ଜାତୀୟସ୍ତରୀୟ ଦୁଇ ଦିନିଆ ସେତୁ କର୍ମଶାଳା ଉଦଯାପିତ

#        ଦୀର୍ଘସ୍ଥାୟୀ ସେତୁ ନିର୍ମାଣର ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଆଲୋଚନା

#        “ସେତୁ ନିର୍ମାଣ ଏବଂ ଡିଜାଇନ” ଉପରେ ଦେଶର ବିଶିଷ୍ଟ ସେତୁ ବିଶେଷଜ୍ଞ ଓ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଗଣଙ୍କ ମାନସମନ୍ଥନ

#        ପ୍ରାକୃତିକ ବିପର୍ଯ୍ୟୟକୁ ଧ୍ୟାନରେ ରଖି ସେତୁ ନିର୍ମାଣ ପ୍ରକ୍ରିୟାରେ ସୁଧାର ଆଣିବା ବିଷୟରେ ଆଲୋଚନା

ଭୁବନେଶ୍ୱର, ୦୫/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱରସ୍ଥିତ ମେ ଫେଆର୍ କନଭେନସନ ହୋଟେଲରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା  ଦୁଇ ଦିନିଆ ଜାତୀୟସ୍ତରୀୟ ସେତୁ କର୍ମଶାଳା ବା “Workshop On Bridges” ସମାପନ ହୋଇଛି । ଦେଶର ୨୫ ରାଜ୍ୟରୁ ଯୋଗଦେଇଥିବା ବିଶିଷ୍ଟ ସେତୁ ବିଶେଷଜ୍ଞ ଓ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ  (୨୦୦ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ) ଙ୍କ ମଧ୍ୟରେ ବିଭିନ୍ନ ସମ୍ପାନରେ  ଗ୍ରାମୀଣ ସଂଯୋଗୀକରଣ ପାଇଁ ଦୀର୍ଘସ୍ଥାୟୀ ସେତୁ  ନିର୍ମାଣର ଅତ୍ୟାଧୁନିକ ଜ୍ଞାନକୌଶଳ  ଆଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ସେତୁ ସମ୍ମିଳନୀ ଉଦଯାପିତ ହୋଇଛି ।

ଦ୍ୱିତୀୟ ଦିବସରେ ଏହି କର୍ମଶାଳାରେ “ସେତୁ ନିର୍ମାଣ ଏବଂ ଡିଜାଇନ” ଉପରେ ଦେଶର ବିଶିଷ୍ଟ ସେତୁ ବିଶେଷଜ୍ଞ ଓ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ମାନେ  ମାନସମନ୍ଥନ କରିଛନ୍ତି ।  ସମତଳ ଭୂମି, ମାଳଭୂମି, ପାହାଡିଆ ଅଞ୍ଚଳ ଆଦିରେ ସେତୁ ନିର୍ମାଣର ଭିନ୍ନ ଭିନ୍ନ କୌଶଳ ଉପରେ ସବିଶେଷ ଆଲୋଚନା ହୋଇଥିଲା ।  ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଇଥିବା ପ୍ରାକୃତିକ ଦୁର୍ବିପାକକୁ ଧ୍ୟାନ ଦେଇ କିଭଳି ଦୀର୍ଘସ୍ଥାୟୀ ସେତୁ ନିର୍ମାଣ କରାଯାଇ ପାରିବ, ସେ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କର୍ମଶାଳାରେ ଦୀର୍ଘସ୍ଥାୟୀ ସେତୁ ନିର୍ମାଣର ଡ଼ିପିଆର୍ ପ୍ରସ୍ତୁତି, ମୂଳଦୁଆ ଓ ଭୂକମ୍ପରୋଧୀ ନକ୍ସା ପ୍ରସ୍ତୁତି, ସେତୁ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ସେତୁ ରକ୍ଷଣାବେକ୍ଷଣ, କ୍ଷେତ୍ର ଅଭିଜ୍ଞତା, ସେତୁ ନିର୍ମାଣର ମାନ ଆଦି ବିଷୟରେ ବିଭିନ୍ନ ସମ୍ପାନରେ ବିଶଦ ଆଲୋଚନା ହୋଇଥିଲା ।  ସମସ୍ତ ଅଂଶଗ୍ରହଣକାରୀ ମାନେ ନିଜ  ରାଜ୍ୟର ତଥା କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ବିଷୟରେ ଆଲୋଚନା କରି ସେଠାକାର ସମସ୍ୟା  ବିଷୟରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଥିଲେ ।  ଗ୍ରାମୀଣ ସଂଯୋଗୀକରଣ ପାଇଁ ସେତୁ ନିର୍ମାଣର ସମସ୍ତ ଦିଗ ବିଷୟରେ ଏହି କର୍ମଶାଳାରେ ସବିଶେଷ ଆଲୋଚନା ହୋଇଥିଲା । 

          ପୂର୍ବରୁ ପ୍ରଥମ ଦିବସରେ  ଏହି  କର୍ମଶାଳାକୁ ଉଦଘାଟନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମହୋଦୟ ଏଥିରେ ୨୫ ରାଜ୍ୟରୁ ଯୋଗଦେଇଥିବା ୨୦୦ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ ।  ଏହି କର୍ମଶାଳାର ଲକ୍ଷ୍ୟ ଓ ମିଶନକୁ ଆଧାର କରି , ମାନ୍ୟବର ମନ୍ତ୍ରୀ ସେତୁ ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ଯୋଜନା ଏବଂ PMGSY ଯୋଜନା ଅନ୍ତର୍ଗତ ୨୧୧୭  ଟି ଲଂଗ୍ ସ୍ପାନ୍ ବ୍ରିଜ୍ ନିର୍ମିତ ହୋଇସାରିଥିବା, ୧୧୫୨   ଟି ସେତୁର  ନିର୍ମାଣ ଜାରି ରହିଥିବା ବିଷୟରେ ମାନ୍ୟବର ମନ୍ତ୍ରୀ ସନ୍ତୋଷ ପ୍ରକଟ କରିଥିଲେ ।

-0-

ବିନାୟକ ମିଶ୍ର , ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *