାରେ ପହଂଚିଥିଲେ । ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଂଟା ବିଳମ୍ବରେ ସେ ପହଂଚିଥିଲେ । ୨୦ ତାରିଖ ଶନିବାର ଜନ୍ମମାଟିରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ ବୋଲି ସୂଚନା ମିଳିଛି । ଏହିଦିନ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲା ଗସ୍ତରେ ଆସୁଛନ୍ତି । ଏଥିଲାଗି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଜନ୍ମମାଟିରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଉଦଘାଟନ କରିଛନ୍ତି । ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁର ପୁଲିସ ଜିଲ୍ଲା, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟାଳୟ, ପାନୀୟ ଜଳ ପ୍ରକଳ୍ପ ଏବଂ ସ୍ୱତନ୍ତ୍ର ସର୍କିଟ ହାଉସ୍ ଉଦଘାଟନ କରିଛନ୍ତି । ଏଥି ସହିତ ସେ ଏମ୍ସ ସାଟେଲାଇଟ୍ ସେଂଟର ମଧ୍ୟ ଲୋକାର୍ପଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଂଗପୁର ଉପଖଣ୍ଡ ଡାକ୍ତରଖାନା ପରିସରରେ ବହୁ ପ୍ରତୀକ୍ଷିତ ଏମସ ସାଟେଲାଇଟ୍ ସେଂଟର ଉଦ୍ଘାଟନ କରିଛନ୍ତି । ଏଥି ସହିତ ସେ ଏକ ମେଗା ସ୍ୱାସ୍ଥ୍ୟ ଶିବିରକୁ ମଧ୍ୟ ଉଦଘାଟନ କରିଛନ୍ତି ।
ଏହି ଅବସରରେ ମହାମହିମ ଡାକ୍ତର ଏବଂ ରୋଗୀମାନଙ୍କ ସହିତ କଥା ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଇରଂଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥି ସହିତ ଡାକ୍ତରଖାନାର ଅନ୍ୟ ଭିତିଭୂମି ସଂପର୍କରେ ଅବଗତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଇରଙ୍ଗପୁର ଠାରେ ପହଂଚିବା ପରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୟୂରଭଂଜ ସାଂସଦ ନବଚରଣ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଇରଂଗପୁର ବିଧାୟକ ଜଲେନ ନାଏକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ଏମସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଶୁତୋଷ ବିଶ୍ୱାସ ଏବଂ ତାଙ୍କର ଟିମ ମଧ୍ୟ ମହାମହିମଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
