ଚାମେଲିଙ୍କ ନାମରେ ରହିଛି ୧୧ ମାମଲା: ଏସପି
କେନ୍ଦ୍ରାପଡ଼ା, ୧୪/୦୬/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ପଂଚାୟତର ସରପଂଚ ଚାମେଲି ଓଝାଙ୍କୁ ନ୍ୟାୟ ଦାବି କରି ବିଜେଡିର ଏକ ପ୍ରତିନିଧି ଦଳ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଥିବା ବେଳେ ଚାମେଲିଙ୍କ ନାମରେ ୧୧ ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି । ବିଜେଡି ପ୍ରତିନିଧି ଦଳ ଜିଲା ମହିଳା ସଭାନେତ୍ରୀ ସରିତା ସାହୁଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ବିଜେଡି ଛାତ୍ର ସଭାନେତ୍ରୀ ଇପସିତା ସାହୁ, ଜିଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜ୍ୟୋତିର୍ମୟୀ ପରିଡ଼ା, ପଟ୍ଟାମୁଣ୍ଡାଇର ବିଜେଡି ନେତ୍ରୀ ରିଜୱାନା ବେଗମ ପ୍ରମୁଖ ଯାଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଏଥିସହ ଏସପିଙ୍କୁ ମଧ୍ୟ ଏହି ଦଳ ଭେଟି ଚାମେଲିଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ଏସପି କହିଛନ୍ତି ଚମେଲିଙ୍କ ନାମରେ ୧୧ଟି ମାମଲା ରହିଛି । ୯ଟି ମାମଲା ମାର୍ଶଘାଇ ଥାନାରେ ରହିଥିବା ବେଳେ ନିକଟରେ ୨ଟି ମାମଲା ମହାକାଳପଡ଼ା ଥାନାରେ ରୁଜୁ ହୋଇଛି । ମାର୍ଶଘାଇ ଥାନାରେ ୨୦୧୬ ମସିହାରେୁ ୨୦୨୫ ମଧ୍ୟରେ ୯ଟି ମାମଲା ରୁଜୁ ହୋଇଛି । ସେହିପରି ନିକଟରେ ମହାକାଳପଡ଼ା ଥାନାରେ ୨ଟି ମାମଲା ରୁଜୁ ହୋଇଛି ବୋଲି ଏସପି ସୂଚନା ଦେଇଛନ୍ତି । ଏହି ମାମଲା ଗୁଡିକ ମଧ୍ୟରେ ରହିଛି ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା, ଗାଲିଗୁଲଜ କରିବା, ନିଜ ପଂଚାୟତରେ ଦଙ୍ଗା ସୃଷ୍ଟି କରିବା ପାଇଁ ଉସକାଇବା ଇତ୍ୟାଦି । ମହାକାଳପଡ଼ା ଥାନାଧିକାରୀଙ୍କ ସୂଚନା ଅନୁଯାୟୀ ମହାକାଳପଡ଼ା ଥାନାରେ ୧୭୦/୨୦୨୬ ଓ ୧୭୧/୨୦୨୬ ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି । ଏହି ସମସ୍ତ ମାମଲାର ଚାର୍ଜସିଟ ହୋଇଛି ବୋଲି ଏସପି ଶ୍ରୀ କଟ୍ଟାରିଆ ସୂଚନା ଦେଇଛନ୍ତି ।
